Latest Odisha News

BREAKING NEWS

ପୁରୀ ଅସ୍ତରଙ୍ଗରେ ବଡ଼ ଧରଣର ଲୁଟ୍: ମୋବାଇଲ୍ ଦୋକାନରୁ କୋଟିଏ ଟଙ୍କାର ଫୋନ୍ ସହ ଦେଢ଼ ଲକ୍ଷ ଟଙ୍କା ଗାଏବ

ପୁରୀ: ଅସ୍ତରଙ୍ଗ ବଜାରରେ ଥିବା ଏକ ପ୍ରମୁଖ ମୋବାଇଲ୍ ଦୋକାନରେ ଏକ ବଡ଼ ଧରଣର ଚୋରି ଘଟଣା ସାମ୍ନାକୁ ଆସିଛି। ସୋମବାର ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ଦୋକାନର ସଟର୍ ତାଡ଼ି ପ୍ରାୟ ଏକ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ମୂଲ୍ୟବାନ ମୋବାଇଲ୍ ଫୋନ୍, ଆସେସୋରିଜ୍ ସମେତ ଦେଢ଼ ଲକ୍ଷ ଟଙ୍କା ନଗଦ ଲୁଟି ନେଇଛନ୍ତି। ଏହି ବୃହତ ଲୁଟ୍ ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଥିବା ବେଳେ ବ୍ୟବସାୟୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି ।

ମିଳିଥିବା ସୂଚନା ଅନୁଯାୟୀ, ଅସ୍ତରଙ୍ଗ ଥାନା ଅଧୀନସ୍ଥ ସାହଣା ଗ୍ରାମର ବାସିନ୍ଦା ତଥା ଦୋକାନ ମାଲିକ ଦେବେନ୍ଦ୍ର ମହାନ୍ତି ସୋମବାର ରାତିରେ ନିଜ ଦୋକାନ ବନ୍ଦ କରି ଘରକୁ ଫେରିଥିଲେ । ମଙ୍ଗଳବାର ସକାଳେ ସ୍ଥାନୀୟ ଲୋକଙ୍କଠାରୁ ଦୋକାନର ସଟର୍ ଭଙ୍ଗା ଯାଇଥିବା ଖବର ପାଇ ସେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ଦୋକାନ ଖୋଲି ଦେଖିବା ବେଳକୁ ଭିତରୁ ଆଇଫୋନ୍ ସମେତ ଅନେକ ନାମୀଦାମୀ ବ୍ରାଣ୍ଡର ମୋବାଇଲ୍ ଫୋନ୍ ଏବଂ ବହୁ ପରିମାଣର ଆସେସୋରିଜ୍ ଗାଏବ ହୋଇଯାଇଥିଲା । ଏହାସହ କ୍ୟାସ୍ ବକ୍ସରେ ଥିବା ଦେଢ଼ ଲକ୍ଷ ନଗଦ ଟଙ୍କା ମଧ୍ୟ ଦୁର୍ବୃତ୍ତମାନେ ନେଇଯାଇଥିଲେ। ପ୍ରମାଣ ନଷ୍ଟ କରିବା ଉଦ୍ଦେଶ୍ୟରେ ଲୁଟେରାମାନେ ସେଠାରେ ଲାଗିଥିବା ସିସିଟିଭି କ୍ୟାମେରାଗୁଡ଼ିକୁ ଭାଙ୍ଗି ଦେଇଥିବା ଜଣାପଡ଼ିଛି ।

ଏହି ଘଟଣାକୁ ନେଇ ଦେବେନ୍ଦ୍ରଙ୍କ ଏତଲା କ୍ରମେ ଅସ୍ତରଙ୍ଗ ପୋଲିସ ଏକ ମାମଲା ରୁଜୁ କରି ଛାନଭିନ୍ ଆରମ୍ଭ କରିଛି। ତେବେ ଏହି ଘଟଣା ପରେ ଅସ୍ତରଙ୍ଗ ବଜାରର ବ୍ୟବସାୟୀମାନେ ନିଜକୁ ଅସୁରକ୍ଷିତ ମଣୁଛନ୍ତି। ବ୍ୟବସାୟୀ ସଂଘର ସଭାପତି ଦୁଷ୍ମନ୍ତ କୁମାର ପରିଡ଼ା ପୋଲିସ ଉପରେ କ୍ଷୋଭ ପ୍ରକାଶ କରି କହିଛନ୍ତି ଯେ, “ପୋଲିସର ଚରମ ଅବହେଳା ଓ ନିଷ୍କ୍ରିୟତା ଯୋଗୁଁ ଅଞ୍ଚଳରେ ଲୁଟେରାଙ୍କ ଆତଙ୍କ ବଢ଼ିବାରେ ଲାଗିଛି। ମଠ, ମନ୍ଦିରଠାରୁ ଆରମ୍ଭ କରି ବଜାର ଓ ଦୋକାନରେ ଲଗାତାର ଲୁଟ୍ ହେଉଛି। ପ୍ରଶାସନିକ ବ୍ୟବସ୍ଥା ସମ୍ପୂର୍ଣ୍ଣ ଦୁର୍ବଳ ହୋଇପଡ଼ିଛି ଏବଂ ଅଞ୍ଚଳରେ ନିଶା ବେପାରୀ ଓ ବାଲି ମାଫିଆଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଉଛି।”

ଦେବେନ୍ଦ୍ର ପରିଡ଼ା ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ, ଥାନାରେ ଦୁର୍ନୀତି ବଢ଼ିଯାଇଛି ଏବଂ ପ୍ରତିବାଦ କଲେ ସାଧାରଣ ଲୋକଙ୍କ ନାମରେ ମିଥ୍ୟା ମାମଲା ରୁଜୁ କରାଯାଉଛି । ତେଣୁ ଦୀର୍ଘ ଦିନ ଧରି ଏଠାରେ ରହି ବସିଥିବା ଅଧିକାରୀମାନଙ୍କୁ ତୁରନ୍ତ ବଦଳି କରାଯାଇ ଦାୟିତ୍ୱବାନ ଅଧିକାରୀଙ୍କୁ ନିଯୁକ୍ତି ଦେବାକୁ ସଂଘ ପକ୍ଷରୁ ଦାବି କରାଯାଇଛି ।

Comments are closed.