Latest Odisha News

ପୁରୀ ଐତିହ୍ୟ ପ୍ରକଳ୍ପ: ଏଏସଆଇ ରିପୋର୍ଟ ପରେ ବ୍ୟାକଫୁଟରେ ବିଜେଡି, କେନ୍ଦ୍ରମନ୍ତ୍ରୀ ନିରବ

ଭୁବନେଶ୍ୱର: ପୁରୀ ଐତିହ୍ୟ ପ୍ରକଳ୍ପକୁ ନେଇ ଏଏସଆଇ ସତ୍ୟପାଠ ଦାଖଲ କରିଛି । ଏସଆଇର ରିପୋର୍ଟ ରାଜ୍ୟ ସରକାରକୁ ଘାଇଲା କରିଛି । କିନ୍ତୁ ରାଜ୍ୟ ସରକାର ବେଶ ବେଶ ଆଶ୍ୱସ୍ତ । କାରଣ ବିରୋଧୀ ବିଜେପିର ଦୁଇ ଜଣ ନେତା କେବଳ ବିରୋଧ କରୁଛନ୍ତି । ବାକି ସମସ୍ତେ ନିରବ ରହିଛନ୍ତି । ଯେଉଁମାନଙ୍କ ହାତରେ ରାଜ୍ୟ ବିଜେପି ପରିଚାଳିତ ହୁଏ ।

ଏଏସଆଇ ସତ୍ୟପାଠ ଦାଖଲ କରିବା ପରେ ସାଂସଦ ଅପରାଜିତା ଷଡ଼ଙ୍ଗୀ ଏବଂ ପୁରୀ ଲୋକସଭା ଆସନର ବିଜେପି ପ୍ରାର୍ଥୀ ସମ୍ବିତ ପାତ୍ର ଟୁଇଟ୍ ଏବଂ ପ୍ରେସମିଟ୍ କରି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି । ଆଉ ପ୍ରକଳ୍ପ କାମ ବନ୍ଦ ରଖିବାକୁ ଜୋର ଦେଇଛନ୍ତି । କିନ୍ତୁ ପୁରୀ ସାଂସଦ ପିନାକି ମିଶ୍ର କହିଛନ୍ତି, ଏନଏମଏର ଅନୁମତି କ୍ରମେ ପ୍ରକଳ୍ପ କାମ ହୋଇଛି । ଯେଉଁମାନେ ସଂସଦକୁ ଯିବା ପାଇଁ ବ୍ୟଗ୍ର ରହିଛନ୍ତି ସେମାନେ ଆଇନକୁ ପ୍ରଥମେ ଭଲ ଭାବେ ବୁଝିବା ଦରକାର । ସାଂସଦ ପିନାକୀ କିନ୍ତୁ ଏଏସଆଇ ଯେଉଁ ଧାରାରେ ସତ୍ୟପାଠ ଦାଖଲ କରିଛି ସେ ନେଇ ବିନ୍ଦୁ ବିସର୍ଗ କହିନାହାନ୍ତି । କିନ୍ତୁ କୋର୍ଟରେ ଶୁଣାଣି ବେଳେ ଯେଉଁ ଯୁକ୍ତି ଉପସ୍ଥାପନ ହୋଇଥିଲା ସେଥେରେ ରାଜ୍ୟ ସରକାର ଏବଂ ଏଏସଆଇ ଭିତରେ ସମନ୍ୱୟ ରଖି ପ୍ରକଳ୍ପ କାମ ଆଗକୁ ନେବାକୁ ହାଇକୋର୍ଟ ପରାମର୍ଶ ଦେଇଛନ୍ତି ବୋଲି ସେ କହିଛନ୍ତି।

ପୁରୀର ଏହି ପ୍ରକଳ୍ପକୁ ନେଇ ରାଜ୍ୟ ସରକାର ଏବଂ ପ୍ରଶାସନର ଆଭିମୁଖ୍ୟ ପରିବର୍ତ୍ତନ ହୋଇଛି। ବିରୋଧୀ ବିଜେପି, ବୁଦ୍ଧିଜୀବୀ ଏବଂ ଜଗନ୍ନାଥପ୍ରେମୀ କୋର୍ଟରେ ଏନେଇ ଦ୍ୱାରସ୍ଥ ହେବା ପରେ ରାଜ୍ୟ ସରକାରଙ୍କ ମୁହଁ ପୂର୍ବଭଳି ଆଉ ଟାଣ ନାହିଁ । ହେଲେ ଯାହା କିଛି ରହିଛି ସେହି ବିରୋଧୀ ବିଜେପି ପାଇଁ।

କାରଣ ଦଳର ଛାମୁଆ ନେତା ତଥା ରାଜ୍ୟ ସଭାପତି ସମୀର ମହାନ୍ତି, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ନବ, ବିଶ୍ୱେଶ୍ୱର ଟୁଡୁ ଏବଂ ବିଜେପିର ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ଏ ପ୍ରସଙ୍ଗରେ ନିରବଦ୍ରଷ୍ଟା ପାଲଟିଛନ୍ତି । ଯାହାକି ଶାସକ ଦଳ ବିଜେଡିକୁ ବେଶ ସୁହାଇଛି। ଏଏସଆଇ ତାର ରିପୋର୍ଟରେ ଉଲ୍ଲେଖ କରିଛି ନିଷିଦ୍ଧାଞ୍ଚଳ ଭିତରେ ଖନନ କାର୍ଯ୍ୟ ହୋଇଥିବାରୁ ମନ୍ଦିର ପ୍ରତି କ୍ଷତି ପହଞ୍ଚିଥାଇପାରେ । କିନ୍ତୁ ରାଜ୍ୟ ବିଜେପିର ଏହି ପ୍ରମୁଖ ନେତା ରଥଯାତ୍ରା ବେଳେ ଟୁଇଟ୍ କରି ନିଜର ଭକ୍ତି ଭାବ ଦର୍ଶାଉଥିବା ବେଳେ ଏପରି ସ୍ଥିତିରେ କିନ୍ତୁ ନିରବ ରହିଛନ୍ତି। ଯାହାକୁ ନେଇ ସାମାଜିକ ଗଣମାଧ୍ୟମ ଓ ବିଭିନ୍ନ ସ୍ଥାନରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି।

ରାଜ୍ୟ ବିଜେପିରେ କ୍ଷମତା ଏବଂ ପତିଆରା ଲଢେଇ ଭିତରେ ଭିତରେ ଜାରି ରହିଛି । ପ୍ରଥମେ ସାଂସଦ ଅପରାଜିତା ଏହି ପ୍ରସଙ୍ଗକୁ ଲୋକସଭାରେ ଉଠାଇବା ପରେ ଶ୍ରେୟ ନେବା ଲକ୍ଷ୍ୟରେ ରାଜ୍ୟ ବିଜେପି ଏବଂ ଅପରାଜିତା ପରସ୍ପର ମଧ୍ୟରେ ଟକରାଟକରି ଚାଲିଛି । ଗୋଟିଏ ପଟେ ଅପରାଜିତା ଏକାକୀ ନିଜ ସମର୍ଥକଙ୍କ ସହ ଏହାକୁ ନେଇ ଆଗକୁ ଯିବାକୁ ଚେଷ୍ଟା କରୁଛନ୍ତି । ଅନ୍ୟପଟେ ବାକି ବିଜେପି ନେତା ନିଜ ନିଜର ବିରୋଧ ପ୍ରଦର୍ଶନ କରୁଛନ୍ତି। ଯେତେବେଳେ ଏତେ ବଡ ପ୍ରସଙ୍ଗରେ ତିନି କେନ୍ଦ୍ରମନ୍ତ୍ରୀ ନିରବ ରହୁଛନ୍ତି ସେତେବେଳେ ଏହା ଶାସକ ଦଳ ପାଇଁ ବେଶ ସୁହାଇଛି।

Leave A Reply

Your email address will not be published.