Latest Odisha News

ପୁରୀ ମୂଷାନଦୀର ସଂପ୍ରସାରଣ ପର୍ଯ୍ୟାୟ-୧ ପ୍ରକଳ୍ପ ପାଇଁ ଜନଶୁଣାଣି

ପୁରୀ : ପୁରୀ ସହରର ପ୍ରବେଶପଥ ମୂଷାନଦୀର ସଂପ୍ରସାରଣ ପର୍ଯ୍ୟାୟ-୧ ପ୍ରକଳ୍ପ ପାଇଁ ହୋଇଛି ପ୍ରଥମ ଜନଶୁଣାଣି । ପ୍ରକଳ୍ପ ପାଇଁ ମୋଟ ୪୬ ଏକର ୬୦ ଡିସିମିଲି ଜମିର ଆବଶ୍ୟକତା ଥିବା ବେଳେ, ୧୨ ଏକରରୁ ଅଧିକ ଜମି ଅଧିଗ୍ରହଣ ହୋଇସାରିଛି । ପୁରୀକୁ ବିଶ୍ବସ୍ତରୀୟ ଐତିହ୍ୟ ସହରରେ ପରିଣତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଦେଖିଥିବା ସ୍ବପ୍ନରେ ଆଉ ଏକ ଫର୍ଦ୍ଦ ଯୋଡି ହୋଇଛି । ମୂଷାନଦୀର ସଂପ୍ରସାରଣ ଓ ସୌନ୍ଦର୍ଯ୍ୟକରଣ ପାଇଁ ରାଜ୍ୟ ସରକାର ଅବଢ଼ା ଯୋଜନାରେ ୨୫୦ କୋଟି ଟଙ୍କା ଯୋଗାଇଛନ୍ତି ।

ଏହି ପ୍ରକଳ୍ପ ଦ୍ବାରା ସ୍ଥାନୀୟ ଅଞ୍ଚଳରେ ଯୁବକମାନେ କୁଶଳୀ ଓ ଅର୍ଦ୍ଧକୁଶଳୀ କର୍ମଚାରୀ ଭାବେ ନିୟୋଜିତ ହୋଇପାରିବେ । ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ନୌକାବିହାର ପର୍ଯ୍ୟଟକଙ୍କୁ ବିମୋହିତ କରିବ । ଏହାସହ ବର୍ଷାଦିନେ ଜଳବନ୍ଦୀ ସମସ୍ୟାର ସମାଧାନ ସହ ଜଳ ନିଷ୍କାସନ ବ୍ୟବସ୍ଥାରେ ଉନ୍ନତି ଘଟିବ । ଏହା ମଧ୍ୟରେ ସାମାଜିକ ପ୍ରଭାବ ଆକଳନ ଶେଷ ହୋଇଥିବା ବେଳେ, ମୂଷାନଦୀର ପ୍ରଥମ ପର୍ଯ୍ୟାୟ ସଂପ୍ରସାରଣ ପାଇଁ ସମଙ୍ଗ, ମାଟିତୋଟା ଓ ମାର୍କଣ୍ତେଶ୍ବର ସାହି-୧ ପାଇଁ ଜଗନ୍ନାଥ ବଲ୍ଲଭ କମ୍ପ୍ଲେକ୍ସ ପରିସରରେ ଜନଶୁଣାଣି ହୋଇଛି ।

ଏହା ମଧ୍ୟରେ ମାର୍କଣ୍ଡେଶ୍ବର ସାହି ମୌଜାର ୭.୨୯୩ ଏକର, ମାଟିତୋଟା ମୌଜାର ୧୦.୯୭ ଏକର ଓ ସମଙ୍ଗ ମୌଜାର ୨୮.୩୪୬ ଏକର ଜମି ଅଧିଗ୍ରହଣ ହେବ । ୧୨.୭୪୬ ଏକର ଜମି ୨୦୧୩ ଜମି ଅଧିଗ୍ରହଣ ଆଇନ ଅନୁସାରେ ଖରିଦ୍ ହୋଇ ସାରିଥିବା ବେଳେ, ଅବଶିଷ୍ଟ ଜମି ଅଧିଗ୍ରହଣ ପାଇଁ ଜନଶୁଣାଣି ହୋଇଛି । ଜନଶୁଣାଣୀରେ ଜମି ମାଲିକ ମାନେ ମହାପ୍ରଭୁଙ୍କ ପାଇଁ ଜମି ଦେବାକୁ ପ୍ରସ୍ତୁତ ଥିଲେ ମଧ୍ୟ ଜମି ବିବାଦର ସମାଧାନ କରି ଉପଯୁକ୍ତ କ୍ଷତିପୂରଣ ଦେବାକୁ ମତ ପ୍ରକାଶ ପାଇଛି । ଜନଶୁଣାଣିରେ ଉପଜିଲ୍ଲାପାଳ ଅଧ୍ୟକ୍ଷତା କରିଥିବା ବେଳେ ତହସିଲଦାରଙ୍କ ସହ ବରିଷ୍ଠ ଅଧିକାରୀ, ଶ୍ରୀମନ୍ଦିର ପ୍ରଶାସନର ଅଧିକାରୀ ମାନେ ଉପସ୍ଥିତ ଥିଲେ । ଆସନ୍ତା ୪ ଦିନ ପର୍ଯ୍ୟନ୍ତ ଚାଲିବ ଜନଶୁଣାଣି ।

Leave A Reply

Your email address will not be published.