Latest Odisha News

BREAKING NEWS

ରାତି ପାହିଲେ ଶ୍ରୀଜୀଉଙ୍କ ନାଗାର୍ଜୁନ ବେଶ: ପୁରୀରେ ଲାଗୁ ହେଲା ୧୪୪ ଧାରା

ପୁରୀ: ରାତି ପାହିଲେ ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ହେବ ଅଲୌକିକ ନାଗାର୍ଜୁନ ବେଶ । ଦୀର୍ଘ ୨୬ ବର୍ଷ ପରେ ମହାପ୍ରଭୁଙ୍କ ଏହି ବେଶ ଅନୁଷ୍ଠିତ ହେଉଛି ।

ଶୁକ୍ରବାର ଭୋର୍ ୪ ଟା ରୁ ସକାଳ ୭ଟା ଯାଏ ଶ୍ରୀମନ୍ଦିରରେ ଚତୁର୍ଦ୍ଧା ବିଗ୍ରହଙ୍କ ଯୋଦ୍ଧା ବେଶ କରାଯିବ । ହେଲେ କରୋନା କଟକଣା ଯୋଗୁ ଶ୍ରଦ୍ଧାଳୁ ମାନେ ଏହି ବେଶ ଦର୍ଶନ କରିପାରିବେନି । କୋଭିଡ୍ ନିୟମ ଭିତରେ ସେବାୟତ ମାନେ ମନ୍ଦିର ଭିତରକୁ ପ୍ରବେଶ କରିବେ ।ସମସ୍ତ ରୀତିନୀତି ଅନୁସାରେ ମନ୍ଦିରରେ ଏହି ବେଶ ନିର୍ଦ୍ଧାରିତ ସମୟରେ କରାଯିବ ।

ମହାପ୍ରଭୁଙ୍କ ଏହି ଅଲୌକିକ ବେଶକୁ ଆଉ ଜମା କେଇ ମୁହୂର୍ତ୍ତ ବାକି ଥିବା ବେଳେ ପୁରୀ ପ୍ରଶାସନ ଏନେଇ ତତ୍ପରତା ଦେଖାଇଛି। ପୁରୀରେ ଜନ ସମାଗମ ଉପରେ ରୋକ ଲଗାଇବା ନେଇ ୧୪୪ ଧାରା ଜାରି କରାଯାଇଛି।

ଗଣମାଧ୍ୟମକୁ ସୂଚନା ଦେଇ ପୁରୀ ଏସପି କହିଛନ୍ତି ଯେ ରାତ୍ର ୨ ଘଟିକା ଠାରୁ ବେଶ ଓଲାଗି ପର୍ଯ୍ୟନ୍ତ ମର୍ଚ୍ଚିକୋଟ ଛକ, ଜହ୍ନିମୁଣ୍ତିଆ ଛକ, କାକୁଡିଖାଇ, ଧାନକୁଟି ସାହି (ରଘୁନାଥ ଆଶ୍ରମ ନିକଟସ୍ଥ ), ଗାଣ୍ତୁଆ ଚଉରା ଛକ, ଗଡନ୍ତି ଛକ, ଦୋଳବେଦି କୋଣଠାରେ ୧୪୪ ଧାରା ଜାରି କରାଯାଇଛି । କେବଳ ନିର୍ଦ୍ଧିଷ୍ଟ ସେବାୟତ, ସରକାରୀ ଅଧିକାରୀ ଓ କର୍ମଚାରୀ, ଜେଟିପିଙ୍କୁ ଉକ୍ତ ଅଞ୍ଚଳରେ ପ୍ରବେଶ ବ୍ୟତୀତ ଅନ୍ୟ କାହାରି ପ୍ରବେଶ ଉପରେ କଟକଣା ଜାରି କରାଯାଇଛି ।

“ସମସ୍ତ ନାଗରିକଙ୍କ ସ୍ୱାସ୍ଥ୍ୟବସ୍ତାକୁ ପ୍ରାଧାନ୍ୟତା ଦେବା ସହ କୋଭିଡ୧୯ ପ୍ରୋଟୋକଲ୍ ଅନୁଯାୟୀ ସମ୍ଭାବ୍ୟ ଜନସମାଗମକୁ ରୋକିବା ପାଇଁ ୨୫ ପ୍ଲାଟୁନ ଫୋର୍ସ ମୁତୟନ କରାଯିବ।

ଏହା ବ୍ୟତୀତ ପୁରୀ ସହରର ସମସ୍ତ ପ୍ରବେଶ ପଥରେ ବାହାର ଲୋକଙ୍କ ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଯାଇଛି। ତେବେ ପ୍ରଭୁଙ୍କ ବେଶା ଓଲାଗୀ ପରେ ଭକ୍ତମାନେ ପତିତପାବନଙ୍କ ଦର୍ଶନ ନିମନ୍ତେ ସିଂହଦ୍ୱାରକୁ ଆସି ପାରିବେ ବୋଲି ଏସପି କହିଛନ୍ତି।

Comments are closed.