Latest Odisha News

ବେଙ୍ଗାଲୁରୁର ବିଶାଳ ରନକୁ ସହଜରେ ଜିତିନେଲା ପଞ୍ଜାବ ଟିମ୍

ଆଇପିଏଲ ୨୦୨୨: ଜବରଦସ୍ତ ବ୍ୟାଟିଂ କିନ୍ତୁ ଦୁର୍ବଳ ବୋଲିଂ ପାଇଁ ମ୍ୟାଚ ହାତଛଡା କଲା ବାଙ୍ଗୋଲୋର । ଚଳିତ ଆଇପିଏଲ ମହାସମର ଦ୍ୱିତୀୟ ଦିନରେ ଏପରି ଏକ ରୋମାଞ୍ଚକର ମ୍ୟାଚ ଦେଖିବାକୁ ମିଳିଛି । ପ୍ରଥମେ ବ୍ୟାଟିଂ କରି ଆରସିବି ୨୦୫ ରନର ବିଶାଳ ସ୍କୋର ପ୍ରତିପକ୍ଷ ଟିମ୍ ପଞ୍ଜାବ ଆଗରେ ରଖିଥିଲା । କିନ୍ତୁ ଦୁର୍ବଳ ବୋଲିଂ ପାଇଁ ଜିତୁଥିବା ମ୍ୟାଚକୁ ନିଜ ହାତରୁ ଖସାଇ ଦେଇଛି କୋହଲିଙ୍କ ନେତୃତ୍ବାଧୀନ ଆରସିବି ।

ପଞ୍ଜାବ କିଙ୍ଗ୍ସ ଏକାଦଶ ରବିବାର ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ୨୦୫ ରନର ବିଶାଳ ରନକୁ ୬ଟି ବଲ୍ ପୂର୍ବରୁ ଲକ୍ଷ୍ୟ ହାସଲ କରି ନେଇଛି। ପଞ୍ଜାବ ୧୯ ଓଭରରେ ୫ ଓ୍ୱିକେଟ ହରାଇ ମୋଟ୍ ୨୦୮ ରନ୍ କରିଥିଲା। ଫାଫ୍ ଡୁ ପ୍ଲେସିସ୍ ୮୮ ରନ୍ ଓ ଅଧିନାୟକ ବିରାଟ କୋହଲି ଅପରାଜିତ ୪୧ ରନ ବଳରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ନିର୍ଦ୍ଧାରିତ ୨୦ ଓଭରରେ ୨ ଓ୍ୱିକେଟ ହରାଇ ୨୦୫ ରନ୍ କରିଥିଲା। କିନ୍ତୁ ଖରାପ ବୋଲିଂ ପାଇଁ ଏତେ ବଡ ସ୍କୋର କରିଥିଲେ ବିଜୟୀ ହୋଇପାରିନଥିଲେ।

ବାଙ୍ଗାଲୋରର ବୋଲରମାନେ ୨୧ଟି ଓ୍ୱାଇଡ୍ ସମେତ ୨୨ଟି ଅତିରିକ୍ତ ରନ୍ ଦେଇଥିଲେ। ସେହିପରି କୌଣସି ବ୍ୟାଟସମ୍ୟାନଙ୍କ ଉପରେ ଚାପ ପକାଇ ପାରିନଥିଲେ ବାଙ୍ଗାଲୋର ବୋଲର।

ଅଧିନାୟକ ମୟଙ୍କ ଅଗ୍ରଓ୍ୱାଲ ୩୨, ଶିଖର ଧାଓ୍ୱନ ୪୩, ଭାନୁକା ରାଜପକ୍ଷ ୪୩ ଓ ଲିଆମ୍ ଲିଭିଙ୍ଗଷ୍ଟୋନ୍ ୧୯ ରନ୍ କରିଥିଲେ। ଶାହାରୁଖ୍ ଖାନ୍ ମାତ୍ର ୮ ବଲରୁ ଗୋଟିଏ ଚୌକା ଓ ଦୁଇଟି ଛକା ସହାୟତାରେ ଅପରାଜିତ ୨୪ ରନ୍ କରିଥିବା ବେଳେ ସ୍ମିଥ୍ ମାତ୍ର ୧୯ ବଲରୁ ଗୋଟିଏ ଚୌକା ଓ ତିନିଟି ଛକା ସହାୟତାରେ ୨୫ ରନ କରିଥିଲେ। ସେହିପରି ଷଷ୍ଠ ଓ୍ୱିକେଟ୍ ପାଇଁ ସ୍ମିଥ୍ ଓ ଶାହାରୁଖ୍ ଅପରାଜିତ ୫୨ ରନ୍ ଯୋଡ଼ିଥିଲେ। ଚତୁର୍ଥ ଥର ପାଇଁ ବେଙ୍ଗାଲୁରୁ ୨୦୦ରୁ ଅଧିକ ରନର ସ୍କୋର କରିଥିଲେ ମଧ୍ୟ ମ୍ୟାଚରେ ହାରିଛି।

Leave A Reply

Your email address will not be published.