Latest Odisha News

BREAKING NEWS

ଭକ୍ତି, ପରମ୍ପରା ଓ ସଂସ୍କୃତିର ପ୍ରତୀକ ସାହି ଯାତ

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଧାମ ପୁରୀ ସର୍ବଦା ଚଳଚଂଚଳ ରହିଥାଏ । ଚୈତ୍ର ଶୁକ୍ଳ ଅଷ୍ଟମୀରୁ ବୈଶଖା କୃଷ୍ଣ ଦ୍ୱିତୀୟା ପର୍ଯ୍ୟନ୍ତ ପୁରୀରେ ଦେବ ଓ ଦାନବର ଜୀବନ୍ତ ଚିତ୍ର ଦେଖିବେ ଭକ୍ତମାନେ । ସାହି ଯାତ ପୁରୀର ପରିଚୟ । ଶ୍ରୀକ୍ଷେତ୍ରର ୭ ସାହି ଆଖଡା ଏଥିପାଇଁ ସମସ୍ତ ପ୍ରସ୍ତୁତି କରିଥାନ୍ତି । ଏହା ଶୌର୍ଯ୍ୟ ଓ ଭକ୍ତିର ଏକ ଜ୍ୱଳନ୍ତ ଉଦାହରଣ । ଏଠି ରାବଣ, ନଶୀରା, ସପ୍ତଶୀରା ଠାରୁ ଆରମ୍ଭ କରି ଅନେକ ଦାନବରୂପୀ ବିଭିନ୍ନ ସାହିରେ ଘୁରି ବୁଲିବେ…ଆଉ ସେମାନଙ୍କ ଦମନ ପାଇଁ ମହାପ୍ରଭୁ ଶ୍ରୀରାମ, ଲକ୍ଷ୍ମଣ, ହନୁମାନ, ନାଗା, ନୃସିଂହ ଓ ମେଢ଼ମାନଙ୍କ ଆଗମନ ହେବ । ସତ ନ ଥିଲେ ମଧ୍ୟ ଏହା ଏକ ସତ୍ୟତାର ବାତାବରଣ ସୃଷ୍ଟି କରିବ । ପୁରୀ ପାଲଟିଯିବ ଅଯୋଧ୍ୟା ଓ ଲଙ୍କାର ଏକ ମିଳନ ସ୍ଥଳୀ । ହଁ ପୁରୀ ସାହି ଯାତରେ ଏହା ହେଉଛି ନିଆରା ଶୈଳୀ । ଏଠି ଶ୍ରୀରାମଙ୍କ କଥା ଛାଡ ରାବଣ ବି ପୂଜା ପାଇବ ଓ ଶିବ ତାଣ୍ଡବରେ ନାଚିିବ । ଲୋକକଳା, ଲୋକନୃତ୍ୟ, ଲୋକଗୀତ ଓ ଲୋକବାଦ୍ୟରେ ପୁରୀ ଗୁଂଜୁରି ଉଠିବ । ଶ୍ରୀରାମ ନବମୀଠାରୁ ଶ୍ରୀମନ୍ଦିରରେ ସନ୍ଧ୍ୟା ଧୂପ ଶେଷ ହେବା ପରେ ଆଜ୍ଞାମାଳ ପାଇ ରାମ ଓ ଲକ୍ଷ୍ମଣ ଚଳନ୍ତି ବିଗ୍ରହ ପାଲଙ୍କିରେ ବିଜେ ହୋଇ ଜଗନ୍ନାଥ ବଲ୍ଲବ ମଠକୁ ଯାଇଥାନ୍ତି ।

ଆଉ ସେଠାରେ ଯଜ୍ଞରକ୍ଷା, ଶିବଧନୁ ଭଙ୍ଗ, ସୀତା ବିବାହ, ପର୍ଶୁରାମ ଲୀଲା, ବନବାସ ଲୀଳା, ମାୟାମୃଗ ଲୀଲା, ଲଙ୍କାପୋଡି ଓ ରାବଣ ବଧ କାର‌୍ୟ୍ୟ ସମ୍ପନ୍ନ ହୋଇଥାଏ । କାଳିକାଦେବୀ ସାହି ଶ୍ରୀରାମ ଜନ୍ମ ନୀତି ପାଳନ କରିଥାଏ । ଶ୍ରୀରାମ ନବମୀ ଦିନ ପ୍ରଭୂଙ୍କ ନୀତିରେ ସାମିଲ ହେବା ପରେ ଦକ୍ଷିଣକାଳୀଙ୍କଠାରୁ ଏହି ଆଖଡାର ନିଶାଣ ବାହାରେ । ଏହା ମିତ୍ର ସାହି ବା ବାଦି ସାହି ମାଟିମଣ୍ଡପ ସାହି ପରିକ୍ରମା କରିଥାଏ । ମାଟିମଣ୍ଡପ ସାହିର କୌଣସି ନୀତି ନାହିଁ । ସେହିପରି ହରଚଣ୍ଡୀ ଆଖଡାର ଆକର୍ଷଣ ହେଉଛନ୍ତି ପର୍ଶୁରାମ । ଚୈତ୍ର ଶୁକ୍ଲ ଦ୍ୱାଦଶୀରେ ମାର୍କଣ୍ଡେଶ୍ୱର ସାହି ବନବାସ ନୀତି କରିଥାଏ । ଶ୍ରୀରାମ, ଲକ୍ଷ୍ମଣ, ସୀତା, ବିଶ୍ୱାମିତ୍ର, ଶବର ଏବଂ ଡଗରକୁ ନେଇ ପଟୁଆର ବାହାରିଥାଏ । କୁଣ୍ଢେଇବେଂଟ ସାହି ପକ୍ଷରୁ ମାୟାମୃଗ ପ୍ରସ୍ତାବ ଆଗତ ହୋଇଥାଏ । ଶ୍ରୀରାମ, ଲକ୍ଷ୍ମଣ, ସୀତା, ହନୁମାନ ଓ ମାୟା ରାବଣ ବାହାରି ସାତାଚୋରୀ ନୀତିରେ ସାମିଲ ହୋଇଥାନ୍ତି । ଦୋଳମଣ୍ଡପ ସାହି ଆଖଡା ଲଙ୍କପୋଡି ନୀତି ପାଳିଥିବା ବେଳେ ବାଲି ସାହି ଆଖଡା ସେତୁ ବନ୍ଧ ପ୍ରତିଷ୍ଠା ଓ ରାବଣ ବଧ ଲୀଲା ସମ୍ପନ୍ନ ହୋଇଥାଏ । ଏହାର ମୂଖ୍ୟ ଆକର୍ଷଣ ରାବଣ ।

ଶେଷରେ ଗୌଡବାଡ ସାହି ପକ୍ଷରୁ ରାମାଭିଷେକ କାର୍ଯ୍ୟ ସମ୍ପାଦିତ ହୋଇଥାଏ । ଲୋକକଥା ଅନୁସାରେ ପର୍ବେ ଶ୍ରୀମନ୍ଦିର ପ୍ରତି ବାରମ୍ବାର ଆକ୍ରମଣ ହେଉଥିଲା । ସେ ସମୟରେ ମେଘନାଦ ପାଚେରୀ ନିର୍ମାଣ ହୋଇ ନ ଥିଲା । ପୁରୀ ରାଜା ଚୋଡଗଙ୍ଗ ଦେବ ଜାଗା ସଂସ୍କୃତିକୁ ପ୍ରୋତ୍ସାହିତ କରିଥିଲେ । ଜଗନ୍ନାଥ ମନ୍ଦିର ଚାରିପଟେ ଜାଗା ଘର ନିର୍ମାଣ କରାଯାଇଥିଲା । ଏହା ମାଧ୍ୟମରେ ଯୁବକମାନେ ସେଠାରେ ଶାରୀରିକଚର୍ଯ୍ୟ କରିଥିଲେ । ସେମାନଙ୍କ ମୂଖ୍ୟ କାମ ଥିଲା ମନ୍ଦିର ପ୍ରତି ବିପଦ ଆସିଲେ ସହଯୋଗ କରିବେ । ପାରମ୍ପାରିକ ରୀତି ନୀତି ଅନୁସାରେ ଏବେ ବି ଜାଗା ଘର ସଂସ୍କୃତି ପୁରୀ ସହ ଜଡିତ ହୋଇ ରହିଛି । ସାହି ଯାତ ମାଧ୍ୟମରେ ପୁରୀର ପରମ୍ପରା ସମ୍ପର୍କରେ ଅନ୍ୟମାନେ ମଧ୍ୟ ବହୁତ କିଛି ଜାଣି ପାରିଥାନ୍ତି ।

Leave A Reply

Your email address will not be published.