ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ସଚେତନତା ଓ ସ୍ଥାନାନ୍ତରଣ ପ୍ରକ୍ରିୟା ଜୋରଦାର
ପୁରୀ: ସମ୍ଭାବ୍ୟ ବାତ୍ୟା ଏବଂ ପ୍ରବଳ ବର୍ଷାର ମୁକାବିଲା କରିବା ସହ ‘ଶୂନ୍ୟ ଜୀବନହାନୀ’ ଲକ୍ଷ୍ୟକୁ ସାକାର କରିବା ପାଇଁ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ତ୍ୱରିତ ପଦକ୍ଷେପ ଗ୍ରହଣ କରାଯାଉଛି । ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବିଭିନ୍ନ ତଳିଆ ତଥା ବିପଦସଙ୍କୁଳ ଅଞ୍ଚଳରେ ପ୍ରଶାସନିକ ଅଧିକାରୀ ଏବଂ କ୍ଷେତ୍ରସ୍ତରୀୟ କର୍ମଚାରୀମାନେ ଘରକୁ ଘର ବୁଲି ଲୋକମାନଙ୍କୁ ସଚେତନ କରିବା ସହ ସୁରକ୍ଷିତ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରୁଛନ୍ତି।
ପ୍ରଶାସନିକ ଅଧିକାରୀମାନେ କଚ୍ଚା ଓ ଚାଳ ଘରେ ବସବାସ କରୁଥିବା ପରିବାର, ବିଶେଷ କରି ମହିଳା, ଶିଶୁ ଏବଂ ବୟସ୍କ ବ୍ୟକ୍ତିମାନଙ୍କୁ ଭେଟି ବାତ୍ୟା ଆଶ୍ରୟସ୍ଥଳୀକୁ ଯିବା ପାଇଁ ବୁଝାସୁଝା କରୁଛନ୍ତି। ଆଶ୍ରୟସ୍ଥଳୀଗୁଡ଼ିକରେ ପ୍ରଶାସନ ଓ ସ୍ଥାନୀୟ ଲୋକପ୍ରତିନିଧିମାନଙ୍କ ସହଯୋଗରେ ରନ୍ଧାଖାଦ୍ୟ ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ସୁବିଧା ଯୋଗାଇ ଦିଆଯାଉଥିବା ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ କରାଯାଇଛି। ଏହା ସହିତ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ କ୍ଷେତ୍ର କର୍ମଚାରୀମାନେ ଡାକବାଜି ଯନ୍ତ୍ର ସାହାଯ୍ୟରେ ବିଭିନ୍ନ ଗ୍ରାମ ଓ ସାହିରେ ବୁଲି ଜନସାଧାରଣଙ୍କୁ ସତର୍କ କରାଉଛନ୍ତି।
ପ୍ରଚାର ମାଧ୍ୟମରେ ଲୋକମାନଙ୍କୁ ଅତି ଆବଶ୍ୟକ ନହେଲେ ଘରୁ ବାହାରକୁ ନ ବାହାରିବା, ଝରକା ଓ କବାଟଠାରୁ ଦୂରେଇ ରହିବା ଏବଂ କଚ୍ଚା ଘରେ ନ ରହି ତୁରନ୍ତ ନିକଟସ୍ଥ ବାତ୍ୟା ଆଶ୍ରୟସ୍ଥଳୀକୁ ଚାଲିଯିବା ପାଇଁ ପରାମର୍ଶ ଦିଆଯାଉଛି। ଏଥିସହ ବିଦ୍ୟୁତ୍ ଜନିତ ବିପଦରୁ ଦୂରେଇ ରହିବା ଏବଂ ଜରୁରୀ ସାମଗ୍ରୀ ନିଜ ପାଖରେ ପ୍ରସ୍ତୁତ ରଖିବାକୁ ମଧ୍ୟ ସଚେତନ କରାଯାଉଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ବ୍ଲକ ଓ ପୌରାଞ୍ଚଳରେ ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖାଯାଇଛି ଏବଂ ଜନସାଧାରଣଙ୍କୁ ପ୍ରଶାସନର ନିର୍ଦ୍ଦେଶାବଳୀ ମାନି ସହଯୋଗ କରିବାକୁ ନିବେଦନ କରାଯାଇଛି।
