ପୁରୀରେ ଷ୍ଟାଡିୟମର ଘୋର ଆବଶ୍ୟକତା ଥିଲା । ବହୁତ ବର୍ଷ ମୁଣ୍ଡ ବାଡେଇବା ପରେ ପେଣ୍ଠକଟାରେ ମହା ଆଡମ୍ବରରେ ନିର୍ମାଣ ହେଲା ଶ୍ରୀଜଗନ୍ନାଥ ଷ୍ଟାଡିୟମ । ପାଣି ଭଳି ଅର୍ଥ ଖର୍ଚ୍ଚ ହେଲା । ୧୦୦ କୋଟି ଖର୍ଚ୍ଚ ହୋଇଥିବା କେତେକ ରିପୋର୍ଟରେ ପ୍ରକାଶ ପାଇଛି । ଗତ ସରକାର ଯିବା ପୂର୍ବରୁ କଷ୍ଟମଷ୍ଟେ ଅଧାପନ୍ତରିଆ ଭାବେ ଏହାକୁ ଉଦଘାଟନ କରି ଦେଇଥିଲା । ରଣଜୀ ମ୍ୟାଚ ଖେଳାଯିବ । ପୁରୀ ହେବ କ୍ରୀଡାର ନୂଅ ହବ । ଏପରି ଅନେକ କିଛି ଡିଣ୍ଡିମ ପିଟାଗଲା । ଏ ପର୍ଯ୍ୟନ୍ତ ଏଠାରେ ସେ ଭଳି ଆଖି ଦୃଶିଆ ଆନ୍ତର୍ଜାତୀୟ ମୁକାବିଲା ଆୟୋଜିତ ହୋଇପାରି ନାହିଁ । ଦିନକୁ ଦିନ ଏହା ଶ୍ରୀହୀନ ଏବଂ ବିବର୍ଣ୍ଣ ହେଉଛି ।
ପାଚେରୀ ଚାରି ପଟେ ପୂର୍ବ ଭଳି ମାଛ ଓ ଶୁଖୁଆର ପସାର ଏବଂ ଗେଟ ସାମ୍ନାରେ ରାତିରେ ନିଶାଖୋର ଆଡ୍ଡାସ୍ଥଳୀ । ବକ୍ସିଂ, ରେସଲିଂ, ଜିମ୍ନାଷ୍ଟିକ୍ସ, ଟେବୁଲ ଟେନିସ, ବ୍ୟାଡମିଂଟନ ପରି ଇନଡୋର ମୁକାବିଲା ପାଇଁ ମଧ୍ୟ ସୁବିଧା ସୁଯୋଗ ଯୋଗାଇ ଦିଆଯାଇଥିଲା । ଜିମ୍ନାଷ୍ଟମାନେ ଅଭ୍ୟାସ କରୁଥିବା ବେଳେ ଆବଶ୍ୟକ ପରିମାଣୀ ସ୍ପଞ୍ଜ କ୍ୟୁବ ନାହିଁ । ସୁରକ୍ଷା ପ୍ରତି କାହାର ନଜର ନାହିଁ । କ୍ରିକେଟର ଅଭ୍ୟାସ ଏରିଆ କିଛି ହାତ ଗଣତି ଯୁବକଙ୍କ ହାତରେ । ଅନ୍ୟ କାହାକୁ ସୁଯୋଗ ଦେଉ ନାହାନ୍ତି । ଏହାର ନେଟ ଏବଂ ପାରିପାଶ୍ୱିର୍କ ସ୍ଥିତି ନଷ୍ଟ ହୋଇଗଲାଣି । ଏଠାରେ ନୀଳାଚଳ ଟ୍ରଫି ଓ ୧୯ ବର୍ଷରୁ କମ ଅଭ୍ୟାସ ମ୍ୟାଚ ଆୟୋଜିତ ହୋଇଛି । ଏହା କିନ୍ତୁ ଏଥିପାଇଁ କଣ ନିର୍ମାଣ ହୋଇଥିଲା । ପାଖାପାଖି ୧୨ଟି ପିଚର ଅବସ୍ଥା ଶୋଚନୀୟ ରହିଛି । ନୂଆ ସରକାର ଆସିବା ପରେ ଏହାର ବାକିଥିବା କାର୍ଯ୍ୟ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତୃଣମୂଳ ସ୍ତରରେ ପ୍ରତିଭା ସମ୍ମୁଖକୁ ଆଣିବା ପାଇଁ ଏହା ନିର୍ମାଣ କରାଯାଇଥିଲା । ଏବେ ସେବକ ପ୍ରିମିୟର ଲିଗ ପରି ନିମ୍ନମାନର ପ୍ରତିଯୋଗିତା ଏଠାରେ ଆୟୋଜିତ ହେଉଛି ।
ତୀରନ୍ଦାଜ ପରି ଅନେକ ପ୍ରତିଯୋଗିତା ଆୟୋଜିତ ହେଉଛି ମାତ୍ର ସେଥିପାଇଁ ପର୍ଯ୍ୟାପ୍ତ ସୁବିଧା ରହୁ ନାହିଁ । କ୍ରୀଡା ଛାତ୍ରାବାସକୁ ବୃଦ୍ଧି କରାଯିବା ଆବଶ୍ୟକ ରହିଛି । ସେମାନଙ୍କ ସୁରକ୍ଷା ଏବଂ ଅଭ୍ୟାସ ପାଇଁ ସରକାର ଆବଶ୍ୟକ ପଦକ୍ଷେପ ଗ୍ରହଣ କରନ୍ତୁ । ଜଣେ ବାହା ବାଃ ନେଇ ଯାଇଥିବାରୁ ନୂଆ ସରକାରଙ୍କ ଆଗ୍ରହ କମିଯାଉଛି କି ? କାମ ସମ୍ପୂର୍ଣ୍ଣ କଲେ ବିରୋଧୀ ରଙ୍ଗମରା ସରକାର କହିବେ ? ସାଧାରଣ ଜନତା ସବୁ ଜାଣନ୍ତି । ଭଲ କାର୍ଯ୍ୟ ହେଲେ ନିଶ୍ଚିତ ଭାବେ ପ୍ରଶଂସା କରିବେ । ଆତ୍ମପ୍ରଶଂସା ଓ ରାଜନୀତି ପ୍ରତି ଧ୍ୟାନ ନ ଦେଇ ପୁରୀର ଏହି ଷ୍ଟାଡିୟମ କିପରି ପୂର୍ବଭଳି ସଜେଇ ହେବ ତାହା ଆମ ସରକାର ବୁଝିବେ ବୋଲି କ୍ରୀଡାପ୍ରେମୀ ଆଶା ବାନ୍ଧିଛନ୍ତି ।
Comments are closed.