Latest Odisha News

ରତ୍ନଭଣ୍ଡାର ପରିଦର୍ଶନ କରି ଫେରିଲେ ଗଜପତି ମହାରାଜ, ଜାଣନ୍ତୁ କ’ଣ କହିଲେ….

ପୁରୀ: ଚାଲିଛି ଅଳଙ୍କାର ସ୍ଥାନାନ୍ତରଣ । ରତ୍ନଭଣ୍ଡାରର ଅଳଙ୍କାର ସ୍ଥାନାନ୍ତରିତ ପ୍ରକ୍ରିୟା ସବୁକୁ ଅନୁଧ୍ୟାନ କରି ବାହାରକୁ ଫେରିଛନ୍ତ ଗଜପତି ମହାରାଜ । ଏହାପରେ ଭିତର ରତ୍ନଭଣ୍ଡାର ସ୍ଥାନାନ୍ତରଣ ନେଇ ସୂଚନା ଦେଇଛନ୍ତି ଗଜପତି ।

ଏନେଇ ଗଜପତି କହିଛନ୍ତି, ଭିତର ରତ୍ନଭଣ୍ଡାରର ଅଳଙ୍କାର ସ୍ଥାନାନ୍ତରଣ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ସଂନ୍ଧ୍ୟା ସୁଦ୍ଧା ଭିତର ରତ୍ନଭଣ୍ଡାର ସ୍ଥାନାନ୍ତରିତ ପ୍ରକ୍ରିୟା ସଂମୂର୍ଣ୍ଣ ହେବା ନେଇ ଆଶା କରାଯାଉଛି । ଏହାସହିତ ବାହାର ରତ୍ନଓ ଅଳଙ୍କାର ସ୍ଥାନାନ୍ତରିତ ହୋଇଥିବା ଫୁଲ ଓ ଚାଙ୍ଗୁଡା ଘର ବି ବୁଲି ଅନୁଧ୍ୟାନ କରିଛନ୍ତି ଗଜପତି । ସବୁ କିଛି ସୁରକ୍ଷିତ ରହିଥିବା ଗଜପତି କହିଛନ୍ତି ।

ସେହିପରି ଭିତର ରତ୍ନଭଣ୍ଡାର ବିଷୟରେ ଗଜପତି କହିଛନ୍ତି, ଭିତର ରତ୍ନଭଣ୍ଡାର ସ୍ଥାନାନ୍ତରଣ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଭିତର ରତ୍ନଭଣ୍ଡାର ପାଇଁ ଖଟଶେଯ ଘରକୁ ଅସ୍ଥାୟୀ ରତ୍ନଭଣ୍ଡାର କରାଯାଇଛି । ଯାହା ପାଇଁ ପୂରା କଡା ସୁରକ୍ଷା ବଳୟ ପ୍ରସ୍ତୁତ ହୋଇଛି । ନିର୍ଦ୍ଧାରିତ ଏସଓପି ଅନୁସାରେ ଏହାମଧ୍ୟରେ ମହାପ୍ରଭୁଙ୍କର ସବୁ ଅଳଙ୍କାର ସ୍ଥାନାନ୍ତରଣ କରାଗଲା ପରେ ଏହା ଜଉମୁଦ କରି ସିଲ୍ କରାଯିବ  । ତାହାର ଚାବି କଲେକ୍ଟରଙ୍କ ଯୋଗେ ଟ୍ରେଜେରୀକୁ ପଠାଯିବ ।

ଏହାସହିତ ଭିତରରତ୍ନଭଣ୍ଡାରର ସବୁ କିଛି ସ୍ଥାନାନ୍ତରଣ କରିବା ପରେ ଏହାକୁ ହାଇ ଟେକନୋଲୋଜି ଅନୁଯାୟୀ ତା ଭିତର ତନତନ କରି ଯାଞ୍ଚ କରାଯିବ  । ଯେତେବେଳେ ପ୍ରଶାସନ ଏହି ନିଷ୍ପତ୍ତିରେ ପହଞ୍ଚିବ ଯେ ଏହା ଭିତରେ ଆଉ କିଛି ନାହିଁ । ସେତେବେଳେ ଏଏସଆଇକୁ ଉଭୟ ରତ୍ନଭଣ୍ଡାର ହସ୍ତାନ୍ତର କରାଯିବ  । ଏହାପରେ ସେମାନେ ତହାର ମରାମତି କାର୍ଯ୍ୟ କରିବେ ।

ସେପଟେ ମହାପ୍ରଭୁଙ୍କ ଆସନ୍ତାକାଲି ନିଳାଦ୍ରିବିଜେ । ମରାମତି ବେଳେ ଯେପରି ନୀତିକାନ୍ତି ଓ ଦର୍ଶନ ଉଭୟ ପ୍ରଭାବିତ ନହେବ ତାହା ଉପରେ ଗୁରୁତ୍ବ ଦିଆଯିବ । ଏ ସଂପର୍କରେ ଅନୁଧ୍ୟାନ କରି ମୁଖ୍ୟ ପ୍ରଶାସକ ମରାମତି ସମୟ ନିର୍ଦ୍ଧାରଣ କରିବେ । ମୁଖ୍ୟ ପ୍ରଶାସକଙ୍କ ନିର୍ଦ୍ଧାରିତ ସମୟରେ ଏଏସ୍‌ଆଇ ମରାମତି କାର୍ଯ୍ୟ ଆରମ୍ଭ କରିବ ।

ଏହାସହିତ ରତ୍ନଭଣ୍ଡାରର ମରାମତି ନିହାତି ଆବଶ୍ୟକ ବୋଲି କହିଛନ୍ତି ଗଜପତି । ସେ କହିଛନ୍ତି, କେଉଁ କାଳରୁ କେବେ ମରାମତି ହୋଇଥିଲା, ତାହା କେହି ଜାଣିନାହାନ୍ତି । ୧୯୭୧ରୁ ଏଏସ୍‌ଆଇ ଦାୟିତ୍ବ ନେବା ପରେ ଆଦୌ ମରାମତି ହୋଇନି । ତେଣୁ ରତ୍ନଭଣ୍ଡାର ସଂପୂର୍ଣ୍ଣ ଖାଲି ହେଲା ପରେ ଏହାର ଲେଜର ସ୍କାନିଂ କରାଯିବ । ଉଭୟ ବାହାର ଓ ଭିତର ରତ୍ନଭଣ୍ଡାର ଆଗ ମରାମତି କରାଯିବ । ମରାମତି କାର୍ଯ୍ୟ ଶେଷ ହେଲା ପରେ ଅଳଙ୍କାର ଗଣତି, ମଣତି ହେବ ହେବ । ଏଥିପାଇଁ ସମୟ ଲାଗିଲେ ମଧ୍ୟ ମରାମତି ସରିଲା ପରେ ରତ୍ନଭଣ୍ଡାରମଧ୍ୟକୁ ଅଳଙ୍କାର ପୁନଃ ନିଆାଯାଇ ଗଣତିମଣତି କରାଯିବ । ଯେପର୍ଯ୍ୟନ୍ତ ମରାମତି ସଂପୂର୍ଣ୍ଣ ନସରିଛି ସେବେଯାଏଁ ଗଣତି, ମଣତି କରାଯିବନାହିଁ । ଏହାସହିତ ତଦାରଖ କମିଟି ଓ ପରିଚାଳନା କମିଟି ଉପସ୍ଥିତିରେ ଗଣତି, ମଣତି କରାଯିବ ବୋଲି ଗଜପତି କହିଛନ୍ତି ।

ସେପଟେ ରତ୍ନଭଣ୍ଡାରରେ ସୁଡ଼ଙ୍ଗ ଥିବା ଆଲୋଚନା ନେଇ ଗଜପତି କହିଛନ୍ତି, ସୁଡ଼ଙ୍ଗ ବା ଗୁପ୍ତ ଦ୍ବାର କିଛି ଅଛି କି ନାହିଁ , ତାହା ଏଏସ୍‌ଆଇ ଅନୁଧ୍ୟାନ ପରେ ଜଣାପଡିବ । ଏଏସ୍‌ଆଇ ଲେଜର ସ୍କାନିଂ କରି ସୁଡ଼ଙ୍ଗ ଅଛି କି ନାହିଁ ଦେଖିବ ।

Comments are closed.