Latest Odisha News

[ଭିଡିଓ] ଓବିସି ପ୍ରସଙ୍ଗକୁ ନେଇ ଶାସକ ଦଳ ଉପରେ ପୁଣି ବର୍ଷିଲା ବିଜେପି

ଭୁବନେଶ୍ୱର : ଓବିସି ପ୍ରସଙ୍ଗକୁ ନେଇ ଶାସକ ଦଳ ଉପରେ ବର୍ଷିଲା ବିଜେପି । ରାଜ୍ୟ ସରକାର ପଛୁଆ ବର୍ଗଙ୍କୁ ପଛକୁ ଠେଲିଦେଉଥିବା କଥା  କହିଛି ବିଜେପି । ସଂଖ୍ୟାଧିକ ମାନଙ୍କୁ ସାମ୍ବିଧାନିକ ଅଧିକାର ଦେବାକୁ କାହିଁକି କୁଣ୍ଠିତ ବୋଲି ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଛନ୍ତି ବିଜେପି ଓବିସି ମୋର୍ଚ୍ଚାର ସଭାପତି ସୁରଥ ବିଶ୍ୱାଳ ।

ଶାସକ ବିଜେଡି ବିଭିନ୍ନ ସମୟରେ ଆଳ ଦେଖାଇ ନିଜ ସାମ୍ବିଧାନିକ ଦାୟିତ୍ୱରୁ ଓହରି ଯିବା ସହିତ ପଛୁଆ ବର୍ଗଙ୍କୁ କେବଳ ମିଥ୍ୟା ପ୍ରତାରଣା ଦେଇଆସୁଛନ୍ତି । ସଂଖ୍ୟାଧିକ ବର୍ଗଙ୍କ ସ୍ୱାର୍ଥ କଥା କହିଲେ ରାଜ୍ୟ ସରକାର ପଛଘୁଞ୍ଚା ଦେବା ଅତ୍ୟନ୍ତ ଦାୟିତ୍ୱହୀନତାର ପରିଚୟ ।

ବିଗତ କିଛି ଦିନ କାର୍ଯ୍ୟକଳାପରୁ ରାଜ୍ୟ ସରକାର ପଛୁଆ ବର୍ଗଙ୍କୁ ତାଙ୍କ ସାମ୍ବିଧାନିକ ଅଧିକାର ପ୍ରଦାନ କରିବାରେ ଆନ୍ତରିକାତାର ଅଭାବ ଥିବା ସ୍ପଷ୍ଟ ପ୍ରମାଣିତ ହୋଇଛି । ଆଗାମୀ ପଞ୍ଚାୟତ ନିର୍ବାଚନ ପାଇ ରାଜ୍ୟ ସରାକାର ପଛୁଆ ବର୍ଗଙ୍କ ପ୍ରତି ବୈମାତୃକ ମନୋଭାବ ପ୍ରଦର୍ଶନ କରିବା ସହିତ ଦ୍ୱନ୍ଦ ସୃଷ୍ଟି କରି ତାଙ୍କୁ ପଞ୍ଚାୟତ ନିର୍ବାଚନରେ ଭାଗିଦାରି ହେବାରୁ ବଂଚିତ ରଖିବାରେ ହୀନ ପ୍ରୟାସ ଜାରି ରଖିଛନ୍ତି ।

ଉଚ୍ଚ ନ୍ୟାୟାଳୟର ଆଳ ଦେଖାଇ ରାଜ୍ୟ ସରକାର ପଛୁଆ ବର୍ଗଙ୍କୁ ଆଗାମୀ ନିର୍ବାଚନରେ ବଂଚିତ କରାଇବାକୁ ଷଡଯନ୍ତ୍ର କରିବା ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ ଓ ପଛୁଆ ବର୍ଗ ବିରୋଧି । ଏନେଇ ୫୪ ପ୍ରତିଶତ ପଛୁଆ ବର୍ଗଙ୍କ ସ୍ୱାର୍ଥ୍ୟ ଓ ଅଧିକାର ପାଇଁ ଓବିସି ମୋର୍ଚ୍ଚା ତରଫରୁ ଆହୁରୀ ବ୍ୟାପକ ଆନ୍ଦୋଳନ କରାଯିବ ।

ରାଜ୍ୟରେ ଶାସକ ବିଜେଡିର ଓବିସି ବିରୋଧୀ ମନୋଭାବ ବିରୁଦ୍ଧରେ ରାଜଧାନୀରୁ ପଲ୍ଲୀ ପର୍ଯ୍ୟନ୍ତ ଆନ୍ଦୋଳନ କରିବ ବିଜେପି । ଏନେଇ ଆସନ୍ତା ୮ ତାରିଖରେ ସମସ୍ତ ଜିଲ୍ଲାପାଳ ଏବଂ ବ୍ଲକ ଅଫିସରେ ବିକ୍ଷୋଭ ପ୍ରଦର୍ଶନ କରାଯାଇ ମାନ୍ୟବର ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ସ୍ମାରକୀ ପତ୍ର ପ୍ରଦିନ କରିବ ବିଜେପି ।

ଆଗାମୀ ଦିନରେ ଏହି ଆନ୍ଦୋଳନକୁ ପଂଚାୟତ ସ୍ତରକୁ ନିଆଯିବା ସହିତ ରାଜ୍ୟବ୍ୟାପୀ ଦସ୍ତଖତ ସଂଗ୍ରହ ଅଭିଯାନରେ ଓଡିଶାବାସୀଙ୍କ ମତାମତ ସଂଗ୍ରହ କରାଯାଇ ମାନ୍ୟବର ରାଜ୍ୟପାଳଙ୍କୁ ପ୍ରଦାନ କରାଯିବ ବୋଲି ଶ୍ରୀ ବିଶ୍ୱାଳ ସୂଚନା ଦେଇଛନ୍ତି ।

Comments are closed.