Latest Odisha News

ଭକ୍ତଙ୍କ ପ୍ରତି ସେବାୟତଙ୍କ ଆଚରଣ ଓ ଉଚ୍ଚାରଣରେ ପରିବର୍ତ୍ତନ ଆଣିବାକୁ ନିବେଦନ କଲା ଶ୍ରୀମନ୍ଦିର ପ୍ରଶାସନ

ପୁରୀ: ଗତ 17 ତାରିଖ ଦିନ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶୁଭ ଉଦଘାଟନ ଭବ୍ୟ ଭାବେ ଅନୁଷ୍ଠିତ ହୋଇଯାଇଥିବା ବେଳେ, ପ୍ରକଳ୍ପ ଉଦ୍ଘାଟନ ନେଇ ସାରା ରାଜ୍ୟରେ ଅର୍ପଣ ରଥ ଘୁରି ବୁଲିଥିଲା । ଏହା ମାଧ୍ୟମରେ ରାଜ୍ୟର କୋଣ ଅନୁକୋଣରୁ ଜଗନ୍ନାଥ ପ୍ରେମୀ ଭକ୍ତ ମାନେ ଚାଉଳ, ଗୁଆ ଓ ଟଙ୍କା ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଥିଲେ । ତେବେ ଆଜି ବିଭିନ୍ନ ଜିଲ୍ଲାରୁ ସଂଗୃହିତ ହୋଇଥିବା ଦାନ ଟଙ୍କାକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଗ୍ରହଣ କରାଯାଇଛି ।

ଏନେଇ ପ୍ରଶାସନିକ କାର୍ଯ୍ୟାଳୟରେ ସ୍ୱତନ୍ତ୍ର ଭାବେ ଚାରିଗୋଟି କାଉଣ୍ଟର କରାଯାଇଥିବା ବେଳେ ସ୍ୱତନ୍ତ୍ର ଅଧିକାରୀ ଓ ଟଙ୍କା ଗଣତି ମେସିନ ରଖାଯାଇଛି । ପ୍ରାୟ ବିଭିନ୍ନ ଜିଲ୍ଲାରୁ ପ୍ରାୟ 2 କୋଟିରୁ ଅଧିକ ଟଙ୍କା ସଂଗ୍ରହ ନେଇ ଆକଳନ କରାଯାଇଥିବା ବେଳେ, ଭକ୍ତ ଓ ଶ୍ରଦ୍ଧାଳୁ ଦେଇଥିବା ଅର୍ଥକୁ ପ୍ରାଥମିକ ଭାବେ ବ୍ୟାଙ୍କରେ ଜମା କରାଯିବା ସହ ପରବର୍ତ୍ତୀ ସମୟରେ ଏହାକୁ କିପରି ବିନିଯୋଗ କରାଯିବ ସେ ନେଇ ନିଷ୍ପତ୍ତି ନିଆଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି ।

ସେପଟେ ଶ୍ରୀମନ୍ଦିରରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କୁ ଶାଳୀନତାପୂର୍ଣ୍ନ ବ୍ୟବହାର ପ୍ରଦାନ ଉପରେ ସେବାୟତ ଓ କର୍ମଚାରୀଙ୍କୁ ଆଜି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି । ପୂର୍ବରୁ ବାରମ୍ବାର ସେବାୟତ ମାନେ ଭକ୍ତଙ୍କୁ ର୍ଦୁବ୍ୟବହାର କରିବା ନେଇ ନଜିର୍ ରହିଥିବା ବେଳେ ଶ୍ରଦ୍ଧାଳୁ ମାନେ ତିକ୍ତ ଅନୁଭୂତି ନେଇ ଫେରୁଥିଲେ ।

ତେବେ ଦୀର୍ଘବର୍ଷ ପରେ ସେବାୟତଙ୍କ ଆଚରଣ ଓ ଉଚାରଣରେ ଶାଳୀନତା ଆଣିବାକୁ ତଥା ଅତିଥି ଦେବୋ ଭବଃ ର ମର୍ଯ୍ୟାଦା ବଜାୟ ରଖିବାକୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବିଭିନ୍ନ ସେବାୟତ ନିଯୋଗକୁ ଚିଠି ଯୋଗେ ଅବଗତ କରାଇଛନ୍ତି । ଛତିଶା ନିଯୋଗ ସହ ଶ୍ରୀମନ୍ଦିର କମାଣ୍ଡର, ସୁପରଭାଇଜର, ଜେଟିପି ଓ ଶ୍ରୀମନ୍ଦିର ପ୍ରଶାସନର ସମସ୍ତ ଅଧିକାରୀଙ୍କୁ ଏନେଇ ଚିଠି କରିଛନ୍ତି ମୁଖ୍ୟ ପ୍ରଶାସକ ।

ପୂର୍ବରୁ ଶାଳୀନତା ପୂର୍ଣ୍ଣ ପୋଷାକ ପରିଧାନ ତଥା ଶ୍ରୀମନ୍ଦିରରେ ପାନ ଗୁଟଖା ସେବନ ଓ ପଲିଥିନ ବାରଣ ନେଇ ନିବେଦନ କରାଯାଇଥିଲା । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଏହି ସବୁ ନିବେଦନ କରିବା ପରେ ଶ୍ରୀମନ୍ଦିର ସେବାୟତଙ୍କ ସମେତ ଭକ୍ତ ଓ ଶ୍ରଦ୍ଧାଳୁ ଏହାକୁ ମାନୁଥିବା ଜଣାପଡିଛି ।

ତେବେ ଅର୍ପଣ ରଥ ମାଧ୍ୟମରେ ସଂଗୃହିତ ହୋଇଥିବା ଚାଉଳ ଓ ଗୁଆ ଆଦି ସାମଗ୍ରୀ ଶ୍ରୀମନ୍ଦିର ଭିତରକୁ ଯିବାନେଇ ପୂର୍ବରୁ ବିରୋଧାଭାଷ ଦେଖାଦେଇଥିବା ବେଳେ ଏବେ ଭକ୍ତଙ୍କୁ ଭଲ ବ୍ୟବହାର ପ୍ରଦର୍ଶନ କରିବା ଦିଗରେ ସେବାୟତଙ୍କ ଆଚରଣ ଓ ଉଚାରଣରେ ପରିବର୍ତ୍ତନ ଆସୁଛି କି ନାହିଁ ତାହା ଉପରେ ସମସ୍ତଙ୍କ ନଜର ରହିଛି ।

Comments are closed.