Latest Odisha News

ଆଜି ପବିତ୍ର ଅଁଳା ନବମୀ: ଶିବ ଓ ବିଷ୍ଣୁଙ୍କର ପ୍ରିୟ ବୃକ୍ଷ ଅଁଳା, ଜାଣନ୍ତୁ ଏହାର ମାହାତ୍ମ୍ୟ…

ଭୁବନେଶ୍ଵର: ଆଜି ପବିତ୍ର ଅଁଳା ନବମୀ । ଏହାକୁ ଅକ୍ଷୟ ନବମୀ ବୋଲି ମଧ୍ୟ କୁହାଯାଏ । ଆଜିର ଦିନରେ ଶ୍ରଦ୍ଧାଳୁମାନେ ରାଧାଙ୍କ ପାଦ ଦର୍ଶନ କରିବାର ସୌଭାଗ୍ୟ ପାଇଥାନ୍ତି । ହିନ୍ଦୁ ଧର୍ମରେ ଅଁଳା ନବମୀର ବିଶେଷ ମହତ୍ତ୍ଵ ରହିଛି । ବିଶ୍ୱାସ କରାଯାଏ ଯେ ଏହି ଦିନ ଦାନ କରିବା ଦ୍ୱାରା ଜଣେ ବ୍ୟକ୍ତି ବର୍ତ୍ତମାନ ତଥା ପରବର୍ତ୍ତୀ ଜୀବନରେ ସୁଖ ପ୍ରାପ୍ତ ହୋଇଥାଏ । ଶାସ୍ତ୍ର ଅନୁଯାୟୀ ଏହି ଦିନ ଅଁଳା ଗଛକୁ ପୂଜା କରାଯାଏ । କୁହାଯାଏ ଯେ ଏହା କରିବା ଦ୍ୱାରା ଜଣେ ବ୍ୟକ୍ତିଙ୍କର ସମସ୍ତ ପାପ ନଷ୍ଟ ହୋଇଯାଏ ଏବଂ ସୁଖ,ସମୃଦ୍ଧି ପ୍ରାପ୍ତ ହୁଏ ।

ଅଁଳା ନବମୀ ଦିନ, ଅଁଳା ଗଛ ତଳେ ଖାଦ୍ୟ ପ୍ରସ୍ତୁତ ଏବଂ ଖାଇବାର ଏକ ବିଶେଷ ମହତ୍ତ୍ଵ ରହିଛି । ଏହି ଦିନ ଭଗବାନ ବିଷ୍ଣୁ କୁଶମଣ୍ଡାକା ଭୂତକୁ ହତ୍ୟା କରିଥିଲେ । ଏହି ଦିନ ଭଗବାନ କୃଷ୍ଣ କଂସଙ୍କୁ ହତ୍ୟା କରିବା ପୂର୍ବରୁ ତିନୋଟି ଜଙ୍ଗଲକୁ ଘେରି ରହିଥିଲେ । ଅଁଳା ନବମୀରେ ପରିବାରର ମଙ୍ଗଳ କାମନା କରି ବୃକ୍ଷ ମୂଳେ ହଳଦୀ, ସିନ୍ଦୁର ଓ କ୍ଷୀର ଅର୍ପଣ କରିବା ସହ ଗଛରେ ନାଲି ସୂତା ଗୁଡାଇ ପୂଜା କରିବାର ପରମ୍ପରା ମଧ୍ୟ ରହିଛି ।

ଅଁଳା ଗଛ କିପରି ସୃଷ୍ଟି ହେଲା

ଥରେ ଲକ୍ଷ୍ମୀ ଓ ଭଗବତୀ ହରିଙ୍କୁ କୌଣସି ଏକ ନୂତନ ଦ୍ରବ୍ୟ ଦେବାକୁ ଇଚ୍ଛା ପ୍ରକାଶ କରିଥିଲେ । କ’ଣ ଦେବେ ଭାବୁଥିବା ବେଳେ ଉଭୟଙ୍କ ଚକ୍ଷୁରୁ ଏକ ସଙ୍ଗରେ ଲୁହ ଝରିଥିଲା । ସେହି ଅଶ୍ରୁ ଭୂମିରେ ପଡ଼ି ଅଁଳା ଗଛ ସୃଷ୍ଟି ହୋଇଥିଲା ।

ଶିବ ଓ ବିଷ୍ଣୁଙ୍କର ପ୍ରିୟ ବୃକ୍ଷ ଅଁଳା

ଦିନେ ଲକ୍ଷ୍ମୀ ଓ ପାର୍ବତୀ ଏକତ୍ର ବନସ୍ତରେ ନିଜ ନିଜ ପତିଙ୍କ ପାଇଁ ପୂଜାପାଠ କରିବାକୁ ମନ ବଳାଇଲେ । କିନ୍ତୁ ସ୍ୱାମୀଙ୍କର ପ୍ରିୟ ପୂଜା ସାମଗ୍ରୀ ସେମାନଙ୍କ ପାଖରେ ନ ଥିଲା । ଅର୍ଥାତ୍ ପାର୍ବତୀଙ୍କ ପାଖରେ ବେଲପତ୍ର କିମ୍ବା ଲକ୍ଷ୍ମୀଙ୍କ ପାଖରେ ତୁଳସୀ ନ ଥିଲା । ଦୁହେଁ ଭାବିବାକୁ ଲାଗିଲେ ଯେ ଏ ସମସ୍ୟାର ସମାଧାନ କିପରି ହେବ । ଠିକ୍ ସେତିକିବେଳେ ନାରଦ ମୁନି ସେଠାରେ ପହଞ୍ଚିଲେ । ସବୁ କଥା ଶୁଣିବା ପରେ ନାରଦ ମୁନି କହିଲେ ଯେ, ଅଁଳା, ବିଲ୍ୱ ଓ ତୁଳସୀ ସମାହାର ବୋଲି କହିଲେ । ଏହାପରେ ଲକ୍ଷ୍ମୀ ଓ ପାର୍ବତୀ ଅଁଳା ଗଛ ନିକଟରେ ପୂଜା ସମାପନ କଲେ । ସେଥିପାଇଁ ଅଁଳା ଗଛକୁ ଶିବ ଓ ବିଷ୍ଣୁଙ୍କର ପ୍ରିୟ ବୃକ୍ଷ ବୋଲି କୁହାଯାଏ ।

 

Comments are closed.