ତିରୁବନ୍ତପୁରମ: କେରଳରୁ ଏକ ଛାତିଥରା ରାଗିଂ ମାମଲା ସାମ୍ନାକୁ ଆସିଛି। ତିରୁବନ୍ତପୁରମର ଏକ ସରକାରୀ କଲେଜରେ, ସାତ ଜଣ ସିନିୟର ଛାତ୍ର ମିଶି ଜଣେ ପ୍ରଥମ ବର୍ଷର ଛାତ୍ରଙ୍କୁ ଅକଥନୀୟ ନିର୍ଯ୍ୟାତନା ଦେଇଛନ୍ତି । ଗୋଟିଏ ଘଣ୍ଟା ଧରି ଉକ୍ତ ଛାତ୍ରଙ୍କୁ ମାଡ଼ ମାରିବା ସହ ପାଣିରେ ଛେପ ପକାଇ ତାଙ୍କୁ ଜବରଦସ୍ତି ପିଆଇଛନ୍ତି । ଘଟଣା ଜଣାପଡିବା ପରେ କଲେଜ ପ୍ରଶାସନ ସମସ୍ତ ସାତ ଜଣ ସିନିୟର ଛାତ୍ରଙ୍କୁ କଲେଜରୁ ନିଲମ୍ବିତ କରିଛି। ସେପଟେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।
ବାସ୍ତବରେ ତିରୁବନ୍ତପୁରମର କରିଆବଟ୍ଟୋମ୍ ସରକାରୀ କଲେଜରୁ ଆସିଛି ଏହି ମାମଲା । କଲେଜର ଆଣ୍ଟି-ରାଗିଂ ସେଲ୍ ଦ୍ୱାରା ପ୍ରସ୍ତୁତ ରିପୋର୍ଟ ଆଧାରରେ ସମ୍ପୂର୍ଣ୍ଣ ମାମଲାଟି ସାମ୍ନାକୁ ଆସିଛି। ରିପୋର୍ଟ ହସ୍ତାନ୍ତର ହେବା ପରେ ସମସ୍ତ ସାତ ଜଣ ସିନିୟର ଛାତ୍ରଙ୍କୁ କଲେଜରୁ ନିଲମ୍ବନ କରାଯାଇଛି । ତେବେ ନିଲମ୍ବିତ ହୋଇଥିବା ସମସ୍ତ ୭ଜଣ ଛାତ୍ର କେରଳର ଶାସକ ଦଳ ‘ସିପିଆଇ(ଏମ୍)’ର ଛାତ୍ର ଦଳ ‘ଷ୍ଟୁଡେଣ୍ଟ ଫେଡେରେସନ ଅଫ୍ ଇଣ୍ଡିଆ’ର ବୋଲି ଜଣାପଡିଛି ।
ଗତ ଫେବୃଆରୀ ୧୧ ତାରିଖରେ କରିଆବଟ୍ଟୋମ୍ ସରକାରୀ କଲେଜରେ ସିନିୟର ଏବଂ ଜୁନିଅରଙ୍କ ଛାତ୍ରଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏଥିରେ ଜଣେ ପ୍ରଥମ ବର୍ଷର ଛାତ୍ର ଆହତ ହୋଇଛନ୍ତି। ଏନେଇ ସିନିୟର ଛାତ୍ରଙ୍କ ବିରୁଦ୍ଧରେ ପୋଲିସରେ ଅଭିଯୋଗ କରିଥିଲେ ଜଣେ ପ୍ରଥମ ବର୍ଷର ଛାତ୍ର ଜଣଙ୍କ। ପୋଲିସରେ ଅଭିଯୋଗ କରିବା ଯୋଗୁଁ ସିନିୟର ମାନେ ଅଧିକ ଉତ୍ୟକ୍ତ ହୋଇ ଉକ୍ତ ଛାତ୍ରଙ୍କ ହଷ୍ଟେଲରେ ପ୍ରବେଶ କରିଅଭିଯୋଗ କରିଥିବା ଛାତ୍ରଙ୍କୁ ଖୋଜାଖୋଜି କରିଥିଲେ । ତାଙ୍କୁ ନ ପାଇବାରୁ ଆଉ ଜଣେ ପ୍ରଥମ ବର୍ଷର ଛାତ୍ରଙ୍କୁ ଜବରଦସ୍ତି ନିଜ ସହିତ ନେଇ ତାଙ୍କୁ ମାଡ ମାରିଥିଲେ ।
ପୀଡିତ ଛାତ୍ରଙ୍କ କହିବା ଅନୁସାରେ, ଅଭିଯୁକ୍ତ ଛାତ୍ରମାନେ ପ୍ରଥମେ ତାଙ୍କୁ ଆଣ୍ଠୁ ମାଡ଼ି ବସିବାକୁ କହିଥିଲେ । ଏହାପରେ ତାଙ୍କୁ ନିର୍ଦ୍ଧୁମ ମାଡ ମାରିଥିଲେ । ପ୍ରାୟ ଗୋଟିଏ ଘଣ୍ଟା ଧରି ତାଙ୍କୁ ମାଡ଼ ମାରିଥିଲେ ସେମାନେ । ଏହାପରେ ପୀଡିତ ଛାତ୍ର ଜଣଙ୍କ ଯେତେବେଳେ ତାଙ୍କୁ ପିଇବାକୁ ପାଣି ମାଗିଥିଲେ, ସେତେବେଳେ ପାଣିରେ ଛେପ ପକାଇ ତାଙ୍କୁ ପଇବାକୁ ଦେଇଥିଲେ ଏବଂ ପୁଣି ମାଡ ମାରିଥିଲେ ।
ତେବେ ମାମଲାଟି ପୋଲିସକୁ ହସ୍ତାନ୍ତର କରିବା ପୂର୍ବରୁ, କଲେଜର ଆଣ୍ଟି-ରାଗିଂ ସେଲ୍ ଅଭିଯୋଗର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯାଇଥିଲା। କଲେଜ ଏବଂ ହଷ୍ଟେଲରେ ଲାଗିଥିବା ସିସିଟିଭି ଫୁଟେଜ୍ ମଧ୍ୟ ଯାଞ୍ଚ କରାଯାଇଥିଲା। ସମସ୍ତ ସାକ୍ଷ୍ୟ ପ୍ରମାଣ ମିଳିବା ପରେ ଏକ୍ତ ଛାତ୍ରଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବା ସହ ମାମଲା ପୋଲିସକୁ ହସ୍ତାନ୍ତର କରାଯାଇଥିଲା । ପୋଲିସ ଏହି ମାମଲାରେ ରାଗିଂ ନିବାରଣ ଆଇନ ଏବଂ ଭାରତୀୟ ନ୍ୟାୟିକ ସଂହିତାର ବିଭିନ୍ନ ଧାରା ଅନୁଯାୟୀ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।
Comments are closed.