Latest Odisha News

ଶେଷ ହେଲା ଏନଆଇଏନଏଲ ସଂପ୍ରସାରଣ ପାଇଁ ଜନ ଶୁଣାଣି

କଳିଙ୍ଗନଗର: ନୀଳାଚଳ ଇସ୍ପାତ ନିଗମ ଲିମିଟେଡର ପ୍ରସ୍ତାବିତ ସଂପ୍ରସାରଣର ପରିବେଶ ମଞ୍ଜୁରୀ ପାଇଁ ଆଜି ଜନ ଶୁଣାଣି ଶେଷ ହୋଇଛି। ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ କଳିଙ୍ଗନଗର ଜେସିଡି-ଏନଆଇଏମଜେଡ କାର୍ଯ୍ୟଳୟଠାରେ ଆୟୋଜିତ ଏହି ଜନ ଶୁଣାଣିରେ ଉଭୟ ସପକ୍ଷବାଦୀ ଓ ବିପକ୍ଷବାଦୀ ଯୋଗଦେଇ ମତ ରଖିଥିଲେ।

ବର୍ତ୍ତମାନ କାରଖାନାରେ ଉପଲବ୍ଧ ଉତ୍ପାଦନ କ୍ଷମତା ୦.୯୮୧ ଏମଟିପିଏରୁ ୯.୫ ଏମଟିପିଏ ପର୍ଯ୍ୟନ୍ତ ବୃଦ୍ଧି ପାଇଁ ଏନଆଇଏନଏଲର ସଂପ୍ରସାରଣ କରାଯିବ। ଏହି ଆଭ୍ୟନ୍ତରୀଣ ପ୍ଲାଂଟ ସମ୍ପ୍ରସାରଣ ପାଇଁ କୌଣସି ଅତିରିକ୍ତ ଜମିର ଆବଶ୍ୟକତା ନାହିଁ। ଆଗାମୀ କିଛି ବର୍ଷ ମଧ୍ୟରେ ଦୁଇଟି ପର୍ଯ୍ୟାୟରେ ଏହି ସମ୍ପ୍ରସାରଣ କରାଯିବ। ଏଥିରେ କଞ୍ଚାମାଲ ପରିଚାଳନା, କୋକ ପ୍ଲାଂଟ, ସିଂଟର ପ୍ଲାଂଟ, ବ୍ଲାଷ୍ଟ ଫର୍ଣ୍ଣେସ, ଷ୍ଟିଲ ମେଲଟିଂ ସପ ଏବଂ ରିବାର ଓ ଓୟାର ରଡ୍ ମିଲ୍ ଆଦି ରହିବ।

ସୂଚନା ଅନୁଯାୟୀ, ଟାଟା ଷ୍ଟିଲ ଲଙ୍ଗ ପ୍ରଡକ୍ଟସ୍ ଲିମିଟେଡ୍ ଜୁଲାଇ ୨୦୨୨ରେ ଏନଆଇଏନଏଲକୁ ଅଧିଗ୍ରହଣ କରିଥିଲା। ଅଧିଗ୍ରହଣର ୧୦୦ ଦିନ ମଧ୍ୟରେ କାରଖାନା କାର୍ଯ୍ୟକ୍ଷମ ହୋଇଥିଲା। ୯ ମାସ ମଧ୍ୟରେ ଡିଜାଇନ୍ କ୍ଷମତା ବୃଦ୍ଧି କରାଯାଇଥିଲା। କାରଖାନା ଆରମ୍ଭ କରିବା ପୂର୍ବରୁ ସମସ୍ତ ପରିବେଶ ଉପକରଣର ପୁନରୁଦ୍ଧାର କରାଯାଇ କାର୍ଯ୍ୟକ୍ଷମ କରାଯାଇ ବାୟୁ ପ୍ରଦୂଷଣ ନିୟନ୍ତ୍ରଣ କରିବା ପାଇଁ ESP, ସାଇକ୍ଳୋନ ସେପାରେଟର, ଡ୍ରାଏ ଫଗ ସିଷ୍ଟମ, ବ୍ୟାଗ ଫିଲ୍ଟର, ୱାଟର ସ୍ପ୍ରିଙ୍କଲିଂ ସିଷ୍ଟମ୍ ଭଳି ଅତ୍ୟାଧୁନିକ ପ୍ରଦୂଷଣ ନିୟନ୍ତ୍ରଣ ଉପକରଣ ଯୋଗାଇ ଦିଆଯାଇଥିଲା। କୋକ ଓଭେନ୍ ଗ୍ୟାସ୍‌, ବିଏଫ୍ ଗ୍ୟାସ୍ ଏବଂ ବିଓଏଫ୍ ଗ୍ୟାସ୍‌ର ଗ୍ୟାସ ବାଇ ପ୍ରଡକ୍ଟସ ସଫା କରିବା ପାଇଁ ସ୍କ୍ରବର ଭିତିକ ଗ୍ୟାସ୍ ସଫେଇ ପ୍ଲାଂଟ ଯୋଗାଇ ଦିଆଯାଇଥିଲା। ବାୟୁର ଗୁଣବତ୍ତା ଏବଂ ଷ୍ଟେକ୍ ନିର୍ଗମନର ଗୁଣବତ୍ତା ଅନଲାଇନ୍ ମନିଟରିଂ ପାଇଁ ନିରନ୍ତର ପରିବେଶ ମନିଟରିଂ ସିଷ୍ଟମ୍ ପ୍ରଦାନ କରାଯାଇଛି।

ସେହିପରି କୋକ ପ୍ଳାଣ୍ଟ ଏଫ୍ଲୁଏଣ୍ଟ ଟ୍ରିଟମେଣ୍ଟ ପ୍ଲାଣ୍ଟ (ଇଟିପି)ର କାର୍ଯ୍ୟଦକ୍ଷତା ଏବଂ ପ୍ଲାଣ୍ଟ ପରିସରରୁ ଜଳ ନିଷ୍କାସନର ରିୟଲ ଟାଇମ୍ ଭିତ୍ତିରେ ତଦାରଖ ପାଇଁ ଏଫ୍ଲୁଏଣ୍ଟ କ୍ୱାଲିଟି ମନିଟରିଂ ସିଷ୍ଟମ (ଇକ୍ୟୁଏମ୍‌ଏସ୍‌) ସ୍ଥାପନ କରାଯାଇଛି। ଏହାଛଡା କାରଖାନା ଓ ଏହାର ଆଖପାଖ ପରିବେଶ ସ୍ଵଚ୍ଛ, ନିର୍ମଳ ରହିବା ପାଇଁ ZED (Zero Effluent Discharge), ବ୍ଲାସ୍ଟ ଫର୍ଣ୍ଣେସ୍ ଏବଂ SMS ଫ୍ୟୁମ୍ ଏକ୍ସଟ୍ରାକ୍ସନ୍ ସିଷ୍ଟମ୍ ଇତ୍ୟାଦି ଇନଷ୍ଟଲ କରିବାକୁ କମ୍ପାନୀ ଯୋଜନା କରୁଛି।

ଟାଟା ଷ୍ଟିଲ ନୀଳାଚଳ ଇସ୍ପାତ ନିଗମ ଲିମିଟେଡକୁ ଅଧିଗ୍ରହଣ କରିବା ପରେ ସିଏସଆର କାର୍ଯ୍ୟକଳାପକୁ ଟାଟା ଷ୍ଟିଲ ଫାଉଣ୍ଡେସନ ଦ୍ୱାରା ସମନ୍ୱିତ କରାଯାଉଛି। କାରଖାନାର ଆଖପାଖ ଅଞ୍ଚଳରେ ଜୀବିକା, ଶିକ୍ଷା, ଦକ୍ଷତା, ଶୁଦ୍ଧ ପାନୀୟ ଜଳ, କ୍ରୀଡ଼ା, ସ୍ୱାସ୍ଥ୍ୟ ସେବା ଇତ୍ୟାଦିକୁ ନେଇ ବିଭିନ୍ନ ସାମାଜିକ-ଅର୍ଥନୈତିକ ବିକାଶ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି।

ମାର୍ଚ୍ଚ ୨୦୨୪ରୁ ମେ ୨୦୨୪ ମଧ୍ୟରେ ପ୍ଲାଣ୍ଟର ବେସଲାଇନ୍ ପରିବେଶ ତଥ୍ୟ ପ୍ରସ୍ତୁତ କରାଯାଇ ଏ ସମ୍ପର୍କିତ ବିସ୍ତୃତ ରିପୋର୍ଟ ମଧ୍ୟ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡକୁ ପ୍ରଦାନ କରାଯାଇଛି। ପ୍ରସ୍ତାବିତ ସମ୍ପ୍ରସାରଣ ପାଇଁ ଅତ୍ୟାଧୁନିକ ଜ୍ଞାନକୌଶଳର ପରିକଳ୍ପନା କରାଯାଇଛି, ଯାହା ପ୍ଲାଣ୍ଟ ଅପରେସନ ସ୍ତରରୁ ଆବଶ୍ୟକ ବାୟୁ ନିର୍ଗମନ ଏବଂ ଶବ୍ଦ ସ୍ତରମାନ ପୂରଣ କରିବ। କାରଖାନାରେ ଉତ୍ପାଦିତ ବର୍ଜ୍ୟଜଳକୁ ସାଧାରଣ ଏଫ୍ଲୁଏଣ୍ଟ ଟ୍ରିଟମେଣ୍ଟ ପ୍ଲାଣ୍ଟ (ଇଟିପି)ରେ ବିଶୋଧନ କରାଯାଇ ପୁନଃବ୍ୟବହାର କରାଯିବ।

ଜନ ଶୁଣାଣିର ଅଧ୍ୟକ୍ଷ ତଥା ଅତିରିକ୍ତ ଜିଲ୍ଲାପାଳ ସପନ କୁମାର ନନ୍ଦ, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଓଡ଼ିଶା, ଯାଜପୁର ଆଂଚଳିକ ଅଧିକାରୀ ମଦନ ମୋହନ ସାହୁ, ସମସ୍ତ ଜନପ୍ରତିନିଧି, ବୁଦ୍ଧିଜୀବୀ, ସ୍ଥାନୀୟ ଅଧିବାସୀମାନେ ଏହିଓ ଜନ ଶୁଣାଣିରେ ସାମିଲ ହୋଇଥିଲେ।

ଏନଆଇଏନଏଲ ସିଏଫଓ ସଂଜୀବ କୁମାର ଘୋଷ ଜନଶୁଣାଣି ଆରମ୍ଭରୁ କାରଖାନା ସଂପ୍ରସାରଣ ସମ୍ପର୍କରେ ସୂଚନା ଦେଇଥିଲେ।

Comments are closed.