ଉତ୍ତର ଓ ପଶ୍ଚିମ ଓଡ଼ିଶାରେ ବର୍ଷା ବିତ୍ପାତ: ୪ ଜିଲ୍ଲାକୁ ଅରେଞ୍ଜ ଏବଂ ୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କଲା ଆଇଏମଡି
ଭୁବନେଶ୍ୱର: ଝାଡ଼ଖଣ୍ଡ ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ହୋଇଥିବା ଅବପାତ ପ୍ରଭାବରେ ସମଗ୍ର ଓଡ଼ିଶାରେ ଲଗାଣ ବର୍ଷା ଜାରି ରହିଛି । ମୌସୁମୀର ସକ୍ରିୟତା ଏବଂ ଏହି ଲଘୁଚାପ ଜନିତ ଅବପାତ କାରଣରୁ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବୃଷ୍ଟିପାତ ରେକର୍ଡ କରାଯାଇଛି ।
ଭାରତୀୟ ପାଣିପାଗ ବିଭାଗ ଆଞ୍ଚଳିକ କେନ୍ଦ୍ରର ସୂଚନା ଅନୁଯାୟୀ, ବିଶେଷ କରି ଉତ୍ତର ଏବଂ ପଶ୍ଚିମ ଓଡ଼ିଶାରେ ବର୍ଷାର ପରିମାଣ ସର୍ବାଧିକ ରହିଛି। ମୟୂରଭଞ୍ଜ ଜିଲ୍ଲାର ବହଳଦାରେ ସର୍ବାଧିକ ୨୭୩ ମିଲିମିଟର ବର୍ଷା ରେକର୍ଡ ହୋଇଥିବା ବେଳେ ଏଠାରେ ଜନଜୀବନ ବେଶ୍ ପ୍ରଭାବିତ ହୋଇଛି । ସେହିପରି ରାଇରଙ୍ଗପୁରରେ ୧୮୦ ମିମି, ବରଗଡ଼ ଜିଲ୍ଲା ଝାରବନ୍ଧରେ ୧୫୦ ମିମି, ମୟୂରଭଞ୍ଜର ଜାମଦାରେ ୧୨୦ ମିମି, ବାଙ୍ଗିରିପୋଷିରେ ୧୧୦ ମିମି ଏବଂ ସୁନ୍ଦରଗଡ଼ ଜିଲ୍ଲାର ବାଲିଶଙ୍କରା ଓ ଟେନସା ଅଞ୍ଚଳରେ ୧୧୦ ମିମି ଲେଖାଏଁ ବର୍ଷା ହୋଇଥିବା ଜଣାପଡ଼ିଛି ।
ଆଗାମୀ ଦିନରେ ବର୍ଷାର ପ୍ରକୋପ ଜାରି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼ ଏବଂ ସମ୍ବଲପୁର ଆଦି ୪ଟି ଜିଲ୍ଲା ପାଇଁ ଆଇଏମଡି ପକ୍ଷରୁ ‘ଅରେଞ୍ଜ ୱାର୍ଣ୍ଣିଂ’ ଜାରି କରାଯାଇଛି । ଅନ୍ୟପକ୍ଷରେ, ଦେବଗଡ଼, ଅନୁଗୋଳ, କେନ୍ଦୁଝର, ମୟୂରଭଞ୍ଜ, ସୁବର୍ଣ୍ଣପୁର, ବୌଦ୍ଧ ଏବଂ ବଲାଙ୍ଗୀର ଆଦି ୭ଟି ଜିଲ୍ଲା ପାଇଁ ‘ୟେଲୋ ୱାର୍ଣ୍ଣିଂ’ ଜାରି ହୋଇଛି । ଲଗାଣ ବର୍ଷା ଫଳରେ ଏହି ସବୁ ଜିଲ୍ଲାର ତଳିଆ ଅଞ୍ଚଳରେ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହେବା ସହ ରାସ୍ତାଘାଟରେ ଟ୍ରାଫିକ୍ ସମସ୍ୟା ଉପୁଜିପାରେ ବୋଲି ପ୍ରଶାସନ ଆଶଙ୍କା କରିଛି। ଏହାସହ ଚାଷ ଜମିରେ ପାଣି ଜମି ରହିବା ଫଳରେ ଫସଲ ନଷ୍ଟ ହେବାର ସମ୍ଭାବନା ମଧ୍ୟ ରହିଛି ।
ଏ ସମ୍ପର୍କରେ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶିକା ଡ. ମନୋରମା ମହାନ୍ତି କହିଛନ୍ତି ଯେ, ବର୍ତ୍ତମାନ ଏହି ଅବପାତଟି ଝାଡ଼ଖଣ୍ଡ ଏବଂ ପଶ୍ଚିମବଙ୍ଗର ଗାଙ୍ଗେୟ ଉପତ୍ୟକା ଉପରେ କେନ୍ଦ୍ରୀଭୂତ ହୋଇ ରହିଛି। ଆଗାମୀ ୨୪ ଘଣ୍ଟା ମଧ୍ୟରେ ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରି ଦୁର୍ବଳ ହେବ ଏବଂ ଏକ ସ୍ପଷ୍ଟ ଲଘୁଚାପ କ୍ଷେତ୍ରରେ ପରିଣତ ହେବାର ସମ୍ଭାବନା ରହିଛି। ଚଳିତ ବର୍ଷ ମୌସୁମୀ ରାଜ୍ୟରେ ବେଶ୍ ସକ୍ରିୟ ରହିଛି। ଜୁନ୍ ୧ ତାରିଖରୁ ଆରମ୍ଭ କରି ଅଗଷ୍ଟ ୧୮ ତାରିଖ ପର୍ଯ୍ୟନ୍ତ ଓଡ଼ିଶାରେ ମୋଟ ୯୯୮.୦ ମିଲିମିଟର ବର୍ଷା ହୋଇଛି, ଯାହାକି ସ୍ୱାଭାବିକ ବୃଷ୍ଟିପାତ ଠାରୁ ପ୍ରାୟ ୨୯ ପ୍ରତିଶତ ଅଧିକ ବୋଲି ସେ ସୂଚନା ଦେଇଛନ୍ତି।
ଅନ୍ୟପଟେ, ବର୍ଷା ସହିତ ପାଗ ଖରାପ ରହୁଥିବାରୁ ଏବଂ ସମୁଦ୍ର ଅଶାନ୍ତ ଥିବାରୁ ମତ୍ସ୍ୟଜୀବୀମାନଙ୍କ ପାଇଁ ସ୍ୱତନ୍ତ୍ର ସତର୍କ ସୂଚନା ଜାରି କରାଯାଇଛି। ଉପକୂଳବର୍ତ୍ତୀ ଅଞ୍ଚଳରେ ଘଣ୍ଟା ପ୍ରତି ୩୫ ରୁ ୪୫ କିଲୋମିଟର ବେଗରେ ପବନ ବହିବ। କିଛି ସମୟରେ ଏହା ୫୫ କିଲୋମିଟର ମଧ୍ୟ ଛୁଇଁବାର ସମ୍ଭାବନା ଅଛି। ତେଣୁ ଆଗାମୀ ୨୪ ଘଣ୍ଟା ପର୍ଯ୍ୟନ୍ତ ଓଡ଼ିଶା ଉପକୂଳ ଦେଇ ଗଭୀର ସମୁଦ୍ର ମଧ୍ୟକୁ ମାଛ ମାରିବାକୁ ଯିବା ପାଇଁ ମତ୍ସ୍ୟଜୀବୀମାନଙ୍କୁ କଡ଼ା ବାରଣ କରାଯାଇଛି।

