Latest Odisha News

ଥମୁନି ଏନଏସି ଦାବି ନିଆଁ; ଆଜି ବି ରାଜ୍ୟର ବିଭିନ୍ନ ସ୍ଥାନରେ ବନ୍ଦ ପାଳନ

ସମ୍ବଲପୁର/ବାଲେଶ୍ବର: ଏନଏସି ଘୋଷଣା ଦାବିରେ ତେଜୁଛି ପ୍ରତିବାଦ । ଆଜି ମଧ୍ୟ ରାଜ୍ୟର ବିଭିନ୍ନ ସ୍ଥାନରେ ବନ୍ଦ ପାଳନ କରାଯାଉଛି । ଏହି କ୍ରମରେ ସମ୍ବଲପୁର ଜିଲ୍ଲାର ବାମରା ଓ ବାଲେଶ୍ବରର ଖଇରାରେ ବନ୍ଦ ପାଳନ କରାଯାଇଛି ।

ରାଜ୍ୟ ସରକାର ୩୫ ଗୋଟି ଏନଏସି ଘୋଷଣା କରିଥିବାବେଳେ ଏଥିରୁ ସମ୍ବଲପୁର ଜିଲ୍ଲାର ବାମରା ବାଦ୍ ପଡିଥିବାରୁ ସ୍ଥାନୀୟ ଲୋକ ଆଜି ୧୨ ଘଣ୍ଟିଆ ବନ୍ଦ ପାଳନ କରୁଛନ୍ତି । ବନ୍ଦ ଯୋଗୁଁ ଯାତାୟତ ସମ୍ପୂର୍ଣ୍ଣ ରୂପେ ଠପ୍ ହୋଇଯାଇଛି ।

ଏହି ବନ୍ଦରୁ କେବଳ ଅତ୍ୟାବଶ୍ୟକ ସେବାକୁ ବାଦ୍ ଦିଆଯାଇଛି । ଆନ୍ଦୋଳନ ଯୋଗୁଁ ଦୋକାନ ବଜାର ସମ୍ପୂର୍ଣ୍ଣ ବନ୍ଦ ରହିଛି । ନାଗରିକ କ୍ରିୟାନୁଷ୍ଠାନ କମିଟି ନେତୃତ୍ୱରେ ବଣିକ ସଂଘ ଓ ସମସ୍ତ ସଂଘ ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି ।

ସେହିପରି ଏନଏସି ମାନ୍ୟତା ଦାବିରେ ବାଲେଶ୍ୱର ଜିଲ୍ଲା ଖଇରାରେ ୮ ଘଣ୍ଟିଆ ବନ୍ଦ ପାଳନ କରାଯାଇଛି । ଦୋକାନ ବଜାର, ସରକାରୀ ଓ ବେସରକାରୀ ପ୍ରତିଷ୍ଠାନ ବନ୍ଦ ରହିବା ସହ ଗାଡ଼ି ମୋଟର ଚଳାଚଳ ବନ୍ଦ ରହିଛି । ଖଇରାକୁ ଏନଏସି ଘୋଷଣା ପାଇଁ ଦୀର୍ଘ ଦିନ ହେବ ଦାବି ହୋଇଆସୁଥିଲା l

ନିର୍ବାଚନ ପୂର୍ବରୁ ରାଜ୍ୟ ସରକାର ୩୫ ଗୋଟି ଅଞ୍ଚଳକୁ ଏନଏସି ଘୋଷଣା କରିବା ପରେ ଖଇରାକୁ ମଧ୍ୟ ଏନଏସି ଘୋଷଣା ପାଇଁ ଦାବି ଜୋର୍ ଧରିଛି । ସ୍ୱାଭିମାନ ମଞ୍ଚ ଓ ଖଇରା ବିଜେପି ପକ୍ଷରୁ ଏହି ବନ୍ଦ ପାଳନ କରାଯାଉଛି ।

Comments are closed.