Latest Odisha News

BREAKING NEWS

ପୁରୀର ରାସ୍ତାଘାଟରେ ବିକ୍ରି ହେଉଛି ଆମିଷ, ୩ ବର୍ଷ ପରେ ବି ସରୁନି ସ୍ୱଚ୍ଛ ମାଛ ବଜାର ନିର୍ମାଣ

ପୁରୀ: ଅବଧି ଶେଷ ପରେ ବି ଅଧାଗଢ଼ା ନିର୍ମାଣ । ୩ ବର୍ଷ ପରେ ବି ସରୁନି ପୁରୀର ସ୍ୱଚ୍ଛ ମାଛ ବଜାର ପ୍ରକଳ୍ପ । ମାଛ ଦୋକାନୀଙ୍କୁ ଥଇଥାନ ଲକ୍ଷ୍ୟରେ ୨୦୧୯ ମସିହାରେ ପୁରୀରେ ଆରମ୍ଭ ହୋଇଥିଲା ସ୍ୱଚ୍ଛ ମାଛ ବଜାରର ନିର୍ମାଣ । ୬ କୋଟି ଟଙ୍କା ବ୍ଯୟରେ ନିର୍ମାଣ ହେଉଥିବା ଅତ୍ୟାଧୁନିକ ସ୍ୱଚ୍ଛ ମାଛ ବଜାର ୨୦୨୧ ଜୁନ୍ ସୁଦ୍ଧା ସମ୍ପୂର୍ଣ୍ଣ ଲକ୍ଷ୍ୟ ଥିଲା । ହେଲେ ୨୦୨୧ ଜୁନ୍ ଯାଇ ୨୦୨୨ ସେପ୍ଟେମ୍ବର ସରିବାକୁ ବସିଲାଣି । କିନ୍ତୁ ୩ ବର୍ଷ ପରେ ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇ ପାରିନି । ଫଳରେ ରାସ୍ତାଘାଟରେ ବସି ଦୋକାନୀ ମାଛ ସହ ମାଂସ ବିକୁଛନ୍ତି । ଯାହା ଶ୍ରୀକ୍ଷେତ୍ରର ଆଧ୍ୟାତ୍ମିକ ପରିବେଶକୁ ନଷ୍ଟ କରୁଥିବା ବେଳେ କ୍ଷୋଭ ପ୍ରକାଶ କରିଛନ୍ତି ବୁଦ୍ଧିଜୀବୀ ।

ମତ୍ସ୍ୟ ସମ୍ପଦ ବିଭାଗ ପକ୍ଷରୁ ୨୦୧୯ ମସିହାରେ ପୁରୀରେ ସ୍ୱଚ୍ଛ ମାଛ ବଜାର ପାଇଁ ଡିପିଆର ଚୂଡ଼ାନ୍ତ ପରେ ୬ କୋଟି ଟଙ୍କା ଖର୍ଚ୍ଚ ଅଟକଳ ହୋଇଥିଲା । ଅତ୍ୟାଧୁନିକ ଶୈଳୀରେ ବହୁତଳ କୋଠା ନିର୍ମାଣ କରି ମାଛ ଦୋକାନୀଙ୍କୁ ବ୍ୟବସ୍ଥିତ କରିବାକୁ ତିଆରି ହୋଇଥିଲା ବ୍ଲୁ ପ୍ରିଣ୍ଟ । ପ୍ରାଥମିକ ପର୍ଯ୍ୟାୟରେ ଦୁଇମହଲା ବିଶିଷ୍ଟ କୋଠା ନିର୍ମାଣର ଲକ୍ଷ୍ୟ ରଖା ଯାଇଥିଲା । ତାଳବଣିଆ ଥାନା ସମ୍ମୁଖରେ ଥିବା ଖାଲି ପଡ଼ିଆରେ ସ୍ୱଚ୍ଛ ମାଛ ବଜାର ନିର୍ମାଣ ମାତ୍ର ୫୦ ପ୍ରତିଶତ ସରିଛି । ଦୁଇ ମହଲା କୋଠା ନିର୍ମାଣ ଯୋଜନା ଏକ ମହଲାରେ ସୀମିତ ରହିଛି । କେବେ ନିର୍ମାଣ ସରିବ ସେ ନେଇ କୌଣସି ଅଧିକାରୀଙ୍କ ପାଖରେ ସ୍ପଷ୍ଟ ଉତ୍ତର ନଥିବା ବେଳେ କେବଳ ଖୁବଶୀଘ୍ର କାର୍ଯ୍ୟକୁ ତ୍ୱରାନ୍ୱିତ କରାଯିବ ବୋଲି କହିଛନ୍ତି ଜିଲ୍ଲାପାଳ ।

ଏଭଳି ସ୍ଥିତିରେ କେବେ ସ୍ୱଚ୍ଛ ମାଛ ବଜାର ନିର୍ମାଣ ସରିବ ଓ ‌ମାଛ ଦୋକାନୀମାନେ ଗୋଟିଏ ଜାଗାରେ ମାଛ ବିକ୍ରି କରିବାର ସୁଯୋଗ ପାଇବେ ତାହା ବଡ଼ ପ୍ରଶ୍ନ । ଦେଖିବାର କଥା କେବେ ବ୍ୟବସ୍ଥିତ ହେଉଛନ୍ତି ମାଛ ଦୋକାନୀ । ଆଉ ଗୋଟିଏ ଜାଗାରେ ମିଳିବ ମାଛ, ଚିଙ୍ଗୁଡ଼ି, କଙ୍କଡ଼ା ସହ ଭଳିକି ଭଳି ଆମିଷ ଦ୍ରବ୍ୟ ।

Leave A Reply

Your email address will not be published.