Latest Odisha News

BREAKING NEWS

Putin, Netanyahu on call: କରିପାରିଲେନି ଟ୍ରମ୍ପ, କରି ଦେଖେଇବେ ପୁଟିନ୍?

ନୂଆଦିଲ୍ଲୀ:  ସୁଧୁରିବ କି ମଧ୍ୟପ୍ରାଚ୍ୟ ସ୍ଥିତି?…ଫେରିବ କି ଗାଜାରେ ଶାନ୍ତି?…ଯାହା ଟ୍ରମ୍ପ କରିପାରିଲେନି, ତାହା ପୁଟିନ କରି ଦେଖେଇବେ କି?…କଥା ହେଲେ ନେତାନ୍ୟାହୁ ଏବଂ ପୁଟିନ…ଇରାନର ପରମାଣୁ ଉପରେ ବି କଲେ ବଡ ଆଲୋଚନା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ଇସ୍ରାଏଲୀ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଫୋନ୍ ମାଧ୍ୟମରେ କଥା ହୋଇଥିଲେ। ଦୁଇ ନେତା ମଧ୍ୟପ୍ରାଚ୍ୟର ପରିସ୍ଥିତି ବିଷୟରେ ବ୍ୟାପକ ଆଲୋଚନା କରିଥିଲେ, ବିଶେଷ ଭାବରେ ଗାଜା, ଇରାନର ପରମାଣୁ କାର୍ଯ୍ୟକ୍ରମ ଏବଂ ସିରିଆର ପରିସ୍ଥିତି ଉପରେ ଧ୍ୟାନ ଦିଆଯାଇଥିଲା।

ରୁଷ ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ଇସ୍ରାଏଲୀ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ ଏକ ଫୋନ୍ ମାଧ୍ୟମରେ କଥା ହୋଇଥିଲେ। ଯେଉଁଥିରେ ଗାଜା ଯୁଦ୍ଧବିରତି ଚୁକ୍ତି ଏବଂ ବନ୍ଦୀମାନଙ୍କ ବିନିମୟକୁ ଦୃଷ୍ଟିରେ ରଖି ମଧ୍ୟପ୍ରାଚ୍ୟର ପରିସ୍ଥିତି ଉପରେ ଆଲୋଚନା କରାଯାଇଥିଲା। ଦୁଇ ନେତା ଗାଜାର ପରିସ୍ଥିତି, ଯୁଦ୍ଧବିରତି ଏବଂ କଏଦୀ ବିନିମୟ ପ୍ରକ୍ରିୟା, ଇରାନର ପରମାଣୁ କାର୍ଯ୍ୟକ୍ରମର ଅବସ୍ଥା ଏବଂ ସିରିଆକୁ ସ୍ଥିର କରିବା ପାଇଁ ପ୍ରୟାସ ସମ୍ପର୍କରେ ଗମ୍ଭୀର ଆଲୋଚନା କରିଥିଲେ।

ଫେଲ୍ ମାରିଲା ଟ୍ରମ୍ପଙ୍କ ପ୍ରୟାସ

ଏହି କଲ୍ ଏପରି ଏକ ସମୟରେ ହୋଇଛି, ଯେତେବେଳେ ଜାତିସଂଘରେ ଆମେରିକାର କୂଟନୈତିକ କାର୍ଯ୍ୟକଳାପ ବୃଦ୍ଧି ପାଇଛି । ଏହି ସପ୍ତାହରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ୨୦-ସୂତ୍ରୀ ଗାଜା ଯୋଜନାକୁ ଅନୁମୋଦନ କରିବାକୁ ସୁରକ୍ଷା ପରିଷଦକୁ ଅନୁରୋଧ କରିଥିଲା। ଏହି ଯୋଜନାରେ ଇସ୍ରାଏଲ ଏବଂ ହମାସ ମଧ୍ୟରେ ତୁରନ୍ତ ଯୁଦ୍ଧବିରତି, ଧୀରେ ଧୀରେ ଇସ୍ରାଏଲୀ ସୈନ୍ୟ ପ୍ରତ୍ୟାହାର, ବନ୍ଧକଙ୍କୁ ମୁକ୍ତ କରିବା, ଆନ୍ତର୍ଜାତୀୟ ଶାନ୍ତି ବୋର୍ଡ ଅଧୀନରେ ଗାଜାରେ ଏକ ଅସ୍ଥାୟୀ ପ୍ରଶାସନ, ସମଗ୍ର ଅଞ୍ଚଳର ସାମରିକୀକରଣ ଏବଂ ଭବିଷ୍ୟତରେ ବଡ଼ ଧରଣର ପୁନଃନିର୍ମାଣ କରିବାର ପ୍ରତିଶ୍ରୁତି ଦେଇଥିଲା ।  ତେବେ ପୁଟିନ ଏବଂ ନେତାନ୍ୟାହୁଙ୍କ ଶେଷ ଆଲୋଚନା ଅକ୍ଟୋବରରେ ହୋଇଥିଲା, ଯେତେବେଳେ ଟ୍ରମ୍ପଙ୍କ ଶାନ୍ତି ଯୋଜନା ଉପରେ ଆନ୍ତର୍ଜାତୀୟ ଆଲୋଚନା ଶୀର୍ଷରେ ଥିଲା। ପ୍ରସ୍ତାବକୁ ଅକ୍ଟୋବର ୧୩ ତାରିଖରେ ଶାର୍ମ ଏଲ୍-ଶେଖରେ ଏକ ସମ୍ମିଳନୀରେ ବ୍ୟାପକ ସମର୍ଥନ ମିଳିଥିଲା। ଟ୍ରମ୍ପ ଏହାକୁ ସେପ୍ଟେମ୍ବର ୨୯ ତାରିଖରେ ଉପସ୍ଥାପନ କରିଥିଲେ। ଇସ୍ରାଏଲ ଏହାକୁ ସାର୍ବଜନୀନ ଭାବରେ ଗ୍ରହଣ କରିଥିଲେ। ତଥାପି, ହମାସ ଏପର୍ଯ୍ୟନ୍ତ ଏହାର ସମସ୍ତ ସର୍ତ୍ତକୁ ସମ୍ପୂର୍ଣ୍ଣ ଗ୍ରହଣ କରିନାହିଁ। ଯାହାପରେ ଟ୍ରମ୍ପଙ୍କ ଗାଜା ଶାନ୍ତି ଯୋଜନା ଅଚଳାବସ୍ଥା ଏବଂ ଅନିଶ୍ଚିତତା ଦ୍ୱାରା ଛାଇ ଯାଇଛି ।

ଅସ୍ତ୍ରବିରତି ସତ୍ତ୍ୱେ ବି ଗାଜାରେ ହିଂସା

ଟ୍ରମ୍ପଙ୍କ ତତ୍ତ୍ବାବଧାନରେ ଗାଜାରେ ଅସ୍ତ୍ରବିରତିଲାଗୁ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କିଛି ଲାଭ ହେଲାନି । ପ୍ରାଥମିକ ପର୍ଯ୍ୟାୟରେ ଉଭୟ ପକ୍ଷ ରାଜି ହୋଇଥିବା ବେଳେ ହମାସ ଯୁଦ୍ଧ ବିରତି ଉଲଘଂନ କରିବା ଅଭିଯୋଗରେ ପୁଣି ଇସ୍ରାଏଲୀୟ ସେନା ଗାଜା ଉପରେ ଆକ୍ରମଣ ବର୍ଷା କରିଥିଲେ । ଯାହା ଦୁଇ ଦେଶ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ଅନିଶ୍ଚିତତା ଭିତରକୁ ଠେଲି ଦେଇଛି । ଏବେ ବି ଗାଜାରେ ହିସାଂ ଜାରି ରହିଛି । ୨୦୨୩ ମସିହାରୁ ଚାଲିଥିବା ଏହି ଯୁଦ୍ଧରେ ଶହଶହ ସେନାଙ୍କ ସହ ହଜାର ହଜାର ଲୋକଙ୍କ ପ୍ରାଣ ଗଲାଣି । ଯେଉଁଥିରେ ହମାସର ନିରସ୍ତ୍ରୀକରଣ, ଏକ ଅନ୍ତର୍ଜାତୀୟ ସ୍ଥିରୀକରଣ ବାହିନୀ ପ୍ରତିଷ୍ଠା ଏବଂ ଇସ୍ରାଏଲୀ ସୈନ୍ୟ ପ୍ରତ୍ୟାହାର ପାଇଁ ସର୍ତ୍ତାବଳୀ ସମେତ ଗାଜା ଶାନ୍ତି ଯୋଜନାର ଅଗ୍ରଗତିରେ ଗୁରୁତ୍ୱପୂର୍ଣ୍ଣ ପ୍ରତିବନ୍ଧକ ଜାରି ରହିଛି।

ସେହି ସମୟରେ ଏହି ଦୁଇ ନେତାଙ୍କ ମଧ୍ୟରେ ଏହି ଆଲୋଚନା ଆଞ୍ଚଳିକ ଶାନ୍ତି ପ୍ରୟାସକୁ ପ୍ରେରଣା ଯୋଗାଇପାରେ, କିନ୍ତୁ ଆମେରିକାର ପ୍ରସ୍ତାବ ସହିତ ରୁଷର ମତଭେଦ ଉତ୍ତେଜନାକୁ ବୃଦ୍ଧି କରିପାରେ। ବିଶେଷଜ୍ଞମାନେ ବିଶ୍ୱାସ କରନ୍ତି ଯେ ଏହି କଲ୍ ବହୁପାକ୍ଷିକ ଆଲୋଚନାକୁ ସୁଦୃଢ଼ ​​କରିବାର ସଙ୍କେତ ଦେଉଛି, ଯେଉଁଠାରେ ରୁଷ ମଧ୍ୟସ୍ଥତା ଭୂମିକା ଗ୍ରହଣ କରିପାରିବ।

Comments are closed.