Latest Odisha News

ଜମିବ ଗୋଷାଣୀ ଯାତ୍ରା, ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି

ପୁରୀ: ପାଖେଇ ଆସୁଛି ଶାରଦୀୟ ଦୁର୍ଗାପୂଜା । ଆଉ କିଛି ଦିନ ପରେ ଧରାପୃଷ୍ଠରେ ଅବତରଣ କରିବେ ଶକ୍ତି ସ୍ବରୂପିଣୀ ମା’ ଦୁର୍ଗା । ଶ୍ରୀକ୍ଷେତ୍ର ପୁରୀରେ ଗୋଷାଣୀ ପୂଜାକୁ ନେଇ ପ୍ରସ୍ତୁତି ଆଗେଇ ଚାଲିଛି । ଶାରଦୀୟ ଦୁର୍ଗାପୂଜାରେ ଦେବୀ ଦୁର୍ଗାଙ୍କୁ ସବୁଆଡ଼େ ଆରାଧନା କରାଯାଉଥିବା ବେଳେ ଶ୍ରୀକ୍ଷେତ୍ରର ସ୍ଥାନୀୟ ପରମ୍ପରା ଅନୁଯାୟୀ ଦେବୀ ଦୁର୍ଗାଙ୍କୁ ଗୋଷାଣୀ ଦେବୀ ରୂପେ ପୂଜାର୍ଚ୍ଚନା କରାଯାଇଥାଏ । ଚଳିତ ବର୍ଷ ମହା ଆଡ଼ମ୍ବରରେ ଗୋଷାଣୀ ପୂଜା କରିବା ଲାଗି ବିଭିନ୍ନ ମଣ୍ଡପ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି ।

ବିଭିନ୍ନ ପୀଠରେ ଦୁର୍ଗା ମାଧବ ଉପାସନା କ୍ରମରେ ଏଠାରେ ଷୋଡଶ ଦିନାତ୍ମକ ପୂଜା ଅନୁଷ୍ଠିତ ହେଉଥିବା ବେଳେ ଜାଗା ଅଖଡା, ସାହି ଓ ମଣ୍ଡପରେ ଷଷ୍ଠୀରୁ ଦଶମୀ ପର୍ଯ୍ୟନ୍ତ ପୂଜା ପାଆନ୍ତି ଗୋଷାଣୀ । ବେଶଭୂଷା ଓ ପୂଜାବିଧି ଅନୁସାରେ ପ୍ରତିବର୍ଷ ସମାନ ଢଙ୍ଗରେ ନିର୍ମାଣ ହୁଏ ଏହି ବିଶାଳକାୟ ମୂର୍ତ୍ତି । ମାଆଙ୍କୁ ଗୋଷାଣୀ ରୂପରେ ପୂଜନ, ଶାକ୍ତ ପୂଜା ବିଧିର ଅଧୀନ ହୋଇଥିବା ବେଳେ ଶ୍ରୀକ୍ଷେତ୍ରର ଅଧିଷ୍ଠାତ୍ରୀ ଦେବୀ ମାଆ ବିମଳାଙ୍କୁ ନେଇ କରାଯାଉଥିବା ଲକ୍ଷ୍ଯ କରାଯାଏ ।

ଶ୍ରୀକ୍ଷେତ୍ରର ସର୍ବବୃହତ ଗୋଶାଣୀ ହେଉଛନ୍ତି ମାଆ ବାରବାଟୀ । ଶ୍ରୀମନ୍ଦିର ସିଂହଦ୍ୱାର ପୂର୍ବଦ୍ୱାର ଠାରୁ ଦକ୍ଷିଣଦ୍ୱାର ଦେଇ  ଲୋକନାଥଙ୍କ ରାସ୍ତାରେ ଗଲାବେଳେ ଟିକେ ବାଆଁକୁ ପଡେ ବାରବାଟୀ ସାହି ଓ ସେହିଠାରେ ବାରବାଟୀ ଜାଗାରେ ପୂଜା ପାଇଥାନ୍ତି ମାଆ ବାରବାଟୀ । ପ୍ରାୟ ୨୦ ରୁ ୨୨ ଫୁଟ ର ଉଚ୍ଚତା ବିଶିଷ୍ଠ ପ୍ରକାଣ୍ଡ ମାଟି ମୂର୍ତ୍ତି ଅନ୍ୟ କେଉଁଠାରେ ଦେଖିବାକୁ ମିଳେନାହିଁ । ମା’ଙ୍କ ପାଖରେ ଆମିଷ ପ୍ରସାଦ ଭୋଗ ଲାଗେ । ଶ୍ରୀମନ୍ଦିର ନୀଳଚକ୍ର ଉପରେ ମହାପ୍ରଭୁଙ୍କର ଏକାଦଶୀ ଦିନ ମହାଦୀପ ଉଠିଲେ ଦେବୀ ମାଆଙ୍କୁ ଶୋଭାଯାତ୍ରାରେ ନିଆଯାଇ ମୂଷାନଦୀର ଦେବୀଘାଟରେ ବିସର୍ଜନ କରାଯାଏ।

ସେହିପରି ଜହ୍ନିଖାଇ ଗୋସାଣୀ ଶ୍ରୀକ୍ଷେତ୍ର ପୁରୀର ଦ୍ୱିତୀୟ ବୃହତ୍ତମ ଗୋସାଣୀ ଅଟନ୍ତି । ଏହାଙ୍କୁ ଗୋଶାଣୀ ମାନଙ୍କ ମଧ୍ୟରେ ‘ମଝିଆ ଭଗିନୀ’ ବୋଲି କୁହାଯାଏ । ମା ପରମ ବୈଷ୍ଣବୀ ହୋଇଥିବାରୁ ସମ୍ପୂର୍ଣ୍ଣ ନିରାମିଷ ପ୍ରସାଦର ବ୍ୟବସ୍ଥା କରାଯାଇଥାଏ । ସାହିର ସଦସ୍ୟଙ୍କ ସମେତ ଅନ୍ୟ ଭକ୍ତଙ୍କ ପାଇଁ ହୋଇଥାଏ ପ୍ରସାଦ ସେବନ ବ୍ୟବସ୍ଥା । ୧୬ ଫୁଟ ଉଚ୍ଚତା ଏହି ମୂର୍ତ୍ତିର ଅପୂର୍ବ କାରିଗରୀ ଦେଖିଲେ ଆଖି ଝଲସି ଯାଏ । ୫୦୦ ବର୍ଷରୁ ଚାଲି ଆସୁଥିବା ପରମ୍ପରା ଅନୁଯାୟୀ ଏହି ମୂର୍ତ୍ତି ପ୍ରତିବର୍ଷ ଗୋଟିଏ ପରିବାରର ସଦସ୍ୟଙ୍କ ଦ୍ୱାରା ନିର୍ମାଣ କରାଯାଏ । ଆଶ୍ୱିନ ଶୁକ୍ଳପକ୍ଷ ଏକାଦଶୀ ତିଥିରେ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖ ଦେବୀ ସଭା ନାମରେ ନାମିତ ଆସ୍ଥାନରେ ଅନ୍ୟ ଦେବାଦେବୀଙ୍କ ସହ ଏକତ୍ରିତ ହେବା ପରେ ଶେଷରେ ବିସର୍ଜନ ସ୍ଥାନକୁ ଯାଇଥାନ୍ତି ଏହି ଗୋଶାଣୀ ମୁର୍ତ୍ତି ।

Leave A Reply

Your email address will not be published.