Latest Odisha News

BREAKING NEWS

ମାଛ ଜାଲରେ ପଡିଥିଲେ ଅଜଗର,ଗୋଧି: ୬ ଦିନ ପରେ ଉଦ୍ଧାର କଲା ସ୍ନେକ୍ ହେଲ୍ପ ଲାଇନ

ବାଲେଶ୍ୱର:  ବର୍ଷା ଦିନେ ଗାଁ ପୋଖରୀ ଗୁଡ଼ିକ ବର୍ଷା ଜଳରେ ଭରି ରହିଥାଏ । ଗାଁ ଲୋକମାନେ ସାଧାରଣତଃ ନିଜ ପୋଖରିରେ ମାଛ ଚାଷ କରିଥାନ୍ତି । ଜଳ ସ୍ଥର ଉଛୁଳା ହେଲେ ପୋଖରୀରୁ ମାଛ ବାହାରି ଯାଆନ୍ତି । ମାଛକୁ ସୁରକ୍ଷିତ ରଖିବା ପାଇଁ ଲୋକମାନେ ପୋଖରି ଚାରିପାଖେ ଜାଲ ବାଡ଼ ଘେରାଇ ଦିଅନ୍ତି । ଠିକ୍ ସେମିତି ବାଲେଶ୍ଵର ଜିଲ୍ଲା ସୋର ବ୍ଲକ ଅନ୍ତର୍ଗତ ରଘୁନାଥପୁର ଗୁଜବାଟି ଗ୍ରାମର ସନ୍ତୋଷ କୁମାର ସେନାପତିଙ୍କ ପୋଖରୀରୁ ମାଛ ବାହାରି ନଯିବା ପାଇଁ ଏକ ମନ୍ଫିସ୍ ଜାଲ ଘେରାଇ ଥିଲେ ।

ଆଜକୁ ୫ ଦିନ ତଳେ ସେହି ଜାଲରେ ଏକ ଅଜଗର ସାପ ପଡିଯାଇଥିଲା । ଯାହାକୁ ନେଇ ସନ୍ତୋଷ ଭୁବନେଶ୍ୱର ଫୋନ୍ କରି ସ୍ନେକ୍ ହେଲ୍ପ ଲାଇନ ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକଙ୍କୁ ସାପଟିକୁ ଉଦ୍ଧାର କରିବା ପାଇଁ ଅନୁରୋଧ କରିଥିଲେ । ଶୁଭେନ୍ଦୁଙ୍କ ଠାରୁ ଖବର ପାଇ ବାଲେଶ୍ଵରରେ ରହୁଥିବା ସ୍ନେକ ହେଲ୍ପ ଲାଇନ ସଦସ୍ୟ ତଥା ରାଜ୍ୟ ସଂଯୋଜକ ସଞ୍ଜୟ ଦାସ ଘଟଣା ସ୍ଥଳରେ ପହଞ୍ଚି ଆଣ୍ଠୁଏ ପାଣିରେ ପଶି ପ୍ରାୟ ୨୦୦ ମିଟର ଯାଇ ଜାଲ ପାଖରେ ପହଞ୍ଚିବା ବେଳକୁ ଅଜଗର ସାପଟି ନିସ୍ତେଜ ହୋଇ ଜାଲରେ ଲାଗିଥିବା ଦେଖିଥିଲେ ।

କିନ୍ତୁ ତା ସହିତ ଆଉ ଦୁଇଟି ଗୋଧି ମଧ୍ୟ ସେଇ ଜାଲରେ ପଡ଼ିଥିବା ଦେଖିବାକୁ ପାଇଲେ ସଞ୍ଜୟ । ପ୍ରଥମେ ସେ, ବନ୍ଧା ଯାଇଥିବା ବାଉଁଶ ଖୁଣ୍ଟରୁ ଜାଲଟିକୁ କାଟି ଅଜଗର ଓ ଗୋଧିଙ୍କ ସହିତ ଜାଲ ନେଇ ଶୁଖିଲା ରାସ୍ତାକୁ ଆସିଥିଲେ । ପରେ ସ୍ଥାନୀୟ ଗ୍ରାମ ବାସୀ ମାନଙ୍କ ସହାୟତାରେ ଜାଲକୁ କାଟି ଅଜଗର ଏବଂ ଗୋଧି ଦୁଇଟିକୁ ମୁକ୍ତ କରିଥିଲେ । ଅଜଗର ସାପଟିର ଲମ୍ବ ପ୍ରାୟ ୫ ଫୁଟ ହେବ ।

ସୂଚନା ମୁତାବକ, ଅଜଗର ଏବଂ ଗୋଧି ଉଭୟ ବନ୍ୟ ପ୍ରାଣୀ ସଂରକ୍ଷଣ ଆଇନ୍, ୧୯୭୨ ଅନୁଯାୟୀ ସିଡ଼୍ୟୁଲ୍ ୧ ସରୀସୃପ । ଏମାନଙ୍କୁ ମାରିଲେ ୭ ବର୍ଷ ପର୍ଯ୍ୟନ୍ତ ଜେଲ ଏବଂ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜୋରିମାନା କିମ୍ବା ଉଭୟ ଦଣ୍ଡର ପ୍ରାବଧାନ ରହିଛି । ଅଜଗର ସାପ ଏବଂ ଗୋଧିଙ୍କୁ ବନ କର୍ମଚାରୀଙ୍କ ଉପସ୍ଥିତିରେ କୁଲଡ଼ିହା ଅଭୟାରଣ୍ୟରେ ଛାଡ଼ି ଦିଆଯାଇଛି ।

Comments are closed.