ପୁରୀ: ରାତି ପାହିଲେ ପୁରୀ ଆସିବେ ମହାମହୀମ ରାଷ୍ଟ୍ରପତି । ସେଥିପାଇଁ ସମଗ୍ର ଶ୍ରୀକ୍ଷେତ୍ରକୁ ସୁରକ୍ଷା ବଳୟରେ ରଖାଯାଇଥିବା ବେଳେ ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଅନ୍ୟପଟେ ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ ଆଜି କ୍ୟାରକେଡ୍ ରିହରସଲ୍ କରାଯାଇଥିବା ବେଳେ ମହାମହୀମ ଦର୍ଶନ ସମୟରେ ସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ସୂଚନା ରହିଛି ।
ବୁଧବାର ସକାଳ ୯ଟା ୪୫ରେ ସମଙ୍ଗ ସ୍ଥିତ ହେଲିପ୍ୟାଡରେ ସ୍ୱତନ୍ତ୍ର ବିମାନରେ ପହଞ୍ଚିବେ ମହାମହୀମ ରାଷ୍ଟ୍ରପତି । ସେଠାରୁ ସିଧାସଳଖ ସ୍ୱତନ୍ତ୍ର କାରକେଡ୍ ଯୋଗେ ଶ୍ରୀମନ୍ଦିର ଅଭିମୁଖେ ବାହାରିବେ । ସକାଳ ୧୦ଟା ୧୫ରୁ ୧୦ ଟା ୪୦ ମଧ୍ୟରେ ଶ୍ରୀମନ୍ଦିର ଭିତରେ ମହାପ୍ରଭୁଙ୍କ ଦର୍ଶନ ସହ ପୂଜାର୍ଚ୍ଚନା କରି ଆର୍ଶୀବାଦ ନେବେ ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁ । ସେଥିପାଇଁ ନୀତିକାନ୍ତିକୁ ସଅଳ କରିବା ପାଇଁ ଛତିଶାନିଯୋଗ ବୈଠକରେ ଆଲୋଚନା ହୋଇଛି ।
ଭୋର ୫ଟାରୁ ଶ୍ରୀମନ୍ଦିର ସିଂହଦ୍ଵାର ଫିଟାଯାଇ ସକାଳ ୮ଟା ୪୫ ସୁଦ୍ଧା ମନ୍ଦିରକୁ ଶୋଧ କରାଯିବା ପରେ ସର୍ବସାଧାରଣଙ୍କ ଦର୍ଶନ ବନ୍ଦ ରହିବ । ପ୍ରାୟ ଅଧଘଣ୍ଟା ମନ୍ଦିର ଭିତରେ ମହାମହୀମ ସମୟ ଅତିବାହିତ କରିବା ପରେ ୧୦ଟା ୪୦ରେ ଶ୍ରୀମନ୍ଦିରରୁ ପ୍ରତ୍ୟାବର୍ତ୍ତନ କରିବେ । ତେବେ ମହାମହୀମଙ୍କୁ ସ୍ୱାଗତ କରିବାକୁ ତାଙ୍କ କୌଳିକ ପଣ୍ଡା ପ୍ରସ୍ତୁତ ଥିବା କହିଛନ୍ତି ।
ଶ୍ରୀମନ୍ଦିରରୁ ପ୍ରତ୍ୟାବର୍ତ୍ତନ କରି ମହାମହୀମ ସିଧାସଳଖ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟରେ ଅନୁଷ୍ଠିତ ହେବାକୁଥିବା ୭୫ ତମ ହୀରକ ଜୟନ୍ତୀରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ । ଦିନ ୧୧ଟାରୁ ୧୨ଟା ପର୍ଯ୍ୟନ୍ତ ଅର୍ଥାତ ଏକଘଣ୍ଟା ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ ମହାମହୀମ । ସେଥିପାଇଁ ଆୟୁର୍ବେଦ ମହାବିଦ୍ୟାଳୟ ପରିସରକୁ କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ରଖାଯାଇଥିବା ବେଳେ ସମସ୍ତ ପ୍ରସ୍ତୁତି ମଧ୍ୟ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଅନୁଷ୍ଠିତ ୭୫ ତମ ହୀରକ ଜୟନ୍ତୀରେ ରାଷ୍ଟ୍ରପତିଙ୍କ ସମେତ, ମୁଖ୍ୟମନ୍ତ୍ରୀ, କେନ୍ଦ୍ରଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ, କେନ୍ଦ୍ର ଆୟୁଷ ମନ୍ତ୍ରୀ ମଧ୍ୟ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।
ଅପରାହ୍ନ ୧୨ଟାରେ ମହାମହୀମ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟରୁ ବାହାରି ସିଧାସଳଖ ରାଜଭବନ ଅଭିମୁଖେ ଯିବେ । ରାଜଭବନରେ ଦ୍ୱିପ୍ରହର ଭୋଜନ ସାରି ବ୍ଲୁଫ୍ଲାଗ୍ ବିଚ୍ ରେ ଅନୁଷ୍ଠିତ ହେବାକୁ ଥିବା ନୌସେନା ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ । ଅପରାହ୍ନ ୪ଟା ୮ରେ ମହାମହୀମ ବ୍ଲୁଫ୍ଲାଗ୍ ବେଳାଭୂମିରେ ପହଞ୍ଚି ନୌସେନା ଦିବସ କାର୍ଯ୍ୟକ୍ରମରେ ଯୋଗଦେବେ ।
ମହାମହୀମଙ୍କ ସମ୍ମୁଖରେ ନିଜ ବୀରତ୍ବର ପରାକାଷ୍ଠା ଦେଖାଇବେ ନୌସେନା ଅଧିକାରୀ। ଜଳପଥ, ଆକାଶପଥ ଓ ବେଳାଭୂମି ବାଲିରେ ନିଜର ରଣକୌଶଳ ତଥା ପରିକ୍ରମା ଦେଖାଇବେ ବୀର ଜବାନ୍ ମାନେ । ସ୍ୱତନ୍ତ୍ର ତାଲିମ୍ ପ୍ରାପ୍ତ ମାର୍କୋସ୍ ଟିମ୍ ମଧ୍ୟ ନିଜର ଜଲୱା ଦେଖାଇବା ସହ ବାହ୍ୟ ଆକ୍ରମଣକାରୀଙ୍କୁ ଚିତପଟାଙ୍ଗ୍ କରିବାର ଦୃଶ୍ୟ ମହାମହୀମଙ୍କ ସମ୍ମୁଖରେ ଉପସ୍ଥାପନ କରିବେ । ତେବେ ସମୁଦାୟ ୧୫ଟି ଯୁଦ୍ଧ ଜାହାଜ ସମେତ ୪୦ରୁ ଉର୍ଦ୍ଧ୍ବ ଏୟାରକ୍ରାପ୍ଟ ନିଜନିଜର ଶକ୍ତି ପ୍ରଦର୍ଶନ କରିଵେ । ବ୍ଲୁଫ୍ଲାଗ୍ ବେଳାଭୂମିରେ ରାଷ୍ଟ୍ରପତିଙ୍କ ସମେତ ପ୍ରତିରକ୍ଷା ମନ୍ତ୍ରୀ ଓ ଅନ୍ୟାନ୍ୟ ମନ୍ତ୍ରୀ ମାନେ ଯୋଗଦେବାର କାର୍ଯ୍ୟକ୍ରମ ଥିବାବେଳେ ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ସମେତ ସମସ୍ତ ବିଧାୟକ ମାନେ ମଧ୍ୟ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।
ସେଠାରେ ପ୍ରାୟ ଦେଢଘଣ୍ଟାରୁ ଉର୍ଦ୍ଧ୍ବ ଅର୍ଥାତ ୫ଟା ୪୫ରେ ବ୍ଲୁଫ୍ଲାଗ୍ ବେଳାଭୂମି ଛାଡିବାର କାର୍ଯ୍ୟକ୍ରମ ରହିଛି । ବ୍ଲୁଫ୍ଲାଗ୍ ବେଳାଭୂମିରୁ ପ୍ରତ୍ୟାବର୍ତ୍ତନ କରି ମହାମହୀମ ସିଧାସଳଖ ରାଜଭବନ ଅଭିମୁଖେ ବାହାରି ରାତ୍ରଭୋଜନ ଗ୍ରହଣ କରିବା ସହ ସେଠାରେ ରାତ୍ରିଯାପନ କରିବେ। ପରଦିନ ଅର୍ଥାତ 5 ତାରିଖରେ ମହାମହୀମ ସକାଳ ୧୦ଟା ୦୫ରେ ସମଙ୍ଗ ହେଲିପ୍ୟାଡରୁ ସ୍ୱତନ୍ତ୍ର ବିମାନ ଯୋଗ ବାହାରି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି ।
ସେପଟେ ମହାମହୀମ ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ପ୍ରାୟ ୯୫ ପ୍ଲାଟୁନ ପୋଲିସ ଫୋର୍ସ ସମ୍ପୂର୍ଣ୍ଣ ଶ୍ରୀକ୍ଷେତ୍ରରେ ମୁତୟନ ହେବାକୁ ଥିବାବେଳେ ଟ୍ରାଫିକ ପାଇଁ ମଧ୍ୟ କଟକଣା ଜାରି କରାଯାଇଛି ।
ସେପଟେ ରାଷ୍ଟ୍ରପତିଙ୍କ ପୁରୀ ଗସ୍ତ ପୂର୍ବରୁ ଆଜି କାରକେଡ୍ ରିହରସଲ୍ କରାଯାଇଛି। ଯେଉଁ ଯେଉଁ ବାଟଦେଇ ମହାମହୀମ ରାଷ୍ଟ୍ରପତି ଯିବେ ସେହିବାଟରେ ତାଙ୍କ କାରକେଡ୍ ରିହରସଲ୍ କରାଯାଇଛି । ବ୍ଲୁ ବୁକ୍ ସିକ୍ୟୁରିଟି ଅନୁଯାୟୀ ରାଷ୍ଟ୍ରପତିଙ୍କ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା ବେଳେ ଆଜି ପ୍ରଥମେ କାରକେଡ୍ ସମଙ୍ଗ ସ୍ଥିତ ହେଲିପ୍ୟାଡରେ ପହଞ୍ଚି ପରେ ଶ୍ରୀସେତୁ ଦେଇ ଜଗନ୍ନାଥ ବଲ୍ଲଭ ପିଲଗ୍ରୀମ ସେଣ୍ଟର ଓ ପରେ ଶ୍ରୀଦାଣ୍ଡ ଦେଇ କାରକେଡ୍ ସିଧାସଳଖ ଶ୍ରୀମନ୍ଦିର ଅଭିମୁଖେ ଆସିଥିଲେ । ଶ୍ରୀମନ୍ଦିର ନିକଟରେ ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଥିଲେ କେନ୍ଦ୍ରାଞ୍ଚଳ ଡିଆଇଜି ଚରଣ ସିଂହ ମୀନା ଓ ଏସପି ବିନୀତ ଅଗ୍ରବାଲ୍ ।
ରାଷ୍ଟ୍ରପତି ପଦବୀରେ ଅଳଙ୍କୃତ ହେବାପରେ ଦ୍ରୋପର୍ଦୀ ମୁର୍ମୁଙ୍କ ଏହା ପୁରୀକୁ ତୃତୀୟ ଗସ୍ତ ହୋଇଥିବା ବେଳେ ନୌବୀରଙ୍କ ରଣକୌଶଳ ବା ପରାକ୍ରମ ଖୋଦ୍ ଦେଖିବେ ତିନି ସେନାର ମୁଖ୍ୟ ମହାମହୀମ । ସେପଟେ ଆଉ କିଛି ଘଣ୍ଟା ପରେ ପୁରୀ ବେଳାଭୂମିରେ ରଣଭୂମିର ଭ୍ରମ ସୃଷ୍ଟି ହେବାକୁ ଥିବାବେଳେ ଓଡିଶା ପାଇଁ ଏହା ରହିବ ଏକ ଐତିହାସିକ ମୁହୂର୍ତ୍ତ ।