Latest Odisha News

BREAKING NEWS

ଆଜି ଶ୍ରୀମନ୍ଦିରରେ କୃଷ୍ଣ ବଳରାମ ବେଶ : ମଧ୍ୟାହ୍ନ ଧୂପ ପରେ ହେବ ନୀତିକାନ୍ତି

ପୁରୀ: ଆଜି ଭାଦ୍ରବ ମାସ କୃଷ୍ଣପକ୍ଷ ତ୍ରୟୋଦଶୀ ତିଥି। ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର କୃଷ୍ଣ ବଳରାମ ବେଶ ଅନୁଷ୍ଠିତ ହେବ । ଏହି ବେଶରେ ଜଗନ୍ନାଥଙ୍କୁ କୃଷ୍ଣ  ଓ ଶ୍ରୀ ବଳଭଦ୍ରଙ୍କୁ ବଳରାମ ରୂପରେ ସୁସଜ୍ଜିତ କରାଯିବ | ଦେବୀ  ସୁଭଦ୍ରା ଚତୁର୍ଭୁଜ ଧାରଣ କରି ଭିନ୍ନ ଭିନ୍ନ ଆୟୁଧ ସହ ପଦ୍ମାସନରେ ଉପବେସନ କରିବେ । ଉଭୟ କୃଷ୍ଣ ଏବଂ ବଳରାମ କାଷ୍ଠ ନିର୍ମିତ ଦୁଇ ଗୋଡ଼ ଛନ୍ଦି ଛନ୍ଦପୟର ମୁଦ୍ରାରେ ରହିଥାନ୍ତି । ଜଗନ୍ନାଥଙ୍କ ଗୋଟିଏ ହାତରେ ସୁବର୍ଣ୍ଣ ବଂଶୀ ଓ ଅନ୍ୟ ହସ୍ତରେ ପଦ୍ମ ଫୁଲ ଶୋଭାପାଏ ।

ବଳରାମଙ୍କ ଡାହାଣ ହାତରେ ଶିଙ୍ଘ ଓ ବାମ ହସ୍ତରେ ପଦ୍ମ ଫୁଲ ମଧ୍ୟ ଶୋଭାପାଏ । କିରୀଟ ଉପରେ ସୋଲରେ ନିର୍ମିତ ସପ୍ତଫେଣିଆ ସର୍ପ ବିରାଜମାନ କରିଥାଏ । ଏହି ବେଶରେ ଶ୍ରୀ ଜଗନ୍ନାଥ ଓ ଶ୍ରୀ ବଳଭଦ୍ର ଗୋଟିଏ ଗୋଟିଏ ପାଗ ପିନ୍ଧିଥାନ୍ତି । ସେହି ପାଗ ଦ୍ୱୟ କିରୀଟଯୁକ୍ତ ହୋଇଥାଏ । ରତ୍ନ ସିଂହାସନ ଉପରେ ଖଞ୍ଜାଯାଇଥିବା ଏକ କ୍ଷୁଦ୍ରକାଷ୍ଠ ନିର୍ମିତ ତଥା ଜରି ଜମ୍ବୁରାରେ ଆଚ୍ଛାଦିତ ସିଂହାସନରେ ଚକାମୁଣ୍ଡି ପକାଇ ପ୍ରଭୁ ପଦ୍ମାସନରେ ଉପନିବେଶ କରିଥାନ୍ତି । ବାଙ୍କଚୂଳ କିରୀଟ ଉପରେ ପତ୍ରଲଗା କଦମ୍ବ ଫୁଲ ଶୋଭାପାଏ । ଏହି ବେଶରେ ଶ୍ରୀପୟର, ପାଉଁଜି,ବାଙ୍କି,ପାହୁଡ଼, ଗୋଡ଼ମୁଦି,ମଲ୍ଲୀକଢ଼,ଚନ୍ଦ୍ର,, ଚିତା,ନାକଚଣା,ହାତଫେର,ଖଡୁ ଇତ୍ୟାଦିରେ ସାରା ଶରୀର  ମହାପ୍ରଭୁଙ୍କ ଶୋଭା ପାଇଥାଏ ।

ସୁଭଦ୍ରାଙ୍କ ମସ୍ତକରେ ମଧ୍ୟ ଏକ କିରୀଟ ଶୋଭାପାଏ । ଶ୍ରୀ ବଳଭଦ୍ର ଓ ଶ୍ରୀ ଜଗନ୍ନାଥଙ୍କ ଦୁଇ ପାର୍ଶ୍ୱରେ ନନ୍ଦ, ଉପନନ୍ଦ, ବସୁଦେବ, ଗୋପାଳ ବାଳକମାନେ, ଗୋପୀ, ବ୍ରହ୍ମା, ସହସ୍ର ଚକ୍ଷୁ ଇନ୍ଦ୍ର, ନାରଦ, ରୋହିଣୀ ଓ ଯଶୋଦାଙ୍କୁ ଦଣ୍ଡାୟମାନ ଭଙ୍ଗୀରେ ରଖାଯାଏ । ଠାକୁରଙ୍କ ଆଗରେ ଚାରିଗୋଟି ଗାଈ ଦଣ୍ଡାୟମାନ ଭଙ୍ଗୀରେ ଠିଆ ହୋଇଥାନ୍ତି ।  ଦ୍ୱିପହର ଧୂପ ପରେ ଏହି ବେଶ ଆରମ୍ଭ ହୋଇ ସନ୍ଧ୍ୟା ଧୂପ ପର୍ଯ୍ୟନ୍ତ ରହିଥାଏ । ଏହି ବେଶରେ ଖିରି ଓ ଅମାଲୁ ଭୋଗ ମଧ୍ୟ ଲାଗିଥାଏ । ଏହି ବେଶରେ ମହାପ୍ରଭୁଙ୍କୁ ଦର୍ଶନ କଲେ କୋଟି ପୁଣ୍ୟ ମିଳିଥାଏ ବୋଲି ବିଶ୍ୱାସ ରହିଛି |

Leave A Reply

Your email address will not be published.