ଭୁବନେଶ୍ୱର:PUCC ପ୍ରସଙ୍ଗରେ ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ । ପ୍ରଦୂଷଣ ପ୍ରମାଣପତ୍ର ପାଇବାକୁ ହେଲେ ବକେୟା ଚାଲାଣ ପୈଠ କରିବାକୁ । ମଙ୍ଗଳବାର ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି ହାଇକୋର୍ଟ ।
କୋର୍ଟ ତାଙ୍କ ନିଷ୍ପତ୍ତିରେ କେନ୍ଦ୍ରୀୟ ମୋଟର ଯାନ ନିୟମ, ୧୯୮୯ ର ଧାରା ୧୬୭, ଉପ-ଧାରା (୧୨) ର ଉଲ୍ଲେଖ କରିଛନ୍ତି। ଏହି ନିୟମ ଅନୁଯାୟୀ, ଯଦି କୌଣସି ଗାଡ଼ି ନାମରେ ଚାଲାଣ ବାକି ରହିଛି, ତେବେ ସେହି ଗାଡ଼ି ମାଲିକ PUCC ପାଇବା ପାଇଁ ଯୋଗ୍ୟ ବିବେଚିତ ହେବେ ନାହିଁ। ଏହି ମାମଲାର ଶୁଣାଣି ସମୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆଡଭୋକେଟ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ କୋର୍ଟରେ ହାଜର ହୋଇଥିଲେ ।
ଉଲ୍ଲେଖଯୋଗ୍ୟ, ଗତ ଡିସେମ୍ବର ୨୦ ତାରିଖରେ ଜାରି ହୋଇଥିବା ନିର୍ଦ୍ଦେଶନାମାରେ ଉଲ୍ଲେଖ ଥିଲା ଯେ, ଗାଡ଼ି ମାଲିକଙ୍କ PUCC ନଥିଲେ ତାଙ୍କୁ ପେଟ୍ରୋଲ କି ଡିଜେଲ ମିଳିବ ନାହିଁ। ଏନେଇ ବିଭିନ୍ନ ତୈଳ ବିକ୍ରୟକାରୀ କମ୍ପାନୀକୁ ଲେଖାଯାଇଥିବା ଚିଠିକୁ ବିରୋଧ କରି ହାଇକୋର୍ଟରେ ଦାୟର ହୋଇଥିଲା ଜନସ୍ୱାର୍ଥ ମାମଲା ।
ଏପଟେ PUCC ପୂର୍ବରୁ ୯୦ ଦିନରୁ ପୁରୁଣା ଚାଲାଣ ପୈଠ କରିବା ବାଧ୍ୟତାମୂଳକ ବୋଲି ‘ଏକ୍ସ’ ଜରିଆରେ ସ୍ପଷ୍ଟ କରିଛନ୍ତି ପରିବହନ ମନ୍ତ୍ରୀ ବିଭୂତି ଜେନା । ସରକାରଙ୍କ ନିଷ୍ପତ୍ତି ଆଇନସମ୍ମତ ବୋଲି ହାଇକୋର୍ଟଙ୍କ ରାୟରୁ ସ୍ପଷ୍ଟ ହୋଇଛି ମଧ୍ୟ କହିଛନ୍ତି ।