ମସ୍କୋ: ରୁଷ ରାଷ୍ଟ୍ରପତି ଭ୍ଲାଡିମିର ପୁତିନଙ୍କ ବିରୋଧରେ ସୈନ୍ୟ ବିଦ୍ରୋହ ହେବାର ଆଶଙ୍କା ସୃଷ୍ଟି ହୋଇଛି ବୋଲି ରିପୋର୍ଟ ପ୍ରକାଶ ପାଇଛି । ରୁଷର କମାଣ୍ଡର ଇଗୋର ଗିରିକିନ ଏହି ଚେତାବନୀ ଦେଇଛନ୍ତି । ଏହି ବିଦ୍ରୋହ ବିଶେଷ କରି ୱାଗନର ଗ୍ରୁପ କରିପାରନ୍ତି । ରୁଷର ପ୍ରାଇଭେଟ ଆର୍ମି ୱାଗନର ଗ୍ରୁପର ମୂଖ୍ୟ ୟେବେଗାନୀ ପ୍ରିଗିଝିନ ଚେତାବନୀ ଦେଇଛନ୍ତି ଯେ, ୟୁକ୍ରେନର ବାଖମୁତରୁ ଆମେ ସେନା ପ୍ରତ୍ୟାହାର କରିନେବୁ । ରାଷ୍ଟ୍ରପତି ପୁତିନଙ୍କ ପକ୍ଷରୁ ଆମକୁ କୌଣସି ସହାୟତା ମିଳୁନି । ଜାଣିଶୁଣି ଆମେ ଆମ ସୈନିକଙ୍କୁ ବିପଦ ମୁଖକୁ ଠେଲି ଦେବୁନି । ସୂଚନାଯୋଗ୍ୟ, ପ୍ରିଗିଝିନ ହେଉଛନ୍ତି ପୁତିନଙ୍କ ଅତି ନିକଟତର ବ୍ୟକ୍ତି । ସେ ପୂର୍ବରୁ ମଧ୍ୟ ସୈନ୍ୟ ନେତୃତ୍ୱକୁ ସମାଲୋଚନା କରି ଆସିଛନ୍ତି । ଯଦି ପ୍ରିଗିଝିନ ସୈନ୍ୟ ପ୍ରତ୍ୟାହାର କରି ନେବେ ଏହା ଖୋଲାଖୋଲି ଭାବେ ସୈନ୍ୟ ବିଦ୍ରୋହ ବୋଲି ବିବେଚନା କରାଯିବ ।
ଯୁଦ୍ଧ ସମୟ ମଧ୍ୟରେ ପ୍ରିଗିଝିନ ନିଜକୁ ଏକ ଶକ୍ତିଶାଳୀ ନେତା ଭାବେ ମଧ୍ୟ ରୁଷ ଜନସାଧାରଣଙ୍କ ନିକଟରେ ଉପସ୍ଥାପନ କରି ସାରିଛନ୍ତି । ରୁଷ-ୟୁକ୍ରେନ ଯୁଦ୍ଧରେ ବର୍ତମାନ ବାଖମୁତରେ ପ୍ରବଳ ସଂଘର୍ଷ ଜାରୀ ରହିଛି । ପ୍ରଥମରୁ ରୁଷ ସେନା ଆଗୁଆ ଥିଲେ ମଧ୍ୟ ଧିରେ ଧିରେ ଦୁର୍ବଳ ହେବାରେ ଲାଗିଛନ୍ତି । ରୁଷ ମିସାଇଲ ଆକ୍ରମଣ ମାଧ୍ୟମରେ ଉତର ଦେଉଥିଲେ ମଧ୍ୟ ମୁହାଁମୁହିଁ ସଂଘର୍ଷରେ ତାଙ୍କ ସେନା ପଛକୁ ଫେରିଛନ୍ତି ।
Comments are closed.