Latest Odisha News

‘ପୁଷ୍କରା’କୁ ମିଳିଲା ଜାତୀୟ ଚଳଚ୍ଚିତ୍ର ପୁରସ୍କାର;ଟିମ୍‌କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଜାତୀୟ ଚଳଚ୍ଚିତ୍ର ପୁରସ୍କାର-୨୦୨୩ ଘୋଷଣା ହୋଇଛି। ଶୁଭ୍ରାଂଶୁ ଦାଶଙ୍କ ନିର୍ଦ୍ଦେଶିତ ‘ପୁଷ୍କରା’କୁ ଶ୍ରେଷ୍ଠ ଓଡ଼ିଆ ଫିଲ୍ମ ଭାବେ ଜାତୀୟ ପୁରସ୍କାର ମିଳିବ। ତରଙ୍ଗ ସିନେ ପ୍ରଡକସନ୍ସର ‘ପୁଷ୍କରା’ ଶ୍ରେଷ୍ଠ ଓଡ଼ିଆ ଫିଲ୍ମ ବିବେଚିତ ହୋଇଛି। ଓଡ଼ିଆ ଫିଲ୍ମ ‘ପୁଷ୍କରା’କୁ ଶ୍ରେଷ୍ଠ ଓଡ଼ିଆ ଫିଚର ଫିଲ୍ମ ଭାବେ ଘୋଷଣା କରାଯାଇଛି । ପୁଷ୍କରା ଚଳଚ୍ଚିତ୍ରର କାହାଣୀ ମୃତ୍ୟୁ ପରେ ପୁଷ୍କର ଛଡ଼ାଇବା ପରମ୍ପରା ଉପରେ ପର୍ଯ୍ୟବେସିତ।

ତେବେ ଏନେଇ ‘ପୁଷ୍କରା’ ଟିମ୍‌କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ‘ପୁଷ୍କରା’ର ନିର୍ମାତା, ନିର୍ଦ୍ଦେଶକ, କଳାକାରଙ୍କୁ ଶୁଭେଚ୍ଛା ଜଣାଉଛି ।ମୌଳିକ ଓ ଉତ୍ତମ ଚଳଚ୍ଚିତ୍ର ସହ ଓଡ଼ିଆ ଫିଲ୍ମ ଜଗତ ଆଗକୁ ବଢୁ କାମନା କରୁଛି ବୋଲି ମୋହନ ମାଝୀ କହିଛନ୍ତି ।

୨୦୨୩ ସେପ୍ଟେମ୍ୱର ୧୯ରେ ରିଲିଜ ହୋଇଥିଲା ଏହି ଫିଲ୍ମ । ଶଙ୍କର ତ୍ରିପାଠୀଙ୍କ ରଚିତ ଓଡ଼ିଆ ଉପନ୍ୟାସ ‘ନାଦ ବିନ୍ଦୁ’ରୁ ପ୍ରସ୍ତୁତ ହୋଇଛି ଚଳଚିତ୍ର ପୁଷ୍କରା । ଏହି ଫିଲ୍ମର କାହାଣୀ ଏବଂ ସଂଳାପ ମଧ୍ୟ ଶଙ୍କର ତ୍ରିପାଠୀ ଲେଖିଥିବା ବେଳେ ଶୁଭ୍ରାଂଶୁ ଦାସ ନିର୍ଦ୍ଦେଶନା ଦେଇଥିଲେ । ଏହି ଫିଲ୍ମରେ ଅଭିନେତା ସବ୍ୟସାଚୀ ମିଶ୍ର, ଅଭିନେତ୍ରୀ ସୁପ୍ରିୟା ନାୟକ, ବିକାଶ ଚୌଧୁରୀ, ସ୍ବର୍ଗତ ଅଭିନେତା ପିଣ୍ଟୁ ନନ୍ଦ, ତ୍ରିଭୁବନ ପଣ୍ଡାଙ୍କ ସମେତ ଅନେକ କଳାକାର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । ଏହି ଫିଲ୍ମ ଲୋକଙ୍କ ମନ ଜିତିବା ସହ ପ୍ରଶଂସା ସାଉଁଟିଥିଲା । ବର୍ତ୍ତମାନ ଏହି ଫିଲ୍ମ ୭୧ତମ ଜାତୀୟ ଫିଲ୍ମ ପୁରସ୍କାର ପାଇବାକୁ ଯାଉଛି ।

ସୂଚନାଥାଉକି, ୨୦୨୧ରେ ‘ପ୍ରତୀକ୍ଷା’ ଶ୍ରେଷ୍ଠ ଓଡିଆ ଚଳଚ୍ଚିତ୍ର ଭାବେ ଜାତୀୟ ପୁରସ୍କାର ପାଇଥିବା ବେଳେ ୨୦୨୨ରେ ‘ଦମନ’ ଶ୍ରେଷ୍ଠ ଓଡିଆ ଚଳଚ୍ଚିତ୍ର ଭାବେ ଜାତୀୟ ପୁରସ୍କାର ପାଇଥିଲା ।

Comments are closed.