ପୁରୀ: ଆଜିଠୁ କାର୍ତ୍ତିକ ମାସର ମହାପଞ୍ଚୁକ ବ୍ରତ । ତିଥି କ୍ଷୟ ଯୋଗୁଁ ଏଥର ୫ ଦିନ ବଦଳରେ ୪ ଦିନ ପଞ୍ଚୁକ ବ୍ରତ ପାଳନ କରାଯିବ । ଅନ୍ୟପଟେ ପଞ୍ଚୁକ ପାଇଁ ଭିଡ଼ରେ ଉଛୁଳିଲାଣି ଶ୍ରୀମନ୍ଦିର । ପବିତ୍ର ପଞ୍ଚୁକ ଅବସରରେ ପୁରୀରେ ନାହିଁ ନଥିବା ଭିଡ ଦେଖିବାକୁ ମିଳିଛି । ପୁରୀ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ଠେଲାପେଲା ପରିସ୍ଥିତି ଉପୁଜିଛି । ପତିତପାବନ ବ୍ୟାରିକେଡ୍ରେ ଠେଲାପେଲା ପରିସ୍ଥିତି ଉପୁଜିଛି । ଠେଲାପେଲାରେ ଅନେକ ଭକ୍ତ ଆହତ ହେବା ସହପ୍ରଶାସନ ଓ ପୋଲିସ ବ୍ୟବସ୍ଥାକୁ ନେଇ ଜନ ଅସନ୍ତୋଷ ବୃଦ୍ଧି ପାଇଛି ।
ତେବେ ପଞ୍ଚୁକ ପାଇଁ ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିବା ସତ୍ତ୍ଵେ ମଧ୍ୟ ଏପରି ସ୍ଥିତି ଉପୁଜିଛି । ସକାଳୁ କେବଳ ସିଂହଦ୍ୱାର ଦେଇ ଭକ୍ତ ପ୍ରବେଶ କରୁଥିବା ବେଳେ ଅନ୍ୟ ତିନି ଦ୍ୱାର ଦେଇ ପ୍ରସ୍ଥାନ କରୁଛନ୍ତି । ସେପଟେ ଶୃଙ୍ଖଳିତ ଦର୍ଶନ ପାଇଁ ମରିଚକୋଟ ଛକରୁ ଭକ୍ତଙ୍କ ପାଇଁ ବ୍ୟାରିକେଡ଼ ବ୍ୟବସ୍ଥା କରାଯାଇଛି। ୫ ଜଣ ଅତିରିକ୍ତ ଏସପି, ୧୪ ଜଣ ଡିଏସପି, ୨୬ ଜଣ ଇନସପେକ୍ଟର ସହ ୩୮ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଅନ୍ୟପଟେ ହବିଷ୍ୟାଳୀମାନଙ୍କ ପାଇଁ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କରାଯାଇଛି ।