Latest Odisha News

BREAKING NEWS

ଅଦିନିଆ ରଥଯାତ୍ରା ପାଇଁ ପୁଣି ଇସ୍କନକୁ ସମାଲୋଚନା କଲେ ଗଜପତି ମହାରାଜ, ପ୍ରଧାନମନ୍ତ୍ରୀଙ୍କୁ ଲେଖିଲେ ଚିଠି

ଭୁବନେଶ୍ୱର: ଦେଶ ବାହାରେ ଇସ୍କନ୍ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଅଦିନରେ କରୁଥିବା ବେଳେ ଏହାକୁ ନେଇ ଅସନ୍ତୋଷ ଜାରିରହିଛି। ଏହାକୁ ନେଇ ପୁଣି ଇସ୍କନକୁ ସମାଲୋଚନା କରିଛନ୍ତି ଗଜପତି ମହାରାଜ। ଏଥିସହିତ ବିଦେଶରେ ଇସ୍କନ ପକ୍ଷରୁ ଅଦିନିଆ ରଥଯାତ୍ରା ବନ୍ଦ ନେଇ କେନ୍ଦ୍ର ସରକାର ସହଯୋଗ କରିବାକୁ କହିଲେ ଗଜପତି ମହାରାଜା।

ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ କହିଛନ୍ତି, “ଆଇନର ଆଶ୍ରୟ ନେବାପୂର୍ବରୁ ସମସ୍ତ ବିଧେୟ ବ୍ୟବସ୍ଥା ଗ୍ରହଣ କରାଯିବ । ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଏ ବିଷୟରେ ଅବଗତ କରାଯାଇଥିବା ବେଳେ ଉଭୟ ସରକାରଙ୍କ ହସ୍ତକ୍ଷେପ ଲୋଡାଯିବ । ଏପରି ବିଚ୍ୟୁତିକୁ ରୋକିବା ପାଇଁ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ରହିଛି । ଇସ୍କନ କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ଭାବାବେଗକୁ ସମ୍ମାନ ଦେଇ ଅଦିନିଆ ରଥଯାତ୍ରା ବନ୍ଦ କରିବ ବୋଲି ଆଶା ରହିଛି ।”

ବିଶ୍ବର ବିଭିନ୍ନ ସ୍ଥାନରେ ଅଦିନିଆ ରଥଯାତ୍ରା ରୋକିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି ଗଜପତି ମହାରାଜା ଦିବ୍ୟସିଂହ ଦେବ। ଆସନ୍ତା ଡିସେମ୍ବର ସୁଦ୍ଧା ଇସ୍କନ ପକ୍ଷରୁ ବିଶ୍ବର ବିଭିନ୍ନ ସ୍ଥାନରେ ୮୦ଟି ଅଦିନିଆ ରଥଯାତ୍ରା ଅନୁଷ୍ଠିତ ହେବାକୁ ଯାଉଥିବା ପରିପ୍ରେକ୍ଷୀରେ ଗଜପତି ଏ ନେଇ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ବିହିତ ପଦକ୍ଷେପ ପାଇଁ ଅବଗତ କରାଇଛନ୍ତି।

ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଶନିବାର ଗଜପତି ମହାରାଜାଙ୍କ ଅଧ୍ୟକ୍ଷତାରେ ‘ଐକ୍ୟ ସ୍ଥାପନା ମଣ୍ଡଳୀ’ର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ଗୋଟିଏ ତିଥିରେ ରଥଯାତ୍ରା ଆୟୋଜନ ପାଇଁ ନିଷ୍ପତ୍ତି ନିଆଯାଇଛି।

ଜଗନ୍ନାଥ ମନ୍ଦିରର ପାରମ୍ପରିକ ରୀତିନୀତିରୁ ବିଚ୍ୟୁତି ହୋଇ ବାରମ୍ବାର ଅଦିନିଆ ସ୍ନାନଯାତ୍ରା ଓ ରଥଯାତ୍ରା କରୁଛି ଇସ୍କନ । ଚଳିତ ବର୍ଷ ଅତିଥିରେ ଭାରତ ବାହାରେ ୮୦ ସ୍ଥାନରେ ରଥଯାତ୍ରା ଓ ୧୦ ଟି ସ୍ଥାନରେ ସ୍ନାନଯାତ୍ରା ଆୟୋଜନ ହେବାର ସମ୍ଭାବନା ଅଛି । ଏନେଇ ଉଦବେଗ ପ୍ରକାଶ କରିଛନ୍ତି ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ । ବାରମ୍ବାର ଅନୁରୋଧ ସତ୍ତ୍ୱେ, ଯଦି ଇସ୍କନ ଅଦିନରେ ମହାପ୍ରଭୁଙ୍କ ପର୍ବ ପାଳନ ଜାରି ରଖେ, ତେବେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରେ ବୋଲି ସତର୍କ କରିଛନ୍ତି ଗଜପତି ମହାରାଜା ।

ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ (SJTA) ଭାରତ ଏବଂ ବିଦେଶର ସମସ୍ତ ଜଗନ୍ନାଥ ମନ୍ଦିରଗୁଡ଼ିକୁ ପବିତ୍ର ଶାସ୍ତ୍ର ଏବଂ ପ୍ରାଚୀନ ଶ୍ରୀମନ୍ଦିର ପରମ୍ପରାରେ ନିର୍ଦ୍ଦିଷ୍ଟ ତିଥି ଅନୁଯାୟୀ ଦେବତାଙ୍କ ବାର୍ଷିକ ପର୍ବଗୁଡ଼ିକୁ କଠୋର ଭାବରେ ପାଳନ କରିବାକୁ ଆହ୍ୱାନ କରିଛି। ବୈଶାଖ କୃଷ୍ଣ-ପକ୍ଷ ନବମୀ (ଶନିବାର, ୧୧ ଏପ୍ରିଲ ୨୦୨୬) ରେ ପ୍ରକାଶିତ ଏହି ବିବୃତ୍ତି, ୧୪ ଏପ୍ରିଲ ୨୦୨୬ ରେ ମହାବିଶୁଭ ସଂକ୍ରାନ୍ତି ସହିତ ମେଳ ଖାଉଛି, ଯାହା ପୁରୀରେ ୨୦୨୬-୨୦୨୭ ପର୍ବ ବର୍ଷର ଆରମ୍ଭ।

SJTA ପୁରୀର ଜଗନ୍ନାଥ ମନ୍ଦିରରେ ଅନୁଷ୍ଠିତ ହେବାକୁ ଥିବା ସମସ୍ତ ପର୍ବଗୁଡ଼ିକର ତାଲିକା ସହିତ ଏକ ସରକାରୀ ଶ୍ରୀମନ୍ଦିର ମହୋତ୍ସବ କ୍ୟାଲେଣ୍ଡର ସଂଲଗ୍ନ କରିଛି। ଛୋଟ ମନ୍ଦିରଗୁଡ଼ିକ ପ୍ରତ୍ୟେକ ପର୍ବ ପାଳନ କରିପାରିବେ ନାହିଁ ବୋଲି ସ୍ୱୀକାର କରିବା ସହିତ, ପ୍ରଶାସନ ସେମାନଙ୍କୁ ମନ୍ଦିର ଅବସ୍ଥିତ ସ୍ଥାନ ପାଇଁ ନିର୍ଦ୍ଧାରିତ ତିଥି ଅନୁଯାୟୀ ପ୍ରମୁଖ ବାର୍ଷିକ ଉତ୍ସବଗୁଡ଼ିକ ପାଳନ କରିବାକୁ ଅନୁରୋଧ କରିଛି।

ଏହି ବିଜ୍ଞପ୍ତିରେ ଭାରତ ବାହାରେ ଥିବା କିଛି ଇସ୍କନ ମନ୍ଦିରର “ବର୍ଷସାରା ଅନିୟମିତ ତାରିଖରେ” ଶ୍ରୀଜଗନ୍ନାଥ ମହାପ୍ରଭୂଙ୍କ ପବିତ୍ର ରଥଯାତ୍ରା ପରିଚାଳନା କରିବାର ପ୍ରଥା ଉପରେ “ଗମ୍ଭୀର ଚିନ୍ତା” ପ୍ରକାଶ କରାଯାଇଛି। ଏଥିରେ ଉଲ୍ଲେଖ କରାଯାଇଛି ଯେ, ୧୯ ଅକ୍ଟୋବର ୨୦୨୫ ରେ ଇସ୍କନର ନିଷ୍ପତ୍ତି ପରେ, ବିଦେଶର ଅନେକ ସହର ପୂର୍ବରୁ ଶାସ୍ତ୍ର ନିର୍ଦ୍ଦେଶାବଳୀ ଉଲ୍ଲଂଘନ କରୁଥିବା ତିଥି ଉପରେ ରଥଯାତ୍ରା ଆୟୋଜନ କିମ୍ବା ସ୍ଥିର କରିଛନ୍ତି।

ଯେଉଁଥିରେ କିଛି ଇସ୍କନ ମନ୍ଦିରକୁ ସମାଲୋଚନା କରାଯାଇଛି ଯେଉଁମାନେ ପୂର୍ବ ନିଷ୍ପତ୍ତି ସତ୍ତ୍ୱେ ନିର୍ଦ୍ଧାରିତ ଜ୍ୟେଷ୍ଠ ପୂର୍ଣ୍ଣିମା ତିଥି ବ୍ୟତୀତ ଅନ୍ୟ ତାରିଖରେ ସ୍ନାନଯାତ୍ରା ପାଳନ କରିଆସୁଛନ୍ତି। “ଶ୍ରୀଜଗନ୍ନାଥ ପରମ୍ପରାର ଏହି ଖୋଲା ଉଲ୍ଲଂଘନ ବିଶ୍ୱର ଅଗଣିତ ଭକ୍ତଙ୍କ ଧାର୍ମିକ ଭାବନାକୁ ଆଘାତ ଦେଉଛି” ବୋଲି କୁହାଯାଇଛି।

Leave A Reply

Your email address will not be published.