Latest Odisha News

ପିଭିଆର ଏବଂ ଆଇନକ୍ସ ସିନେମା ହଲର ହେଲା ମିଶ୍ରଣ

ନୂଆଦିଲ୍ଲୀ: ସିନେମା ହଲ କମ୍ପାନୀ ପିଭିଆର ଓ ଆଇନକ୍ସ ଲେଜର ଲିମିଟେଡ୍ ମଧ୍ୟରେ ମିଶ୍ରଣ ହୋଇଛି। ଦୁଇଟି ଲୋକପ୍ରିୟ ସିନେମା ହଲର ମିଶ୍ରଣ ପରେ ସାରା ଦେଶରେ ୧୫୦୦ ସ୍କ୍ରିନ ରହିବ ଏହି ମିଳିତ କମ୍ପାନୀର । ଯାହାକି ଦେଶର ସବୁଠାରୁ ବଡ଼ ମଲ୍ଟିପ୍ଲେକ୍ସ ଚେନ୍ ବ୍ୟବସାୟ ହେବ। ରବିବାର ଷ୍ଟକ ଏକ୍ସଚେଞ୍ଜକୁ ଏ ନେଇ ପିଭିଆର ଏବଂ ଆଇନକ୍ସ କହିଛନ୍ତି ଯେ ଦୁଇ କମ୍ପାନୀର ବୋର୍ଡ ସେମାନଙ୍କ ବୈଠକରେ ଆଇନକ୍ସର ସମସ୍ତ ସେୟାରକୁ ପିଭିଆର ସହିତ ମିଶ୍ରଣ କରିବାକୁ ଅନୁମୋଦନ ଦେଇଛନ୍ତି।

ଏହି ଦୁଇ କମ୍ପାନୀ ପୁରୁଣା ନାମରେ ସେମାନଙ୍କର ପ୍ରଚଳିତ ମଲ୍ଟିପ୍ଲେକ୍ସ ପରିଚାଳନା ଜାରି ରଖିବେ, ଯେତେବେଳେ କି ମିଳିତ ବ୍ୟବସାୟକୁ ପିଭିଆର୍ ଆଇନକ୍ସ ଲିମିଟେଡ୍ ନାମରେ ନାମିତ କରାଯିବ। ଏହି ଦୁଇ କମ୍ପାନୀର ମିଶ୍ରଣ ପରେ ଯେଉଁ ନୂଆ ସିନେମା ହଲ ନିର୍ମାଣ ହେବ, ତାକୁ ପିଭିଆର୍ ଆଇନକ୍ସ ନାମରେ ନାମିତ କରାଯିବ।

ଚୁକ୍ତି ଅନୁୟାୟୀ ଆଇନକ୍ସର ପିଭିଆର ସହ ମିଶ୍ରଣ ପାଇଁ ସେୟାର ଅଦଳବଦଳ ଅନୁପାତ ୩:୧୦ ହେବ । ଅର୍ଥାତ ଆଇନକ୍ସର ୧୦ ସେୟାରରେ ପିଭିଆରର ୩ଟି ସେୟାର ରହିବ। ଏହି ମିଶ୍ରଣ ପିଭିଆର, ଆଇନକ୍ସ, ଷ୍ଟକ ଏକ୍ସଚେଞ୍ଜ, ସେବି ଏବଂ ଅନ୍ୟ ନିୟାମକଙ୍କ ଅନୁମୋଦନ ଉପରେ ନିର୍ଭର କରୁଛି।

ସେହିପରି ଚୁକ୍ତି ଅନୁୟାୟୀ ପିଭିଆରର ପ୍ରମୋଟରମାନେ ମିଳିତ ଉଦ୍ୟୋଗରେ ୧୦.୬୨ ପ୍ରତିଶତ ମାଲିକାନା ରଖିଥିବା ବେଳେ ଆଇନକ୍ସର ପ୍ରମୋଟରମାନେ ୧୬.୬୬ ପ୍ରତିଶତ ମାଲିକାନା ରଖିବେ। ଏହି ମିଶ୍ରଣ ପରେ ସଂଯୁକ୍ତ କମ୍ପାନୀରେ ବୋର୍ଡ ସଦସ୍ୟଙ୍କ ସଂଖ୍ୟା ୧୦କୁ ବୃଦ୍ଧି ପାଇବ। ଏହାବ୍ୟତୀତ ଏହି ଦୁଇ କମ୍ପାନୀର ପ୍ରମୋଟର ପରିବାରର ଦୁଇ ଜଣ ସଦସ୍ୟ ବୋର୍ଡରେ ରହିବେ।

ପିଭିଆରର ଅଜୟ ବିଜୁଳି ପରିଚାଳନା ନିର୍ଦ୍ଦେଶକ ଓ ସଞ୍ଜୀବ କୁମାର କାର୍ୟ୍ୟନିର୍ବାହୀ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ତୁଲାଇବେ। ଏବେ ଭାରତର ୭୩ଟି ସହରରେ ପିଭିଆରର ୧୮୧ଟି ପ୍ରୋପର୍ଟି ଅଛି, ଯେଉଁଥିରେ ୮୭୧ଟି ସ୍କ୍ରିନ ରହିଛି । ସେହିପରି ଆଇନକ୍ସର ୭୨ଟି ସହରରେ ୧୬୦ଟି ପ୍ରୋପର୍ଟିରେ ୬୭୫ଟି ସ୍କ୍ରିନ୍ ରହିଛି ।

Leave A Reply

Your email address will not be published.