ଯାଜପୁର: ଯାଜପୁର ଜିଲ୍ଲା ଯାଜପୁର ରୋଡ଼ ଥାନା ଖଣ୍ଡାହତା ଗ୍ରାମରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଘଟିଛି ଗୋଷ୍ଠୀ ସଂଘର୍ଷ। ଗାଁର ତଳସାହି ଓ ଉପରସାହି ମଧ୍ୟରେ ଗଣ୍ଡଗୋଳ ହୋଇଛି। ଏଥିରେ ୨ ଜଣ ମହିଳାଙ୍କ ସମେତ ୪ ଜଣ ଆହତ ହୋଇଥିବା ସୂଚନା ମିଳିଛି। ଏଥିସହିତ ଉତ୍ତ୍ୟକ୍ତ ଲୋକେ ପୋଲିସ ଗାଡିକୁ ମଧ୍ୟ ଭଙ୍ଗାରୁଜା କରିଛନ୍ତି।
ସୂଚନା ମୁତାବକ ଗାଁର ଏହି ଦୁଇ ସାହି ମଧ୍ୟରେ ପୂର୍ବରୁ ବିଭିନ୍ନ କାରଣକୁ ନେଇ ବିବାଦ ଉପୁଜିବା ସହ ବାରମ୍ବାର ଗଣ୍ଡଗୋଳ ସୃଷ୍ଟି ହୁଏ। ତେବେ ସୋମବାର ସଂଧ୍ୟାରେ ଉପର ସାହିର ୩ ଜଣ ଯୁବକ ତଳସାହି କୁ ଯାଇ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ। ଫଳରେ ତଳସାହି ଲୋକେ ଏକ ବାଇକ ସହ ଉକ୍ତ ଯୁବକ ମାନଙ୍କୁ ଅଟକ ରଖି ପୋଲିସକୁ ଖବର ଦେଇଥିଲେ। ତେଣୁ ଏହାକୁ ନେଇ ଉଭୟ ସାହି ମଧ୍ୟରେ ଗଣ୍ଡଗୋଳ ଓ ବାଡାପିଟା ହୋଇଥିଲା। ଏଥିରେ ୨ ଜଣ ମହିଳାଙ୍କ ସମେତ ୪ ଜଣ ଆହତ ହୋଇଥିବା ଜଣାପଡିଛି। ତେବେ ଖବର ପାଇ ଗାଁ ରେ ପୋଲିସ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ କରିବାକୁ ଉଦ୍ୟମ କରୁଥିବା ବେଳେ ଉତ୍ୟକ୍ତ ଲୋକମାନେ ପୋଲିସ ଗାଡି ଉପରକୁ ମଧ୍ୟ ଆକ୍ରମଣ କରିଥିଲେ। ଏଥିରେ ପୋଲିସ ଅଧିକାରୀମାନେ ବର୍ତ୍ତି ଯାଇଥିବା ବେଳେ ଗାଡିଟି ଭାଙ୍ଗିରୁଜି ଯାଇଥିବା ସୂଚନା।
Comments are closed.