Latest Odisha News

ଭିଡିଓ ଜାରି କରୁଛି କିନ୍ତୁ ଧରା ପଡୁନି ଅମୃତପାଲ: ଫେରାର ଯୋଜନା କରୁଛି କି ?

ନୂଆଦିଲ୍ଲୀ: ପଞ୍ଜାବ ପୋଲିସ ସହ ଯେମିତି ଲୁଚକାଳି ଖେଳୁଚି ଅମୃତପାଲ । ଭିଡିଓ ପରେ ଭିଡିଓ ଜାରି କରୁଛି  । ହେଲେ ପୋଲିସ ତାକୁ ଧରିପାରୁନି । ଅମୃତପାଲ ଦୁଇ ଦିନରେ ୨ଟି ଭିଡିଓ ଜାରି କରି କହିଛି, ସେ ପଳାତକ ନୁହେଁ । ବରଂ ବିଦ୍ରୋହୀ  । ସରକାରଙ୍କ ବିରୋଧରେ ବିଷୋଦଗାର କରି ସେ କହିଛି, ସେ ସରକାରଙ୍କୁ ଡରେନି । ଯାହାର ଯାହା କରିବାର ଅଛି କରନ୍ତୁ । ଅମୃତପାଲର ଏପରି ଖୋଲାଖୋଲି ଧମକ ପଞ୍ଜାବ ପୋଲିସ ପାଇଁ ଚିନ୍ତାର କାରଣ ପାଲଟିଛି ।

ଏପଟେ ଅମୃତପାଲର ପରିବାର ଲୋକେ ଦୁଇ ଦିନ ଧରି ଗୋଲଡେନ ଟେମ୍ପୁଲ ପରିସରରେ ଅଛନ୍ତି । ପୋଲିସ ଅନୁମାନ କରୁଛି ଅମୃତପାଲ ଗୋଲ୍ଡେନ ଟେମ୍ପୁଲରେ ଆତ୍ମସମର୍ପଣ କରିବ । ପୋଲିସ ଡ୍ରୋନ ସାହାଯ୍ୟରେ ସର୍ଚ୍ଚ ଅପରେଶନ ଜାରି ରଖିଛି । ତଥାପି ପୋଲିସ ଅମୃତପାଲର ନେଟୱର୍କ ଭାଙ୍ଗିବାର ସଫଳ ହୋଇ ପାରିନି । ସେ ଅମୃତସହରରେ ପହଞ୍ଚିବା ପାଇଁ ୪୮ ଘଣ୍ଟାରେ ତିନୋଟି ଗାଡି ବ୍ୟବହାର କରିଛି ।

ପୋଲିସ ସୂଚନା ଅନୁଯାୟୀ, ଅମୃତପାଲ ସିଂହ ଏବଂ ତାର ସହଯୋଗୀ ପପ୍ପଲପ୍ରୀତ ସିଂହ ମାର୍ଚ୍ଚ ୨୭ ତାରିଖ ଦିନ ଜଳନ୍ଧରରେ ପହଞ୍ଚିଥିଲା । ସେ ଏକ ଅନ୍ତର୍ଜାତୀୟ ଚାନେଲକୁ ସାକ୍ଷାତ ଦେବାପାଇଁ ହୋସିଆରପୁର ଆସିବା ପାଇଁ ମାର୍ଚ୍ଚ ୨୭ ତାରିଖରେ ଏକ ଟୟୋଟା ଇନୋଭା ଗାଡି ବ୍ୟବହାର କରିଥିଲା । ପୋଲିସ ତାକୁ ଧରିବା ପାଇଁ ଚେଷ୍ଟା କରିବା ମାତ୍ରେ ଗାଡି ଛାଡି ଫେରାର ହୋଇ ଯାଇଥିଲା । ପରେ ଏକ ସ୍ୱିଫ୍ଟ କାର ବ୍ୟବହାର କରିଥିଲା । ଦୁଇଟି ଯାକ ଗାଡିରେ ଚୋରା ନମ୍ବର ବ୍ୟବହାର କରୁଥିଲା । ଶେଷରେ ଉତ୍ତରାଖଣ୍ଡରୁ ଜଳନ୍ଧର ସେ ଏକ ସ୍କର୍ପିଓ ଗାଡିରେ ଯାଇଥିଲା । ପୋଲିସ ଏବେ ସେହି ସ୍କର୍ପିଓ ଗାଡିକୁ ଖୋଜୁଛି ।

Comments are closed.