Latest Odisha News

BREAKING NEWS

MKCG Ragging: ପୁଣି ଏମକେସିଜିରେ ରାଗିଂ: ଦ୍ବିତୀୟ ବର୍ଷ MBBS ଛାତ୍ରଙ୍କୁ ସିନିୟର ଛାତ୍ର ରାଗିଂ କରିଥିବା ଅଭିଯୋଗ

ବ୍ରହ୍ମପୁର: ପୁଣି MKCG ମେଡିକାଲରେ ରାଗିଂ ଅଭିଯୋଗ। ଦ୍ଵିତୀୟ ବର୍ଷ MBBS ଛାତ୍ରଙ୍କୁ କିଛି ସିନିୟର୍ ଛାତ୍ର ରାଗିଂ କରୁଥିବା ଅଭିଯୋଗ ହୋଇଛି। ଅଭିଯୋଗ ହୋଇଛି ଯେ, ଜୁନିୟର ପିଲାଙ୍କୁ ରାତିରେ ଆଣ୍ଠେଇ ଦେଉଛନ୍ତି ସିନିୟର। ଅଭିଯୋଗ ଅନୁସାରେ, ହଷ୍ଟେଲରେ ପଢ଼ିବାକୁ ଦିଆଯାଉନି। ଜେନେରାଲ ବଡିଂ ମିଟିଂ ନାମରେ ଡାକି ଘଣ୍ଟା ଘଣ୍ଟା ଧରି ଠିଆ କରାଉଛନ୍ତି ସିନିୟର୍। ଯଦି ପ୍ରତିବାଦ କରନ୍ତି ତେବେ ଆଣ୍ଠେଇ ବସିବାକୁ ବାଧ୍ୟ କରୁଛନ୍ତି।

ଅଗଷ୍ଟ ୧୮ ତାରିଖରେ ଏଭଳି ଜୁନିଅରଙ୍କୁ ଡାକି ମାନସିକ ଓ ଶାରୀରିକ ନିର୍ଯାତନା ଦେଇଥିଲେ। ତା’ପର ଦିନ ବି ସିନିୟର୍ ଡାକିଥିଲେ ଜେନେରାଲ ବଡି ମିଟିଂ ନାମରେ। କିନ୍ତୁ ଜୁନିୟର୍ ନଯିବାରୁ ହଷ୍ଟେଲରେ ଆସି ଗାଳିଗୁଲଜ କରି ଧମକ ଚମକ ଦେଇଥିଲେ ସିନିୟର୍। ଏମ୍‌ବିବିଏସ୍‌ ୨ୟ ବର୍ଷ ଛାତ୍ରଙ୍କୁ ୧ ନଂ ହଷ୍ଟେଲରେ ନିର୍ଯାତନା ଦିଆଯାଉଥିବା ଅଭିଯୋଗ ହୋଇଛି। ନ୍ୟାସନାଲ ମେଡିକାଲ କମିଶନ (ଏନ୍‌ଏମ୍‌ସି) ଆଣ୍ଟି ରାଗିଂ ସେଲ୍‌ରେ ଏଭଳି ଅଭିଯୋଗ ହେବା ପରେ ଏମ୍‌କେସିଜି ମେଡିକାଲ କଲେଜ ଓ ହସ୍‌ପିଟାଲକୁ ଏହାର ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ମଙ୍ଗଳବାର ଅପରାହ୍ନରେ ଡିନ୍‌ଙ୍କ ଅଫିସରେ ଏ ନେଇ ତଦନ୍ତ ହେବ ବୋଲି ରେଜିଷ୍ଟ୍ରାର୍‌ ସଂଗ୍ରାମ ପଣ୍ଡା କହିଛନ୍ତି ।

ଆଣ୍ଟି ରାଗିଂ ସେଲ୍‌ କମିଟି ଆଗରେ ଅଭିଯୋଗକାରୀ ଏବଂ ଯେଉଁମାନଙ୍କ ନାମରେ ଅଭିଯୋଗ ହୋଇଛି ସେମାନେ ଉପସ୍ଥିତ ହେବେ। ଏମ୍‌ବିବିଏସ୍‌ ୨ୟ ବର୍ଷର ଜଣେ ଛାତ୍ର ଅଭିଯୋଗ କରିଛନ୍ତି ଯେ, ସେ ୧ନଂ ହଷ୍ଟେଲରେ ରହୁଛନ୍ତି। ପରୀକ୍ଷା ପାଇଁ ସେ ରାତିରେ ପଢ଼ୁଥିବା ବେଳେ ରାତି ୧୦ଟାରୁ କିଛି ସିନିୟର ଛାତ୍ର ଯଥା, ୪ର୍ଥ ବର୍ଷ, ଶେଷ ବର୍ଷ ଏବଂ ହାଉସ୍‌ସର୍ଜନମାନେ ହଷ୍ଟେଲକୁ ଆସୁଛନ୍ତି। ସେଠାରେ ବୈଠକ ଡାକି ଅନ୍ୟ ଛାତ୍ରମାନଙ୍କୁ ସାମିଲ କରୁଛନ୍ତି। ରାତି ଗୋଟାଏ ପର୍ଯ୍ୟନ୍ତ ବୈଠକ ଚାଲୁଛି। ଅଧିକ ଶବ୍ଦରେ ମ୍ୟୁଜିକ୍‌ ବଜାଇବା ସହ ଜୁନିୟର ଛାତ୍ରମାନଙ୍କୁ ନିର୍ଯାତନା ଦେଉଛନ୍ତି। କିଛି ଜୁନିୟର ଛାତ୍ରଙ୍କୁ ଆଣ୍ଠେଇବା ସହ ଅସଭ୍ୟ ଭାଷାରେ ଗାଳିଗୁଲଜ କରୁଛନ୍ତି। ଯାହାର ଫଟୋ ଓ ଭିଡିଓ ଅଭିଯୋଗକାରୀ ଇ-ମେଲ୍‌ରେ ଏନ୍‌ଏମ୍‌ସିକୁ ଦେଇଛନ୍ତି।

ଜଣେ ଶେଷ ବର୍ଷ ଛାତ୍ର ଅଧିକାଂଶ ସମୟରେ ମଦ ପିଇ ସମସ୍ତଙ୍କୁ ଗାଳିଗୁଲଜ କରିବା ସହ ନିର୍ଯାତନା ଦେଉଛନ୍ତି। ନିଜକୁ ଅସୁରକ୍ଷିତ ମନେ କରୁଛନ୍ତି ବୋଲି ଉକ୍ତ ଛାତ୍ର ଅଭିଯୋଗରେ ଦର୍ଶାଇଛନ୍ତି। ଏଭଳି କାର୍ଯ୍ୟକଳାପକୁ ବିରୋଧ କରିବାରୁ ଜଣେ ଜୁନିୟର ଛାତ୍ରଙ୍କୁ ମାଡ଼ ମରାଯିବା ସହ ଆଣ୍ଠେଇ ରଖାଯାଇଥିଲା। ସମସ୍ତଙ୍କ ଆଗରେ ତାଙ୍କୁ ଭୁଲ ମାଗିବାକୁ ବାଧ୍ୟ କରାଯାଇଥିଲା। ଅଗଷ୍ଟ ୨୨ ତାରିଖରେ ରାଗିଂ ଅଭିଯୋଗ ପାଇବା ପରେ ଏନ୍‌ଏମ୍‌ସି ଆଣ୍ଟି ରାଗିଂ ସେଲ୍‌ ପକ୍ଷରୁ ଏମ୍‌କେସିଜି ଡିନ୍‌ଙ୍କୁ ଏହାର ତଦନ୍ତ ପାଇଁ ନିର୍ଦ୍ଦେଶ ହୋଇଛି। ଏହା ଉପରେ ତଦନ୍ତ କରି କ’ଣ ପଦକ୍ଷେପ ନିଆଯାଇଛି ରିପୋର୍ଟ ଦେବାକୁ ମଧ୍ୟ ନିର୍ଦ୍ଦେଶ କରିଛି ଏନ୍‌ଏମ୍‌ସି।

Comments are closed.