ପୁରୀ: ଏବେ ପବିତ୍ର ପୁରୀ ସହରରେ ମହାପ୍ରଭୁଙ୍କ ଘୋଷଯାତ୍ରା ଜାରି ରହିଛି । ଏହି ଅବସରରେ ପୁରୀକୁ ନେଇ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ପୁରୀ ପୌରପାଳିକାକୁ ମହାନଗର ନିଗମ କରାଯିବ ବୋଲି ଆଜି କହିଛନ୍ତି ମୁଖ୍ୟମନ୍ତ୍ରୀ । ସେ କହିଛନ୍ତି ଯେ, ପୁରୀ ସହରକୁ ନୂଆ ଢାଞ୍ଚାର ଆବଶ୍ୟକତା ରହିଛି । କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟା ଓ ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି ।
ସେ ଆହୁରି କହିଛନ୍ତି, ମୁଁ ବ୍ୟକ୍ତିଗତ ଭାବେ ପୂର୍ବରୁ ଅନୁଭବ କରିଛି ଯେ, କୌଣସି ନା କୌଣସି କାରଣରୁ ବର୍ତ୍ତମାନର ପୁରୀ ପୌରପାଳିକା ଉଭୟ ଭକ୍ତ ଏବଂ ସହରବାସୀଙ୍କୁ ମୌଳିକ ସୁବିଧା ଯୋଗାଇବାରେ ଅସମର୍ଥ ହୋଇଛି । ଏହି ଲକ୍ଷ୍ୟ ହାସଲ କରିବା ପାଇଁ ସ୍ଥାନୀୟ ସ୍ଵାୟତ୍ତ ଶାସନ ପଦ୍ଧତିରେ ସଂସ୍କାର ଆଣିବାକୁ ପଡିବ । ବିଭିନ୍ନ ବିକାଶମୂଳକ କାର୍ଯ୍ୟକୁ ତଦାରଖ, ପୁନର୍ବିନ୍ୟାସ ଏବଂ ରକ୍ଷଣାବେକ୍ଷଣ କରିବା ପାଇଁ ନୂତନ ଢାଞ୍ଚାର ଆବଶ୍ୟକତା ରହିଛି । କ୍ରମ ବର୍ଦ୍ଧିଷ୍ଣୁ ଜନସଂଖ୍ୟା ସହିତ ବର୍ଷସାରା ସହରକୁ ଆସୁଥିବା ଭକ୍ତ ଏବଂ ପର୍ଯ୍ୟଟକଙ୍କୁ ଗୁଣାତ୍ମକ ସୁବିଧା ଯୋଗାଇବା ପାଇଁ ଆମ ସରକାର ପୁରୀ ପୌରପାଳିକାକୁ ମହାନଗର ନିଗମରେ ପରିଣତ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରିଛନ୍ତି ।
ପୁରୀ ସହର ଏବଂ ଆଖପାଖ ଅବସ୍ଥିତ ଗ୍ରାମ ପଞ୍ଚାଯତକୁ ସାମିଲ କରି ପୁରୀ ମହାନଗର ନିଗମ ଗଠିତ ହେବ । ଏହା ଦ୍ଵାରା ପୁରୀ ସଦର ଏବଂ ବ୍ରହ୍ମଗିରି ବ୍ଲକର ପ୍ରାୟ ସାତରୁ ଆଠଗୋଟି ଗ୍ରାମ ପଞ୍ଚାୟତକୁ ସାମିଲ କରାଯିବ, ଯାହା ଫଳରେ ଏହି ପଞ୍ଚାୟତବାସୀ ସହର ପରି ସୁବିଧା ପାଇ ପାରିବେ । ଆସନ୍ତାକାଲି ଠାରୁ ଏହି ସମ୍ବନ୍ଧୀୟ ସମସ୍ତ ପ୍ରକ୍ରିୟା ଆରମ୍ଭ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ଏହା ସହ ପୁରୀ ଠାରେ ଏକ ବିଶ୍ଵ ସ୍ତରୀୟ ଶ୍ରୀଜଗନ୍ନାଥ ମ୍ୟୁଜିୟମ, ଲାଇବ୍ରେରୀ ଏବଂ ଗବେଷଣା କେନ୍ଦ୍ର ପ୍ରତିଷ୍ଠା କରିବାକୁ ନିଷ୍ଫତ୍ତି ହୋଇଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ । ଗୋଟିଏ ପରିସରରେ ଏହା ନିର୍ମିତ ହେବ । ଶ୍ରୀଜଗନ୍ନାଥ ସଂଗ୍ରହାଳୟରେ ଜଗନ୍ନାଥ ସଂସ୍କୃତି ଓ ଇତିହାସ ଯେପରିକି ଏହାର ପୌରାଣିକ ମହତ୍ତ୍ଵ, ନୀଳମାଧବଙ୍କ ଠାରୁ ମନ୍ଦିର ନିର୍ମାଣର ଇତିହାସ, ବିଗ୍ରହ ପ୍ରତିଷ୍ଠା, କାଞ୍ଚି ବିଜୟ, ଯାନିଯାତ୍ରା, ମନ୍ଦିର ରୀତିନୀତି, ଭକ୍ତ ଏବଂ ଭଗବାନଙ୍କ ମଧ୍ୟରେ ଭାବାବେଗ ଇତ୍ୟାଦି ପ୍ରଦର୍ଶିତ ହେବ । ଏହି ସବୁ ଘଟଣାବଳୀକୁ ବିଭିନ୍ନ ଚିତ୍ରକଳା, miniature ପ୍ରତିମୂର୍ତ୍ତି, ପଟ୍ଟଚିତ୍ର ଇତ୍ୟାଦି ମଧ୍ୟମରେ ପ୍ରଦର୍ଶିତ କରାଯାଇପାରିବ ।
ସେହିପରି ଏହି ପରିସରରେ ଏକ ପୁସ୍ତକାଗାର ଏବଂ ଜଗନ୍ନାଥ ସଂସ୍କୃତି ଗବେଷଣା କେନ୍ଦ୍ର ସ୍ଥାପିତ କରାଯିବ । ଏହି ପୁସ୍ତକାଗାରରେ ଜଗନ୍ନାଥ ସଂସ୍କୃତି ସହିତ ଓଡିଆ ସଂସ୍କୃତି ଓ ପରମ୍ପରା ସମ୍ବନ୍ଧୀୟ ପୁସ୍ତକ ବି ରହିବ । ଏହି ପୁସ୍ତକାଗାରରେ ଇ-ଲାଇବ୍ରେରୀର ସୁବିଧା ପ୍ରଦାନ କରାଯିବ ଏବଂ ପାଠକମାନେ ଇ-ଲାଇବ୍ରେରୀ ମଧ୍ୟମରେ ସବୁ ପ୍ରକାର ପଠନ ସାମଗ୍ରୀ ପାଇ ପାରିବେ । ଜଗନ୍ନାଥ ସଂସ୍କୃତି ଏବଂ ସାହିତ୍ୟକୁ ଋଦ୍ଧିମନ୍ତ କରିବା ପାଇଁ ଏହା ନିଶ୍ଚିତ ଭାବେ ସାହାଯ୍ୟ କରିବ ।
ଏଥି ସହିତ ଏହି ପରିସରରେ ପ୍ରାୟ ୩୦୦ ଆସନ ବିଶିଷ୍ଟ ଏକ ପ୍ରେକ୍ଷାଳୟ (ଅଡିଟରିଅମ) ନିର୍ମାଣ କରାଯିବ । ଏହି ଅଡିଟରିଅମରେ ପ୍ରତିଦିନ ଲାଇଟ୍ ଓ ସାଉଣ୍ଡ ଶୋ ପ୍ରସ୍ତୁତ କରାଯିବ । ଜଗନ୍ନାଥ ମନ୍ଦିର ଏବଂ ଠାକୁରଙ୍କୁ ନେଇ ଅନେକ କାହାଣୀ, ଅନେକ ପ୍ରସଙ୍ଗ ରହିଛି । ଏହି ସବୁ ପ୍ରସଙ୍ଗକୁ ବିଭିନ୍ନ ଅଧ୍ୟାୟରେ ବିଭାଜନ କରି ଗୋଟିଏ ଗୋଟିଏ ଅଧ୍ୟାୟ (ଏପିସୋଡ) ପ୍ରସ୍ତୁତ କରି ବିଭିନ୍ନ ଭାଷା ଯେପରିକି ଓଡିଆ, ହିନ୍ଦୀ, ଇଂରେଜୀ ଏବଂ ବଙ୍ଗାଳୀ ଭାଷାରେ ପ୍ରସ୍ତୁତ କରାଯାଇ ପ୍ରଦର୍ଶିତ କରାଯିବ । ତା’ ଛଡା ଏହି ପରିସର ମଧ୍ୟରେ ଏକ ମୁକ୍ତାକାଶ ରଙ୍ଗମଞ୍ଚ ବି ନିର୍ମିତ ହେବ ଯେଉଁଠି ରାଜ୍ୟର କଳାକାର ଏବଂ ସାଂସ୍କୃତିକ ଅନୁଷ୍ଠାନ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇପାରିବ ।
ଏହି ପ୍ରକଳ୍ପ ଜଗନ୍ନାଥ ସଂସ୍କୃତି, ପରମ୍ପରା ଏବଂ ସାହିତ୍ୟକୁ ସୁଦୃଢ ଏବଂ ପରିପୁଷ୍ଟ କରିବା ସହିତ ପୁରୀ ଜଗନ୍ନାଥ ଧାମକୁ ଆସୁଥିବା ହଜାର ହଜାର ପର୍ଯ୍ୟଟକଙ୍କ ପାଇଁ ଉତ୍କୃଷ୍ଟ ସମୟ ବ୍ୟତୀତ କରିବା ପାଇଁ ସୁଯୋଗ ପ୍ରଦାନ କରିବ । ଏହା ପୁରୀକୁ ଦେଶର ପର୍ଯ୍ୟଟନ ମାନଚିତ୍ରରେ ଏକ ସ୍ଵତନ୍ତ୍ର ସ୍ଥାନ ଦେବାରେ ସହାୟକ ହେବ ।
ଡିଜିଟାଲ ଭରତର ଆଶା କରୁଛି, ଜଗନ୍ନାଥପ୍ରେମୀଗଣ ଏହି ବ୍ୟବସ୍ଥାର ସୁବିଧା ନେବେ ଏବଂ ଜଗନ୍ନାଥଙ୍କ ପ୍ରତି ନିଜ ନିଜର ସମର୍ପଣ ସୁବିଧାରେ ଦେଇ ପାରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
Comments are closed.