Latest Odisha News

ନୀତିଶ ରେଡ୍ଡୀଙ୍କ ‘ବାହୁବଳୀ’ ଶତକ

ନୂଆଦିଲ୍ଲୀ: ମେଲବର୍ଣ୍ଣରେ ନୀତିଶ ରେଡ୍ଡୀ ଝଡ଼ । ଭାରତୀୟ ଟିମ୍ ପାଇଁ ସାଜିଲେ ସଂକଟମୋଚକ । ପ୍ରଥମ ସେଞ୍ଚୁରୀରେ ହିଁ ରଚିଲେ ଇତିହାସ । ବର୍ଡର ଗାଭାସ୍କର ଟ୍ରଫି ମେଲବର୍ଣ୍ଣ ଟେଷ୍ଟର ତୃତୀୟ ଦିନରେ ଅଷ୍ଟ୍ରେଲିଆର ଚକ୍ରବ୍ୟୂହରେ ଫସିଥିଲା ଭାରତୀୟ କ୍ରିକେଟ୍ ଟିମ୍ । ହେଲେ ଏହି ସମୟରେ କମାଲ୍ କରିଥିଲେ ଅଲରାଉଣ୍ଡର ନୀତିଶ ରେଡ୍ଡୀ । ମେଲବର୍ଣ୍ଣ ଟେଷ୍ଟରେ ଦେଖିବାକୁ ମିଳିଥିଲା ନୀତିଶ ଝଡ଼ । ଟେଷ୍ଟରେ ଡେବ୍ୟୁ ଶତକ ଲଗାଇବା ସହ ଅନେକ ରେକର୍ଡ କରିଛନ୍ତି ନୀତିଶ । ଗ୍ରାଉଣ୍ଡରେ ନୀତିଶଙ୍କ ପୁଷ୍ପା ଓ ବାହୁବଲୀ ଅନ୍ଦାଜକୁ ବେଶ୍ ପସନ୍ଦ କରିଛନ୍ତି ଦର୍ଶକ ।

ମେଲବର୍ଣ୍ଣ ଗ୍ରାଉଣ୍ଡରେ ପୁଷ୍ପା, ବାହୁବଳୀ

ଅର୍ଦ୍ଧଶତକ ପରେ ଅଲ୍ଲୁ ଅର୍ଜୁନଙ୍କ ସୁପରହିଟ୍ ଫିଲ୍ମ ପୁଷ୍ପାର ସିଗନେଚର ଷ୍ଟାଇଲରେ ବେକରେ ବ୍ୟାଟ ଲଗାଇଥିଲେ ତ ଶତକ କରିବା ପରେ ବ୍ଲକବଷ୍ଟର ଫିଲ୍ମ ବାହୁବଲୀ ଷ୍ଟାର ପ୍ରଭାସଙ୍କ ଷ୍ଟାଇଲରେ ଗ୍ରାଉଣ୍ଡରେ ବସିଥିଲେ ନୀତିଶ ରେଡ୍ଡୀ । ମେଲବର୍ଣ୍ଣ ଷ୍ଟାଡିୟମରେ ଏ ଦୃଶ୍ୟ ଦେଖୁଥିଲେ ୮୦ହଜାର ଦର୍ଶକ ଆଉ ଘରେ ଟିଭିରେ ଲକ୍ଷ ଲକ୍ଷ କ୍ରିକେଟପ୍ରେମୀ । ନା ଅଷ୍ଟ୍ରେଲିଆ ଟିମର ଚାପରେ ନଇଁଥିଲେ ନା ପ୍ରତିଦ୍ବନ୍ଦୀ ଟିମର ବୋଲରଙ୍କ ଆକ୍ରମଣାତ୍ମକ ବୋଲିଂରେ ଅଟକିଥିଲେ ନୀତିଶ । ମେଲବର୍ଣ୍ଣ ଗ୍ରାଉଣ୍ଡରେ ମ୍ୟାଜିକ୍ କରିଥିଲେ ୨୧ବର୍ଷୀୟ ଅଲରାଉଣ୍ଡର ନୀତିଶ ।

ଡେବ୍ୟୁ ଶତକ, ଅନେକ ରେକର୍ଡ

ମେଲବର୍ଣ୍ଣ ଗ୍ରାଉଣ୍ଡରେ ଡେବ୍ୟୁ ଶତକ ସହ ଅନେକ ରେକର୍ଡ କରିଛନ୍ତି ନୀତିଶ ରେଡ୍ଡୀ। ଅଷ୍ଟ୍ରେଲିଆରେ ୮ନମ୍ବର ଖେଳାଳି ଭାବେ ସେ ମଇଦାନକୁ ଓହ୍ଲାଇ ଶତକ କରିଥିବା ପ୍ରଥମ ଭାରତୀୟ ଖେଳାଳି ପାଲଟିଛନ୍ତି। ଏହାପୂର୍ବରୁ ଅନିଲ କୁମ୍ବଲେ ସର୍ବାଧିକ ୮୭ରନ୍ ସ୍କୋର କରିଥିଲେ । ସେହିପରି ଅଷ୍ଟ୍ରେଲିଆରେ ଟେଷ୍ଟ ଶତକ କରିବାରେ ସେ  ତୃତୀୟ ସବୁଠୁ କମ୍ ବୟସର କ୍ରିକେଟ ଖେଳାଳି। ସବୁଠୁ କମ୍ ବୟସର ଖେଳାଳି ଭାବେ ଅଷ୍ଟ୍ରେଲିଆରେ ଶତକ କରିବାର ରେକର୍ଡ ସଚିନ ତେନ୍ଦୁଲକରଙ୍କ ନାଁରେ ରହିଛି । ସେ ୧୮ବର୍ଷ ୨୫୬ଦିନରେ ସେଞ୍ଜୁରୀ ମାରିଥିଲେ। ତାଙ୍କ ପରେ ରହିଛି ଋଷଭ ପନ୍ଥଙ୍କ ନାଁ । ସେ ୨୧ବର୍ଷ ୯୨ ଦିନରେ ଅଷ୍ଟ୍ରେଲିଆରେ ଟେଷ୍ଟ ଶତକ କରିଥିଲେ । ଏହାପରେ ତୃତୀୟ ଖେଳାଳି ଭାବେ ୨୧ବର୍ଷ ୨୧୬ଦିନରେ ସେଠାରେ ଟେଷ୍ଟ ଶତକ ମାରିଛନ୍ତି ନୀତିଶ । ସେହିପରି ଅଷ୍ଟମ ଓ୍ବିକେଟରେ ଅଷ୍ଟ୍ରେଲିଆରେ ଭାରତର ଦ୍ବିତୀୟ ସବୁଠୁ ବଡ ପାର୍ଟନରସିପ୍ ରେକର୍ଡ ନୀତିଶ ରେଡ୍ଡୀ ଓ ଓ୍ବାଶିଂଟନ ସୁନ୍ଦର କରିଛନ୍ତି । ଉଭୟ ଏକାଠି ୧୨୭ରନ୍ କରିଥିଲେ । ଏହାପୂର୍ବରୁ ସଚିନ ତେନ୍ଦୁଲକର ଓ ହରଭଜନ ସିଂଙ୍କ ଯୋଡି ୨୦୦୮ରେ ସିଡନୀରେ ୧୨୯ରନ କରିଥିଲେ ।

ସଂକଟମୋଚକ ନୀତିଶ ରେଡ୍ଡୀ

ମେଲବର୍ଣ୍ଣ ଟେଷ୍ଟରେ ଭାରତୀୟ ଟିମ ପାଇଁ ସଙ୍କଟମୋଚକ ସାଜିଥିଲେ ନୀତିଶ ରେଡ୍ଡୀ । ଯେତେବେଳେ ନୀତିଶ କ୍ରିଜକୁ ଓହ୍ଲାଇଥିଲେ, ୬ଓ୍ବିକେଟ ହରାଇ ଭାରତର ସ୍କୋର ୧୯୧ରନ୍ ଥିଲା । ଟିମ୍ ଇଣ୍ଡିଆ ଫଲୋଅନ୍ ହେବା ନେଇ ଆଶଙ୍କାରେ ରହିଥିଲେ କ୍ରିକେଟପ୍ରେମୀ । ହେଲେ ଠିକ୍ ଏହି ସମୟରେ ଟିମ୍ ପାଇଁ ସଙ୍କଟମୋଚକ ସାଜିଥିଲେ ନୀତିଶ ରେଡ୍ଡୀ । ଓ୍ବାଶିଂଟନ ସୁନ୍ଦରଙ୍କ ସହ ମିଶି ୧୨୭ରନର ପାର୍ଟନରସିପ୍ ସ୍କୋର କରିଥିଲେ ନୀତିଶ । ଫଳରେ ବଦଳିଥିଲା ମ୍ୟାଚର ମୋଡ, ଫଲୋଅନରୁ ରକ୍ଷା ପାଇବାରେ ସଫଳ ହୋଇଥିଲେ ରୋହିତ ବ୍ରିଗେଡ୍ ।

ଅଷ୍ଟ୍ରେଲିଆ ଟେଷ୍ଟ ପାଇଁ ଭାରତୀୟ ଟିମରେ ନୀତିଶଙ୍କୁ ସ୍ଥାନ ଦେବାକୁ ନେଇ ପ୍ରଶ୍ନ ଉଠିଥିଲା । ତେବେ ପର୍ଥ ଟେଷ୍ଟରେ ଡେବ୍ୟୁରୁ ହିଁ ସମାଲୋଚକଙ୍କୁ ମୁହଁତୋଡ୍ ଜବାବ ଦେଇଥିଲେ ନୀତିଶ । ପର୍ଥ ଟେଷ୍ଟରେ ୪୧ ଓ ଅପରାଜିତ ୩୮ରନ୍ କରିଥିଲେ । ଏହାପରେ ସେ ଏଡିଲେଡ ଟେଷ୍ଟର ଉଭୟ ପାଳିରେ ମଧ୍ୟ ୪୨ରନ୍ ଲେଖାଏଁ କରିଥିଲେ । ବ୍ରିସବେନ୍ ଟେଷ୍ଟରେ ସେତେଟା ଭଲ ପ୍ରଦର୍ଶନ କରିପାରିନଥିଲେ ନୀତିଶ । ୩ଟି ଟେଷ୍ଟ ପରେ ମେଲବର୍ଣ୍ଣ ଟେଷ୍ଟରୁ ନୀତିଶ ରେଡ୍ଡୀଙ୍କୁ ବାଦ୍ ଦେବା ନେଇ ଚର୍ଚ୍ଚା ହେଉଥିଲା। ହେଲେ ଟିମ୍ ମ୍ୟାନେଜମେଣ୍ଟ ନୀତିଶଙ୍କୁ ଭରସା କରିଥିଲେ । ଆଉ ମେଲବର୍ଣ୍ଣ ଟେଷ୍ଟରେ ନୀତିଶଙ୍କ ପ୍ରଦର୍ଶନ ତାଙ୍କୁ କ୍ରିକେଟପ୍ରେମୀଙ୍କ ହୃଦୟରେ ସ୍ଥାନ ଦେଇଛି । ସାଧାରଣ ପରିବାରରୁ ଆସିଥିବା ନୀତିଶ କ୍ରିକେଟର ହେବାର ଯାତ୍ରା ବେଶ୍ ସଂଘର୍ଷପୂର୍ଣ୍ଣ ରହିଥିଲା । ନୀତିଶଙ୍କୁ କ୍ରିକେଟ ଖେଳାଳି କରିବା ପାଇଁ ତାଙ୍କ ବାପା ଚାକିରି ଛାଡିଦେଇଥିଲେ । ନୀତିଶ ତାଙ୍କ ପ୍ରଥମ ଟେଷ୍ଟ ଶତକ ବାପାଙ୍କୁ ଉତ୍ସର୍ଗ କରିଥିବା ବେଳେ ଭାବବିହ୍ବଳ ହୋଇଥିଲେ ତାଙ୍କ ବାପା ।

Leave A Reply

Your email address will not be published.