କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଓଡ଼ିଶାରେ ଶାସ୍ତ୍ରୀୟ ପାଲି ପାଇଁ ଏକ୍ସଲେନ୍ସ ସେଣ୍ଟର ଅନୁମୋଦନ: କୃତଜ୍ଞତା ଜଣାଇଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: କୋରାପୁଟ ଜିଲ୍ଲା ସୁନାବେଡ଼ାସ୍ଥିତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଓଡ଼ିଶା (CUO) ପରିସରରେ ଏକ ‘Centre of Excellence for Studies in Classical Pali’ (ଶାସ୍ତ୍ରୀୟ ପାଲି ଭାଷା ଅଧ୍ୟୟନ ଉତ୍କର୍ଷ କେନ୍ଦ୍ର) ପ୍ରତିଷ୍ଠା ପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ମଞ୍ଜୁରୀ ପ୍ରଦାନ କରିଛି। ଏହି ଗୌରବମୟ ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଏବଂ ଏହା ସହ ଜଡ଼ିତ ସମସ୍ତଙ୍କୁ ଆନ୍ତରିକ ଅଭିନନ୍ଦନ ଜଣାଇଛନ୍ତି।
ମୁଖ୍ୟମନ୍ତ୍ରୀ ଏହି ନିଷ୍ପତ୍ତିକୁ ଓଡ଼ିଶା ପାଇଁ ଏକ ଗର୍ବର ମୁହୂର୍ତ୍ତ ଏବଂ ଭାରତର ସମୃଦ୍ଧ ଭାଷାଗତ ଐତିହ୍ୟ ସଂରକ୍ଷଣ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ବର୍ଣ୍ଣନା କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି,ଏହି ପାଲି ଭାଷା ଭାରତର ବୌଦ୍ଧିକ, ଆଧ୍ୟାତ୍ମିକ ଏବଂ ସାଂସ୍କୃତିକ ପରମ୍ପରା ସହିତ ଗଭୀର ଭାବେ ଜଡ଼ିତ। ଏହି ଉତ୍କର୍ଷ କେନ୍ଦ୍ର ପାଲି ଭାଷାର ଅଧ୍ୟୟନ, ସଂରକ୍ଷଣ ଏବଂ ପ୍ରସାରକୁ ଅଧିକ ମଜବୁତ କରିବ। ଏହାଦ୍ୱାରା ଭାରତୀୟ ସଭ୍ୟତାର ଜ୍ଞାନ ଏବଂ ଭାଷା ଗରିମାକୁ ବଞ୍ଚାଇ ରଖିବାରେ ଓଡ଼ିଶାର ଅବଦାନ ଆହୁରି ସୁଦୃଢ଼ ହେବ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି।
“ଓଡ଼ିଶା ପାଇଁ ଏହା ଏକ ଗର୍ବର ମୁହୂର୍ତ୍ତ ଏବଂ ଭାରତର ସମୃଦ୍ଧ ଭାଷାଗତ ଐତିହ୍ୟକୁ ସଂରକ୍ଷିତ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ‘ଶାସ୍ତ୍ରୀୟ ପାଲି ଭାଷା ପାଇଁ ଉତ୍କର୍ଷ କେନ୍ଦ୍ର’ (Centre of Excellence for Classical Pali) ପ୍ରତିଷ୍ଠାକୁ ଶିକ୍ଷା ମନ୍ତ୍ରଣାଳୟର ଅନୁମୋଦନ, ପାଲି ଭାଷାର ଅଧ୍ୟୟନ, ସଂରକ୍ଷଣ ଓ ପ୍ରସାରକୁ ସୁଦୃଢ଼ କରିବ। କାରଣ ଏହି ଭାଷା ଭାରତର ବୌଦ୍ଧିକ, ଆଧ୍ୟାତ୍ମିକ ଏବଂ ସାଂସ୍କୃତିକ ପରମ୍ପରା ସହିତ ଗଭୀର ଭାବରେ ଜଡ଼ିତ। ଏହି କେନ୍ଦ୍ର ଭାରତର ସଭ୍ୟତାଗତ ଜ୍ଞାନ ଓ ଭାଷାଗତ ଐତିହ୍ୟର ସଂରକ୍ଷଣ କ୍ଷେତ୍ରରେ ଓଡ଼ିଶାର ଅବଦାନକୁ ଆହୁରି ସୁଦୃଢ଼ କରିବ,” ବୋଲି ମୁଖ୍ୟମନ୍ତ୍ରୀ ‘X’ ରେ ଏକ ପୋଷ୍ଟ ମାଧ୍ୟମରେ କହିଛନ୍ତି।
ଏହି ଅନୁମୋଦନ ଅକ୍ଟୋବର ୧ ରେ ଉଚ୍ଚଶିକ୍ଷା ବିଭାଗ (ଭାଷା ବିଭାଗ) ଦ୍ୱାରା ଜାରି କରାଯାଇଥିବା ଏକ କାର୍ଯ୍ୟାଳୟ ମେମୋରାଣ୍ଡମ୍ ର ଏକ ଅଂଶ, ଯେଉଁଥିରେ ଶାସ୍ତ୍ରୀୟ ଭାଷା ଅଧ୍ୟୟନ ପାଇଁ ପାଞ୍ଚଟି ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା ପାଇଁ ବିଜ୍ଞପ୍ତି ପ୍ରକାଶିତ ହୋଇଛି। ଏହି କେନ୍ଦ୍ରଗୁଡ଼ିକ ଶାସ୍ତ୍ରୀୟ ଆସାମୀ ପାଇଁ ଆସାମର ତେଜପୁର ବିଶ୍ୱବିଦ୍ୟାଳୟ, ଶାସ୍ତ୍ରୀୟ ବଙ୍ଗଳା ପାଇଁ ପଶ୍ଚିମବଙ୍ଗର ବିଶ୍ୱ-ଭାରତୀ ବିଶ୍ୱବିଦ୍ୟାଳୟ, ଶାସ୍ତ୍ରୀୟ ମରାଠୀ ପାଇଁ ମହାରାଷ୍ଟ୍ରର ପୁଣେରେ ଡେକାନ କଲେଜ ସ୍ନାତକୋତ୍ତର ଏବଂ ଗବେଷଣା ପ୍ରତିଷ୍ଠାନ, ଶାସ୍ତ୍ରୀୟ ପାଲି ପାଇଁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଓଡ଼ିଶା ଏବଂ ଶାସ୍ତ୍ରୀୟ ପ୍ରାକୃତ ପାଇଁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଗୁଜରାଟରେ ଅବସ୍ଥିତ ହେବ। ଏହି କେନ୍ଦ୍ରଗୁଡ଼ିକର ଲକ୍ଷ୍ୟ ହେଉଛି ଏହି ଶାସ୍ତ୍ରୀୟ ଭାଷାଗୁଡ଼ିକର ଐତିହ୍ୟ ସମ୍ବନ୍ଧୀୟ ଶୈକ୍ଷିକ ଗବେଷଣା, ଡିଜିଟାଇଜେସନ୍, ସଂରକ୍ଷଣ ଏବଂ ପ୍ରସାରକୁ ସୁଦୃଢ଼ କରିବା।

