Latest Odisha News

BREAKING NEWS

ସମ୍ଭାବ୍ୟ ବାତ୍ୟା ପାଇଁ ପୁରୀ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି, ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ

ପୁରୀ : ବଙ୍ଗୋପସାଗରରେ ମାଡି ଆସୁଛି ବାତ୍ୟା ଜଓ୍ବାଦ । ଏହା ପୂର୍ବରୁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତିକୁ ଜୋରଦାର କରାଯାଇଛି । ବାତ୍ୟା ଜଓ୍ବାଦ ପୁରୀରେ ଲ୍ୟାଣ୍ଡଫଲ କରିବାର ସମ୍ଭାବନା ଥିବାରୁ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ବୈଠକ କରାଯାଇଛି । ଜିଲ୍ଲାରେ ଥିବା ୧୭୦ଟି ବହୁମୁଖୀ ବାତ୍ୟା, ବନ୍ୟା ଓ ପ୍ରାୟ ୪୦୦ଟି ସ୍କୁଲ ଓ କମ୍ୟୁନିଟି ହଲରେ ଅସ୍ଥାୟୀ ଆଶ୍ରୟସ୍ଥଳୀ ପ୍ରସ୍ତୁତ ହୋଇ ରହିଛି । ସମସ୍ତ ଆଶ୍ରୟସ୍ଥଳୀରେ ସାନିଟାଇଜର, ମାସ୍କ, ପାନୀୟ ଜଳ, ଆଲୋକ ଓ ଜେନେରେଟର ବ୍ୟବସ୍ଥା କରାଯାଇଛି । ଚୁଡା, ଗୁଡ, ବିସ୍କୁଟ ଆଦି ଶୁଖିଲା ଖାଦ୍ୟ ସହ ପାନୀୟ ଜଳ, ଔଷଧ, ଗୋଖାଦ୍ୟ ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ରହିଛି । ଆବଶ୍ୟକ ସ୍ଥଳେ ନିରବଚ୍ଛିନ୍ନ ଯୋଗାଯୋଗ ପାଇଁ ଅଗ୍ନିଶମ, ବିଦ୍ୟୁତ, ଗ୍ରାମ୍ୟ ଉନ୍ନୟନ, ପୂର୍ତ୍ତ ବିଭାଗ ଓ ଡାକ୍ତରୀ ଦଳ ପ୍ରସ୍ତୁତ ହୋଇ ରହିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।

ଜିଲ୍ଲାରେ ଜରୁରୀକାଳୀନ ସେବା ଯେପରି ଅବ୍ୟାହତ ରହିବ, ସେଥିପାଇଁ ସଜାଗ ରହିବାକୁ ବିଭାଗୀୟ ଅଧିକାରୀଙ୍କୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି । ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କ ରବିବାର ଛୁଟି ମଧ୍ୟ ବାତିଲ କରାଯାଇଛି । ପ୍ରତି ବ୍ଲକରେ ନିୟନ୍ତ୍ରଣ କକ୍ଷ କାର୍ଯ୍ୟକ୍ଷମ କରିବ । ଜିଲ୍ଲା ନିୟନ୍ତ୍ରଣ କକ୍ଷ ପାଇଁ ୦୬୭୫୨-୨୨୩୨୩୭ ନମ୍ବର ଜାରି କରାଯାଇଛି । କୃଷ୍ଣପ୍ରସାଦ, ବ୍ରହ୍ମଗିରି, ପୁରୀ ସଦର, ଗୋପ, କାକଟପୁର, ଅସ୍ତରଙ୍ଗ, କଣାସର ୧୫୨ ଜଣ ଆସନ୍ନ ପ୍ରସବା ମାନଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଉଛି । ବୟସ୍କ ବ୍ୟକ୍ତି ଓ ଶିଶୁଙ୍କ ସ୍ବାସ୍ଥ୍ୟ ଓ ଯତ୍ନ ଉପରେ ବୈଠକରେ ଗୁରୁତ୍ବ ଦିଆଯାଇଛି । ଗୃହପାଳିତ ପଶୁଙ୍କୁ ସୁରକ୍ଷିତ ସ୍ଥାନରେ ରଖାଯିବ । ସମସ୍ତ ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳୀରେ କୋଭିଡ ନିୟମ ପାଳନ କରିବାକୁ ପରାମର୍ଶ ଦିଆଯାଇଛି । ତଳିଆ ଅଞ୍ଚଳ, କଚ୍ଚାଘରୁ ଲୋକଙ୍କୁ ସୁରକ୍ଷିତ ଅଞ୍ଚଳକୁ ସ୍ଥାନାନ୍ତରିତ କରିବା ପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା ।

ଜିଲ୍ଲାର ୨୫ ହଜାର ହେକ୍ଟର ଜମିରୁ ଅମଳ ଶସ୍ୟକୁ କ୍ଷେତରୁ ନେଇ ସୁରକ୍ଷିତ ସ୍ଥାନରେ ରଖାଯାଇଛି । ଆବଶ୍ୟକ ପଡିଲେ ଧାନ ସଂଗ୍ରହ କେନ୍ଦ୍ରରେ ଅମଳ ଧାନ ରଖାଯିବ । ଏଥିପାଇଁ ଆବଶ୍ୟକୀୟ ପଲିଥିନ ରଖିବା ପାଇଁ ନିୟନ୍ତ୍ରଣ ବଜାର କମିଟିକୁ କୁହାଯାଇଛି । ପ୍ରବଳ ବର୍ଷା ହେବା ଆଶଙ୍କା ଥିବାରୁ ଏହାର ପରବର୍ତ୍ତି ପରିସ୍ଥିତିର ମୁକାବିଲା ଏବଂ କ୍ଷୟକ୍ଷତି ରିପୋର୍ଟ ସଠିକ ଭାବେ ପ୍ରଦାନ କରିବାକୁ ଅଧିକାରୀଙ୍କୁ କୁହାଯାଇଛି । ସେହିପରି ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି ।

Leave A Reply

Your email address will not be published.