ନୂଆଦିଲ୍ଲୀ: ଏବେ ଦେଶରେ ଡବଲ ଇଞ୍ଜିନର ହାଓ୍ବା ଚାଲିଛି । ଯେକୌଣସି ବି ନିର୍ବାଚନ ହେଉ, ବିଜେପି ଡବଲ ଇଞ୍ଜିନ୍ ନାରା ଦେଇଥାଏ । ଏହି ନିକଟରେ ଦିଲ୍ଲୀରେ ବି ଡବଲ ଇଞ୍ଜିନ୍ ଚାଲୁ ହୋଇଛି । ତେବେ ଡବଲ ଇଞ୍ଜିନ୍ କଥା ଆସିଲେ ସାଧାରଣତଃ ବିଜେପି ସରକାରଙ୍କ କଥା ହିଁ ଉଠେ । କିନ୍ତୁ ଏବେ ଚର୍ଚ୍ଚାରେ ରହିଛି ବିରୋଧୀ ଦଳ ନେତା ତଥା କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ‘ଡବଲ ଇଞ୍ଜିନ୍’ ଥିଓରୀ । ଏଠି ଡବଲ ଇଞ୍ଜିନ୍ ସରକାର ନୁହେଁ, ଏଠି ରାହୁଲଙ୍କ ଡବଲ ଇଞ୍ଜିନ୍ ଏମପି ଥିଓରୀ ନେଇ ଚର୍ଚ୍ଚା ।
ରାହୁଲ ଗୁରୁବାର ତାଙ୍କ ସଂସଦୀୟ କ୍ଷେତ୍ର ରାଏବରେଲିର ଉଞ୍ଚହାରରେ ଏକ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଯେଉଁଥିରେ ଅଭିଭାଷଣ ରଖି, ୨ ଏମପି ଥିଓରୀ ଆଡକୁ ଦୃଷ୍ଟି ଆକର୍ଷଣ କରିଥିଲେ ରାହୁଲ । ରାହୁଲ କହିଥିଲେ, ରାଏବରେଲି ଏକ ଏମିତି ଆସନ, ଯାହା ପୂରା ହିନ୍ଦୁସ୍ତାନରେ ମଧ୍ୟ ଗୋଟିଏ ଆସନ ବୋଧେ, ଯାହାର ଦୁଇ ଦୁଇ ଜଣ ସାଂସଦ ରହିଛନ୍ତି । ଜଣେ ମୁଁ, ଏବଂ ଆଉ ଜଣେ ପ୍ରିୟଙ୍କା । କେବେ କେବେ ତାଙ୍କୁ ବି ଏଠିକୁ ଆମନ୍ତ୍ରଣ କର । ସେ ମୋତେ ଓ୍ବାୟନାଡ ଡାକେ, ଆଉ ମୁଁ ଯାଏ । ପ୍ରିୟଙ୍କା ବି ଏଠିକା ସାଂସଦ । ତେଣୁ ତାକୁ ବି ଡାକିବା ଉଚିତ୍ । ଏଥିସହିତ ରାଏବରେଲି ଲୋକଙ୍କୁ ଧନ୍ୟବାଦ ଦେଇ ମଧ୍ୟ ରାହୁଲ କହିଛନ୍ତି, ଏହା ରାଜନୈତିକ ସଂପର୍କ ନୁହେଁ, ପାରିବାରିକ ସଂପର୍କ ଅଟେ । ସେପଟେ ଏହାକୁ ନେଇ ପ୍ରିୟଙ୍କା କହିଛନ୍ତି, ରାଏବରେଲି ଆମ ପରିବାର । ଆଉ ପରିବାରର ଆଦେଶ ସବୁବେଳେ ଉପରେ ।
ତେବେ କହିରଖୁଛୁ, ବିଗତ କିଛି ବର୍ଷ ପ୍ରିୟଙ୍କା ଗାନ୍ଧୀ ରାଏବରେଲି ବହୁତ ସକ୍ରିୟ ରହିଛନ୍ତି । ୨୦୧୯ରୁ ମା ସୋନିଆ ଗାନ୍ଧୀ ମଧ୍ୟ ରାଏବରେଲିରୁ ହିଁ ସାଂସଦ ରହିଆସୁଥିଲେ । ସୋନିଆ ରାଜସ୍ଥାନରୁ ରାଜ୍ୟସଭା ଯିବା ପରେ, ଚର୍ଚ୍ଚା ହେଉଥିଲା କି, ପ୍ରିୟଙ୍କା ଏଥର ରାଏବରେଲିରୁ ଲଢିବେ । ହେଲେ ୨୦୨୪ ନିର୍ବାଚନରେ ପ୍ରିୟଙ୍କାଙ୍କୁ ପ୍ରାର୍ଥୀ ହିଁ କରିନଥିଲା କଂଗ୍ରେସ । ଆଉ ରାହୁଲ ଗାନ୍ଧୀ ଉଭୟ ଓ୍ବାୟନାଡ ଏବଂ ରାୟବରେଲିରୁ ନିର୍ବାଚନ ଲଢିଥିଲେ । ଆଉ ଦୁଇଟି ଆସନ ଜିତିଥିଲେ ମଧ୍ୟ । ପରେ ରାହୁଲ ଓ୍ବାୟନାଡ ସିଟ୍ ଛାଡିଥିଲେ ଏବଂ ଉପନିର୍ବାଚନରେ ପ୍ରିୟଙ୍କା ଏଠାରୁ ସାଂସଦ ହୋଇଥିଲେ ।
Comments are closed.