Latest Odisha News

ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ୩ ‘ସ’କୁ ଗୁରୁତ୍ୱ

ପୁରୀ: ପଦାଧିକାରୀ ବୈଠକ ପରେ ପୁରୀରେ ଆରମ୍ଭ ହୋଇଛି ବିଜେପିର କାର୍ଯ୍ୟକାରିଣୀ ବୈଠକ। ଏହାକୁ ଉଦଘାଟନ କରିଛନ୍ତି ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ମୁଖ୍ୟମନ୍ତ୍ରୀଙ୍କ ସମେତ ମନ୍ତ୍ରୀମଣ୍ଡଳର ସମସ୍ତ ସଦସ୍ୟ ଓ ବିଭିନ୍ନ ପଦାଧିକାରୀ ଏହି ବୈଠକରେ ଯୋଗ ଦେଇଛନ୍ତି। ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସମେତ କ୍ଷେତ୍ରୀୟ ପ୍ରଭାରୀ, ରାଜ୍ୟ ପ୍ରଭାରୀଙ୍କ ସମେତ ବିଜେପିର ସମସ୍ତ ପଦାଧିକାରୀ ଉପସ୍ଥିତ ଅଛନ୍ତି। ସଭାପତି ମନମୋହନ ସାମଲଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟକାରିଣୀ ବୈଠକ ବସିଛି। ବୈଠକରେ ଆଗାମୀ ଦିନରେ ରଣନୀତି ପ୍ରସ୍ତୁତ ହୋଇଛି। ଏହାପୂର୍ବରୁ ବିଜେପିର ପଦାଧିକାର ବୈଠକ ବସିଥିଲା । ବୈଠକରେ ୩ ‘ସ’କୁ ଗୁରୁତ୍ୱ ଦିଆଯାଇଛି।

ବୈଠକରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ, ରାଜ୍ୟ ପ୍ରଭାରୀ ବିଜୟପାଲ ସିଂ ତୋମାର ଏବଂ ସହ-ପ୍ରଭାରୀ ଲତା ଉଶେଣ୍ଡି, ଦୁଇ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ, ଧର୍ମେନ୍ଦ୍ର ପ୍ରଧାନ, ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ସମେତ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ମନ୍ତ୍ରିପରିଷଦର ସଦସ୍ୟମାନେ ଉପସ୍ଥିତ ରହିଛନ୍ତି। ତେବେ ଦଳ ରାଜ୍ୟବାସୀଙ୍କ ନିକଟତର ହେବା ଲାଗି ୩ ସ’ ଥିଓରୀ ଉପରେ ଗୁରୁତ୍ଵ ଦେଇଥିବା ଜଣାପଡ଼ିଛି।

ଏହି ୩ ସ’ ହେଉଛି ‘ସରକାର, ସଂଗଠନ ଏବଂ ସାଧାରଣ ଲୋକ’। ସରକାର ଏବଂ ଜନସାଧାରଣଙ୍କ ମଧ୍ୟରେ ସେତୁ ଭଳି କାର୍ଯ୍ୟ କରିବ ସଂଗଠନ। ସଂଗଠନ ଲୋଙ୍କ ସମସ୍ୟା ଏବଂ ତୃଣମୂଳସ୍ତରରୁ ସମସ୍ୟା ଆଣି ସରକାରଙ୍କୁ ଦେବ ବୋଲି ପଦାଧିକାରୀ ବୈଠକ ପରେ ରାଜ୍ୟ ବିଜେପି ଉପସଭାପତି ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି।

ଅନ୍ୟପଟେ ପୁରୀ କାର୍ଯ୍ୟକାରିଣୀରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓଡ଼ିଶାବାସୀଙ୍କୁ ପ୍ରଣାମ ଜଣାଇଛନ୍ତି ସେ କହିଛନ୍ତି ଓଡ଼ିଶାର ସେବା ପାଇଁ ସୁଯୋଗ ଦେଇଥିବାରୁ ଓଡ଼ିଶାବାସୀଙ୍କୁ ପ୍ରଣାମ। ଅକ୍ଳାନ୍ତ ପରିଶ୍ରମ କରି ରାଜ୍ୟରେ ପଦ୍ମ ଫୁଟାଇଥିବାରୁ କର୍ମୀଙ୍କୁ ବଧାଇ ଦେଲେ ନଡ୍ଡା। ନଡ୍ଡା କହିଛନ୍ତି, ଓଡ଼ିଶାକୁ ବିକାଶ ପଥରେ ନେବାର କୌଣସି ସୁଯୋଗ ଛାଡ଼ିବନି ବିଜେପି। ଲୋକସଭା ସିଟ୍‌ ଡବଲ କରିବାକୁ କହିଥିଲି, ଆପଣମାନେ ୨୦ ସିଟ୍‌ ଦେଲେ। ଲୋକସଭା ପାଇଁ ୪୫% ଭୋଟ୍‌ ଦେଲେ, ଆପଣମାନଙ୍କୁ କୃତଜ୍ଞତା ଜଣାଉଛି।

ବିଧାନସଭାରେ ୪୦.୭% ଭୋଟ୍‌ ସହ ସରକାର ଗଠନ ସୁଯୋଗ ଦେଲେ। ଆଜି ଦେଶରେ ୧୮ଟି ରାଜ୍ୟରେ ଏନ୍‌ଡିଏ, ୧୩ ରାଜ୍ୟରେ ବିଜେପି ସରକାର ରହିଛି। ଦେଶର ୫୭% ଭୂଭାଗରେ ବିଜେପିର ସରକାର ଚାଲିଛି। ସେହିପରି ଏହି ବୈଠକରେ କଂଗ୍ରେସ ଉପରେ ବର୍ଷିଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । କହିଲେ କଂଗ୍ରେସ ହେଉଛି ପରଜୀବୀ ଦଳ, ଯାହା ସହ ଯୋଡି ହେବ ତାକୁ ଦୁର୍ବଳ କରିବ। କଂଗ୍ରେସ ଅମରିଲତା ପରି, ପର ଭରସାରେ ବଞ୍ଚିଛି କଂଗ୍ରେସ। ପରଜୀବୀ ଭଳି ଅନ୍ୟ ପାର୍ଟି ସହାୟତାରେ ସିଟ୍‌ ଜିତିଛି କଂଗ୍ରେସ। ସହଯୋଗୀଙ୍କ ଭୋଟ୍‌ ଖାଇ ନିଜକୁ ବଞ୍ଚାଇ ରଖିଛି କଂଗ୍ରେସ ବୋଲି କହିଛନ୍ତି ନଡ୍ଡା।

Comments are closed.