Latest Odisha News

BREAKING NEWS

ରଥଯାତ୍ରା ସମୟରେ ଗଡିବ ୩୬୫ ସ୍ଵତନ୍ତ୍ର ଟ୍ରେନ୍, ଭକ୍ତଙ୍କ ପାଇଁ କରାଯିବ ୫ଲକ୍ଷ ଟଙ୍କାର ବୀମା

ପୁରୀ: ପବିତ୍ର ଅକ୍ଷୟ ତୃତୀୟା ଦିନ ବିଶ୍ବ ପ୍ରଶିଦ୍ଧ ରଥଯାତ୍ରା ପାଇଁ ରଥ ନିର୍ମାଣର ଶୁଭାରମ୍ଭ ହୋଇଛି ।  ଆସନ୍ତା ଜୁନ୍ ୨୭ରେ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା । ଏଥିପାଇଁ ପ୍ରଥମ ରଥଯାତ୍ରା ସମନ୍ବୟ ବୈଠକ ପୁରୀ ଟାଉନ ହଲ ଠାରେ ଅନୁଷ୍ଠିତ ହୋଇଛି । ଚଳିତ ବର୍ଷ ରଥଯାତ୍ରାକୁ କିଭଳି ଶାନ୍ତି ଶୃଙ୍ଖଳା ସହ ସୁରୁଖୁରୁରେ ସମ୍ପାଦନ କରାଯାଇପାରିବ ସେ ନେଇ ଆଲୋଚନା ହୋଇଥିଲା ।

ଏହି ବୈଠକରେ ସୂଚନା ଦିଆଯାଇଛି ଯେ, ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ଓ ଶ୍ରୀଜଗନ୍ନାଥ ଧାମକୁ ନେଇ ସ୍ଵତନ୍ତ୍ର ଆପ୍ ସହ ୱେବସାଇଟ୍ ହେବ । ରଥଯାତ୍ରା ସମୟରେ ରେଳ ବିଭାଗ ପକ୍ଷରୁ ୩୬୫ଟି ସ୍ଵତନ୍ତ୍ର ଟ୍ରେନ୍ ଚଳାଚଳ କରିବ । ସିସିଟିଭି, ଅତ୍ୟାଧୁନିକ ଡ୍ରୋନ୍ କ୍ୟାମେରା ସହିତ AI କ୍ୟାମେରା ନଜରରେ ରହିବ ପୁରୀ । ରଥଯାତ୍ରା ସମୟରେ ଲୋକଙ୍କ ପାଇଁ ୫ ଲକ୍ଷ ଟଙ୍କାର ବୀମା ବ୍ୟବସ୍ଥା କରାଯିବ । ଭିନ୍ନକ୍ଷମଙ୍କ ଦର୍ଶନ ପାଇଁ ବଡଦାଣ୍ଡର ୫ ରୁ ୭ ସ୍ଥାନରେ ସ୍ଵତନ୍ତ୍ର ବ୍ୟବସ୍ଥା କରାଯିବ ।

ରଥ କାଠ ଯୋଗାଣ, ରଥ ନିର୍ମାଣ, ନୀତି ସଂପାଦନ, ସ୍ଵାସ୍ଥ୍ୟ ଓ ପରିମଳ ବ୍ୟବସ୍ଥା, ପାନୀୟ ଜଳ ଯୋଗାଣ, ବିଦ୍ୟୁତ୍ ଯୋଗାଣ ଆଦି ୨୧ଟି ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା ।

ରଥଯାତ୍ରା ସମୟରେ ସ୍ବାସ୍ଥ୍ୟବସ୍ଥା ଉପରେ ଗୁରୁତ୍ଵ ଦିଆଯାଇଛି ।‌ ୧୪୦ଟି ଅଧିକ ଶଯ୍ୟା, ୩୩ଟି ଆଶୁ ଚିକିତ୍ସା କେନ୍ଦ୍ର ଓ ୫ ଜଣ ଫୁଡ୍ ଇନ୍ସପେକ୍ଟର ଆସିବେ ବୋଲି ବୈଠକରେ ପୁରୀ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।‌

ରଥ ନିର୍ମାଣ ପାଇଁ ୮୬୫ ଖଣ୍ଡ କାଠର ଆବଶ୍ୟକତା ରହିଛି । ବିଗତ ବର୍ଷର ୫୧ ଖଣ୍ଡ ବଳକା ରହିଛି । ଖପୁରିଆ କରତକଳକୁ ଆବଶ୍ୟକ ୪୧୮ ଖଣ୍ଡ କାଠ ମଧ୍ୟରୁ ୧୫୭ ଖଣ୍ଡ ଏବଂ ରଥଖଳା ପାଇଁ ଆବଶ୍ୟକ ୩୯୬ ଖଣ୍ଡ କାଠ ମଧ୍ୟରୁ ୧୬୯ ଖଣ୍ଡ କାଠ ପହଞ୍ଚି ସାରିଛି ବୋଲି ଶ୍ରୀମନ୍ଦିର ନୀତି ପ୍ରଶାସକ ଜିତେନ୍ଦ୍ର ସାହୁ ସୂଚନା ଦେଇଥିଲେ ।

ଏଥିସହ ରେଡ଼କ୍ରସ ରୋଡ ସମେତ କ୍ରସ ଡ୍ରେନ୍ ଓ ବଡ଼ଦାଣ୍ଡର ସଫେଇ କାର୍ଯ୍ୟ ମେ ୧୫ ସୁଦ୍ଧା ଶେଷ ହେବ ବୋଲି ସୂଚନା ରହିଛି । ବଡ଼ଦାଣ୍ଡକୁ ୧୫ଟି ଜୋନରେ ବିଭକ୍ତ କରାଯାଇଛି । ୧୪ଟି ଜଳମଗ୍ନ ଅଞ୍ଚଳ ଚିହ୍ନଟ କରାଯାଇଛି । ଜୁନ୍ ସୁଦ୍ଧା ବଡ଼ଦାଣ୍ଡକୁ ସଂଯୋଗ କରୁଥିବା ସାହି, ଗଳିକନ୍ଦି ନାଳ ସଫେଇ ଶେଷ କରାଯିବ ।

ଟ୍ରେନର ସମୟ ଏବଂ ସୂଚନା ପ୍ରଦାନ ପାଇଁ ଭିଡିଓ ଓ୍ବାଲ୍ ସହ ଟିକେଟ ବୁକିଂ କାଉଣ୍ଟର, ଅଟୋମେଟିକ୍ ଟିକେଟ ଭେଣ୍ଡିଙ୍ଗ ମେସିନ୍ ଲଗାଯିବ । ମାଳତୀପାଟପୁର ଓ ତାଳବଣିଆରେ ବସ ଗୁଡ଼ିକର ପାର୍କିଂ ବ୍ୟବସ୍ଥା ହେବ । ୧୩୦ ନିୟମିତ ବସ ସହ ଅଧିକ ବସ ଚଳାଚଳ କରିବ । ପ୍ରଥମ ସମନ୍ୱୟ ବୈଠକରେ ବିଭାଗ ଗୁଡିକ ଦେଇଥିବା ପ୍ରତିଶ୍ରୁତି ନିର୍ଦ୍ଧାରିତ ସମୟରେ ଶେଷ କରିବାକୁ କେନ୍ଦ୍ରାଞ୍ଚଳ ଆରଡିସି ଓ ପୁରୀ ଜିଲ୍ଲାପାଳ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ।

 

Comments are closed.