Latest Odisha News

ଏନଏସି ମାନ୍ୟତା ଦାବିରେ ରାଜ୍ୟର ବିଭିନ୍ନ ସ୍ଥାନରେ ବନ୍ଦ ପାଳନ

ବଲାଙ୍ଗିର/ସୁବର୍ଣ୍ଣପୁର/କଳାହାଣ୍ଡି/ବାଲେଶ୍ୱର: ଏନଏସି ଘୋଷଣା ଦାବିରେ ତେଜୁଛି ପ୍ରତିବାଦ । ବିଭିନ୍ନ ସ୍ଥାନରେ ବନ୍ଦ ପାଳନ କରାଯାଉଛି । ଏହି କ୍ରମରେ ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା, ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା, କଳାହାଣ୍ଡି ଜିଲ୍ଲା ଏମ୍. ରାମପୁର ଓ ବାଲେଶ୍ୱର ଜିଲ୍ଲା ବାଲିଆପାଳରେ ଆଜି ବନ୍ଦ ପାଳନ କରାଯାଇଛି । ଏ ସମସ୍ତ ସ୍ଥାନକୁ NAC ଘୋଷଣା ଦାବି କରି ବନ୍ଦ ଡାକରା ଦିଆଯାଇଛି ।

ବଙ୍ଗୋମୁଣ୍ଡାକୁ NAC ମାନ୍ୟତା ଦାବି କରି ଆଜି ୧୨ ଘଣ୍ଟିଆ ବଙ୍ଗୋମୁଣ୍ଡା ବନ୍ଦ ପାଳନ ହେଉଛି । ବନ୍ଦ ଯୋଗୁ ଦୋକାନ ବଜାର, ଅଖଚକ ସମ୍ପୂର୍ଣ୍ଣ ବନ୍ଦ ଥିବାବେଳେ ଜରୁରୀ କାଳୀନ ସେବାକୁ ବାଦ ଦିଆଯାଇଛି । ଏବେ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଚାଲୁରହିଥିବାରୁ ଶିକ୍ଷ୍ୟାନୁଷ୍ଠାନକୁ ମଧ୍ୟ ବନ୍ଦ ରୁ ବାଦ ଦିଆଯାଇଛି ।

ସେହିପରି NAC ଘୋଷଣା ଦାବିରେ ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଇଛି । ସୁବଳୟାରେ ଦୋକାନ ବଜାର, ସରକାରୀ ଓ ବେସରକାରୀ ପ୍ରତିଷ୍ଠାନ ବନ୍ଦ ରହିବା ସହ ଗାଡ଼ି ମୋଟର ଚଳାଚଳ ବନ୍ଦ ରହିଛି । ଫଳରେ ଯାତାୟତ ସମ୍ପୂର୍ଣ୍ଣ ରୂପେ ଠପ୍ ହୋଇଯାଇଛି ।

ଏହି ବନ୍ଦରୁ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଯୋଗୁ ସ୍କୁଲ-କଲେଜ ଏବଂ ଜରୁରୀକାଳୀନ କାର୍ଯ୍ୟକୁ ବାଦ୍‌ ଦିଆଯାଇଛି । ସେପଟେ ଶାନ୍ତିଶୃଙ୍ଖଳା ପାଇଁ ଛକ ଛକରେ ପୋଲିସ ମୁତୟନ ହୋଇଛି । ଯଦି ଆଗାମୀ ଦିନରେ ସରକାର ଏହି ଦାବି ପୂରଣ ନହେଲେ, ତେବେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ଚେତାବନୀ ଦେଇଛନ୍ତି ।

NAC ମାନ୍ୟତା ଦାବିରେ କଳାହାଣ୍ଡି ଜିଲ୍ଲା ଏମ୍ ରାମପୁରରେ ୬ ଘଣ୍ଟିଆ ବନ୍ଦ ପାଳନ କରିଛନ୍ତି ସ୍ଥାନୀୟ ବାସିନ୍ଦା । ବନ୍ଦ ଯୋଗୁଁ ଏମ୍. ରାମପୁରରେ ଦୋକାନ ବଜାର ମଧ୍ୟ ବନ୍ଦ ରହିଛି । ଆନ୍ଦୋଳନକାରୀମାନେ ବିଭିନ୍ନ ସ୍ଥାନରେ ଟାୟାର ଜାଳି ରାସ୍ତାରୋକ, ଦୋକାନ ବଜାର ବନ୍ଦ କରିଛନ୍ତି ।

ବାଲେଶ୍ୱର ଜିଲ୍ଲା ବା଼ଲିଆପାଳକୁ ମଧ୍ୟ NAC ମାନ୍ୟତା ଦାବିରେ ବନ୍ଦ ପାଳନ କରାଯାଇଛି । ସ୍ୱାଭିମାନ ମଞ୍ଚ ପକ୍ଷରୁ ସକାଳ ୭ ରୁ ଅପରାହ୍ନ ୨ଟା ଯାଏଁ ବନ୍ଦ ଡାକରା ଦିଆଯାଇଛି । ତୁରନ୍ତ ରାଜ୍ୟ ସରକାର ଏନଏସି ଘୋଷଣା ନକଲେ ଆଗାମୀ ଦିନରେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି କ୍ରିୟାନୁଷ୍ଠାନ କମିଟି ଚେତାବନୀ ଦେଇଛି ।

Comments are closed.