Latest Odisha News

BREAKING NEWS

ଶ୍ରୀକ୍ଷେତ୍ର ଭଉଁରୀ ତିଥିରେ ଚକ ଅଖ ଡେରା ନୀତି ସମ୍ପନ୍ନ

ପୁରୀ: ଆଜିଠାରୁ ଆରମ୍ଭ ହୋଇଛି ରଥ ନିର୍ମାଣର ଆଉ ଏକ ପର୍ଯ୍ୟାୟ କାର୍ଯ୍ୟ। ଗତ ଅକ୍ଷୟ ତୃତୀୟା ଅବସରରେ ରଥ ନିର୍ମାଣ ଅନୁକୂଳ କରାଯାଇଥିବା ବେଳେ ଆଜି ରଥର ଚକ ଓ ଅଖ ସଂଯୋଗର ଅନୁକୂଳ କରାଯାଇଛି। ପରମ୍ପରା ଅନୁଯାୟୀ ଆଜି ଭଉଁରୀ ଅବସରରେ ଶ୍ରୀମନ୍ଦିରରେ ସକାଳଧୂପ ଶେଷ ହେବା ପରେ ପୂଜାପଣ୍ତାମାନେ ତିନିରଥ ପାଇଁ ଆଜ୍ଞାମାଳ ଆଣି ରଥଖଳାରେ ପହଞ୍ଚିଥିଲେ। ବିଶ୍ଵକର୍ମା ମହାରଣା ମାନେ ନିର୍ମାଣ କରିଥିବା ପ୍ରତ୍ୟେକ ରଥର ଦୁଇଟି ଲେଖାଏଁ ଚକ ସହ ଅଖର ସଂଯୋଗ କରିଥିଲେ ଭୋଇ ସେବକ।

ଚକଅଖ ସଂଯୋଗ ବା ଡେରା ପରେ ଭୋଇ ସେବକଙ୍କ ଦ୍ବାରା ପଡିଥିଲା ପ୍ରଥମ ହରିବୋଲ।।ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀଙ୍କ ଉପସ୍ଥିତିରେ ଏହି ଅନୁକୂଳ କାର୍ଯ୍ୟ ବେଶ୍ ସୁରୁଖୁରୁରେ ସଂପନ୍ନ ହୋଇଥିଲା। ମହାପ୍ରଭୁଙ୍କ ରଥ ନିର୍ମାଣ ଓ ବିଶ୍ବପ୍ରସିଦ୍ଧ ଘୋଷଯାତ୍ରା ଚଳିତବର୍ଷ ଭକ୍ତଙ୍କ ଗହଣରେ ଶୃଙ୍ଖଳିତ ଭାବେ ହେବା ନେଇ ମହାପ୍ରଭୁଙ୍କ ପାଖରେ ସଭିଏଁ ପ୍ରାର୍ଥନା କରିଛନ୍ତି।

ପ୍ରତ୍ୟେକ ରଥର ଦୁଇଟି ଚକ ସହିତ ଅଖ ସଂଯୋଗ ପରେ ଏବେ ରଥର ସମୁଦାୟ ୪୨ ଟି ଚକ ଓ ୨୧ ଟି ଅଖ କାର୍ଯ୍ୟ ଜୋର ସୋରରେ ଆରମ୍ଭ କରାଯାଇଛି। ଏହାଛଡ଼ା ତିଆରି ସରିଥିବା ସମସ୍ତ ୪୨ଟି ତୁମ୍ବରେ ଅର ଓ ପହି ଯୋଡ଼ିବା କାର୍ଯ୍ୟ ମଧ୍ୟ ସଂପନ୍ନ କରାଯିବ। ଆସନ୍ତା ଶୀତଳଷଷ୍ଠୀ ପରଦିନ ୩ ଟି ଯାକ ରଥର ସମସ୍ତ ୪୨ ଟି ଚକ ସଂପନ୍ନ କରାଯିବାର ବିଧି ରହିଛି। ଏଣୁ ଏହାକୁ ଦୃଷ୍ଟିରେ ରଖି ୩ ରଥର ସମସ୍ତ ମହାରଣା ମାନେ ଚକ ଓ ଅଖ ପ୍ରସ୍ତୁତ କରୁଥିବା କହିଛନ୍ତି।

ଏପଟେ ଚକଅଖ ଡେରା ନୀତି ସମୟରେ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ତେବେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟ ଚୁଡାନ୍ତ ହୋଇଥିଲେ ମଧ୍ୟ ଆଜି ନୀତିରେ ପାଖାପାଖି ସାମାନ୍ୟ ବିଳମ୍ବ ହୋଇଥିଲା। ଅନ୍ୟପଟେ ରଥଖଳାରେ ରଥନିର୍ମାଣ କାର୍ଯ୍ୟ ଜାରି ରହିଥିବା ବେଳେ ରୂପକାର ସେବକ ମାନେ କୋଣଗୁଜରେ ନୃସିଂହ ମୂର୍ତ୍ତି ଖୋଦେଇ ଜାରି ରଖିଛନ୍ତି। ଆଗକୁ ପର୍ଯ୍ୟାୟ କ୍ରମେ କାମ କରାଯିବ ବୋଲି କହିଛନ୍ତି।

ମହାପ୍ରଭୁଙ୍କ ନିର୍ଦ୍ଦେଶରେ ରଥଯାତ୍ରା ପାଇଁ ଚକ ଠିଆ କରିବାକୁ ଆଜ୍ଞାମାଳ ବିଜେ ପରେ ଚକଅଖ ଡେରା ନୀତି ସମ୍ପନ୍ନ ହୋଇଛି। ପ୍ରବଳ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ଗୁଳୁଗୁଳି ସତ୍ତ୍ୱେ ଭୋଇ ସେବକ ମାନେ ନାହାକ ଚକ ଓ ଅଖ ପ୍ରସ୍ତୁତ କରିବା ପରେ ପାଣିଆପଟ ସେବାୟତଙ୍କ ଦ୍ବାରା ପାଣି ପଡି ଚକ ପବିତ୍ର କରାଯାଇଛି। ଏହାପରେ ଆଜ୍ଞାମାଳ ବିଜେ କରାଯାଇ ତିନୋଟି ରଥର ୬ଟି ନାହାକ ଚକ ସହ ତିନୋଟି ଅଖ ସଂଯୋଗ କରାଯାଇ ଡେରାଯାଇଛି।

Comments are closed.