Latest Odisha News

BREAKING NEWS

ପୁରୀ ଲକ୍ଷ୍ମୀ ମାର୍କେଟ ଅଗ୍ନିକାଣ୍ଡ ଘଟଣା: ବିଭାଗୀୟ ଅବହେଳାକୁ ସ୍ୱୀକାର କରିବ କିଏ?

ଭୁବନେଶ୍ୱର: ପୁରୀ ମରଚିକୋଟ ଛକଠାରେ ହୋଟେଲ୍ ସମ୍ରାଟ୍ ଓ ଲକ୍ଷ୍ମୀ ମାର୍କେଟ କମ୍ପଲେକ୍ସ ନିଆଁ ଲାଗିବା ଘଟଣାରେ ଏବେ ପ୍ରଶାସନ କ୍ଷୟକ୍ଷତି ଆକଳନ କରୁଛି। ନିଆଁ ଲାଗିବାର ୩୬ ଘଣ୍ଟା ପରେ ସମ୍ପୂର୍ଣ୍ଣ ଆୟତ୍ତ ହୋଇଥିବା ଏହି ଅଗ୍ନିକାଣ୍ଡ ଘଟଣା ପଛରେ କିନ୍ତୁ ଅଗ୍ନିଶମ ବିଭାଗର ଅବହେଳା ଓ ଅପାରଗତା ସାମ୍ନାକୁ ଆସିଛି। ଯେତେବେଳେ ନିଆଁ ଲିଭାଇବା କାମ ବହୁତ ଚ୍ୟାଲେଞ୍ଜ ଥିଲା ବୋଲି ଅଗ୍ନିଶମ ଡିଜି ସନ୍ତୋଷ ଉପାଧ୍ୟାୟ କହୁଛନ୍ତି ଏବଂ ଅପରେସନରେ ସାମିଲ ଥିବା ଅଗ୍ନିଶମ କର୍ମଚାରୀଙ୍କୁ ପୁରସ୍କାର ପ୍ରଦାନ କରାଯିବ ବୋଲି କହୁଛନ୍ତି ସେତେବେଳେ ନିଜ ବିଭାଗର ଅବହେଳକା ଏବେ ଗ୍ରହଣ କରିବେ କି?

ଆରଟିଆଇ ଆକ୍ଟିଭିଷ୍ଟ ତଥା ସୂଚନା ଅଧିକାର କର୍ମୀ ଏହି ମାର୍କେଟ କମ୍ପଲେକ୍ସ ସମେତ ପୁରୀର ଅନ୍ୟାନ୍ୟ ବଡ ବଡ କୋଠା ଏବଂ ଧର୍ମଶାଳାରେ ଫାୟାର ସେଫଟି ବ୍ୟବସ୍ଥା ନଥିବା ନେଇ ଅଭିଯୋଗ କରିଥିଲେ। ଜନ ଶୁଣାଣି ଅଭିଯୋଗରେ ଗତବର୍ଷ ମେ ୧୬ ତାରିଖରେ ଅଭିଯୋଗ କରିଥିଲେ। ଆଉ ଅଭିଯୋଗକୁ ଗ୍ରହଣ କରି ଅଗ୍ନିଶମ ବିଭାଗ ମାର୍କେଟ କମ୍ପଲେକ୍ସର ମାଲିକଙ୍କୁ କେବଳ ନୋଟିସ ଦେଇଥିଲା। ପରବର୍ତ୍ତୀ କାର୍ଯ୍ୟପନ୍ଥା ଗ୍ରହଣ କରାଯାଇନଥିବା ସୂଚନା ରହିଛି। ବିଡ଼ମ୍ବନାର କଥା ହେଲା ଖୋଦ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧୀନରେ ରହିଛି ଏହି ଅଗ୍ନିଶମ ବିଭାଗ। ଏବଂ ଯାହାର ରାଷ୍ଟ୍ରମନ୍ତ୍ରୀ ଖୋଦ୍ ପୁରୀ ଜିଲ୍ଲାର ବିଧାୟକ ତୁଷାରକାନ୍ତି ବେହେରା।

ଏହି ଅଗ୍ନିକାଣ୍ଡ ଘଟଣାରେ ଯଦିଓ କୌଣସି ବ୍ୟକ୍ତିଙ୍କର ମୃତ୍ୟୁ ଘଟିନାହିଁ। ହେଲେ କୋଟି କୋଟି ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ଅଭିଯୋଗ ହୋଇଛି।

ସୂଚନା ଅଧିକାର କର୍ମୀ ଏହି ଘଟଣାରେ ଲକ୍ଷ୍ମୀ ମାର୍କେଟ କମ୍ପଲେକ୍ସ ମାଲିକଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରିଛନ୍ତି। କର୍ତ୍ତବ୍ୟରେ ଅବହେଳା ପାଇଁ ଜିଲ୍ଲା ଅଗ୍ନିଶମ ଅଧିକାରୀ ଏବଂ ପିକେଡିଏ ସଚିବଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ହେବା ଆବଶ୍ୟକ। ଅଗ୍ନି ନିରାପତ୍ତା ପ୍ରମାଣପତ୍ର ହାସଲ କରିବା ଯାଏ ପୁରୀର ସମସ୍ତ ସପିଂ ମଲ ଓ ହୋଟେଲ ଗୁଡ଼ିକୁ ସିଲ୍ କରିବାକୁ ସେ ଦାବି କରିଛନ୍ତି। ହୋଟେଲ ଓ ସପିଂ ମଲ କର୍ମଚାରୀଙ୍କୁ ଅଗ୍ନି ନିରାପତ୍ତା ଉପରେ ତାଲିମ ପ୍ରଦାନ କରିବା ଆବଶ୍ୟକ ବୋଲି ସେ କହିଛନ୍ତି।

ସେହିପରି ତୀର୍ଥଯାତ୍ରୀ ଏବଂ ସ୍ଥାନୀୟ ଜନସାଧାରଣଙ୍କ ସୁରକ୍ଷା ପାଇଁ ସମସ୍ତ ପୁରୁଣା ଏବଂ ଅନଧିକୃତ ଗେଷ୍ଟହାଉସ, ହୋଟେଲ, ସପିଂ କମ୍ପଲେକ୍ସକୁ ଭଙ୍ଗାଯାଉ ବୋଲି ସେ ଦାବି କରିଛନ୍ତି।

ଉଲ୍ଲେଖଯୋଗ୍ୟ, ଏବେ କ୍ଷୟକ୍ଷତି ଆକଳନ ପାଇଁ  ଉପଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଯୁଗ୍ମ କମିଟି ଗଠନ ହୋଇଛି। ଏହି କମିଟିରେ ତହସିଲଦାର, ଟାଉନଥାନା ଅଧିକାରୀ ଓ ଫାୟାର ଅଫିସର୍ ସାମିଲ୍ ରହିଛନ୍ତି। ଜଳିଯାଇଥିବା ଇଣ୍ଡିଆନ୍ ଓଭର୍ ସିଜ୍ ବ୍ୟାଙ୍କ ଗୋରୁଆଳକୁ ସ୍ଥାନାନ୍ତର ହୋଇଥିବା ନେଇ ବ୍ୟାନର୍ ମରାଯାଇଛି। ସେହିପରି ପ୍ରଭାବିତ ଦୋକାନୀ ମାନଙ୍କୁ କିଛି ସମୟ ପରେ କମ୍ପଲେକ୍ସ ଭିତରକୁ ଛଡାଯିବ ବୋଲି ସୂଚନା ରହିଛି।

 

Comments are closed.