Latest Odisha News

BREAKING NEWS

ଝାଡଖଣ୍ଡ ରାଜନୀତିକୁ ଫେରିବେ ରଘୁବର!

ଭୁବନେଶ୍ବର/ରାଞ୍ଚି: ଚଳିତ ବର୍ଷ ଶେଷ ଆଡକୁ ଝାଡଖଣ୍ଡରେ ବିଧାନସଭା ନିର୍ବାଚନ ହୋଇପାରେ। ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଓଡିଶା ରାଜ୍ୟପାଳ ରଘୁବର ଦାସ ନିର୍ବାଚନ ଲଢି ପ୍ରତ୍ୟକ୍ଷ ରାଜନୀତିକୁ ଫେରିପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଝାଡଖଣ୍ଡ ରାଜନୀତିର ଅନ୍ୟତମ କ୍ଷମତା କେନ୍ଦ୍ର କୁହାଯାଉଥିବା ରଘୁବର ଗତବର୍ଷ ଓଡିଶା ରାଜ୍ୟପାଳ ଭାବେ ପ୍ରମୋସନ ପାଇଥିଲେ। କୁହାଯାଉଥିଲା, ରଘୁବରଙ୍କୁ ରାଜ୍ୟପାଳ ଭାବେ ନିଯୁକ୍ତି ଦେବା ସହ ବିଜେପି ମୁଖ୍ୟ ବାବୁଲାଲ ମାରାଣ୍ଡିଙ୍କ ପାଇଁ ବାଟ ସଫା କରାଯାଇଥିଲା।

ଝାଡଖଣ୍ଡକୁ ରଘୁବର ରିଟର୍ଣ୍ଣସ୍ !
ରାଜ୍ୟପାଳ ପଦକୁ ଅନାଗ୍ରହ ସତ୍ତ୍ବେ ରଘୁବର ଗ୍ରହଣ କରିଥିବା ସେତେବେଳେ ଚର୍ଚ୍ଚା ହୋଇଥିଲା। ତେଣୁ ସେ ଜାମସେଦପୁର ପୂର୍ବ ଆସନରୁ ନିର୍ବାଚନ ଲଢି ଝାଡଖଣ୍ଡ ରାଜନୀତିକୁ ପୁଣି ଫେରିପାରନ୍ତି ବୋଲି କୁହାଯାଉଛି। ଜାମସେଦପୁର ପୂର୍ବ ଆସନରୁ ପାଞ୍ଚ ପାଞ୍ଚ ଥର ବିଧାୟକ ରହିଛନ୍ତି ରଘୁବର। 2019 ନିର୍ବାଚନରେ ବିଜେପି ବିଦ୍ରୋହୀ ସରାୟୁ ରାୟ ସ୍ବାଧୀନ ଭାବେ ଲଢି ରଘୁବର ଦାସଙ୍କୁ ହରାଇଥିଲେ।

ରଘୁବରଙ୍କ ବାଟରେ ସରାୟୁ କଣ୍ଟା !
ସରାୟୁ ରାୟ ଗତମାସ ଜେଡିୟୁରେ ସାମିଲ ହୋଇଛନ୍ତି। ସରାୟୁ ଜାମସେଦପୁର ପୂର୍ବ ଆସନରୁ ବିଧାୟକ ରହିଛନ୍ତି। ଏଥର ବି ଏହି ଆସନରୁ ଲଢିବାକୁ ସେ ଲକ୍ଷ୍ୟ ରଖିଛନ୍ତି। କେନ୍ଦ୍ରରେ ବିଜେପିର ମେଣ୍ଟ ସହଯୋଗୀ ରହିଥିବା ଜେଡିୟୁ ଝାଡଖଣ୍ଡରେ ବି ଏକାଠି ଆସିପାରେ। ଉଭୟ ଦଳ ମଧ୍ୟରେ ମେଣ୍ଟ ଆଲୋଚନା ଚାଲିଥିବା କୁହାଯାଉଛି। ତେଣୁ ଜାମସେଦପୁର ପୂର୍ବ ଆସନରୁ ଲଢି ରଘୁବର ଦାସ ରାଜ୍ୟ ରାଜନୀତିକୁ ଫେରିବା ବାଟରେ ସରାୟୁ ବାଧା ହୋଇପାରନ୍ତି।

ରଘୁବରଙ୍କୁ ମିଳିବ କି ଗ୍ରୀନ ସିଗନାଲ୍?
ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହାଙ୍କ ସହ ବୈଠକ ବେଳେ ଝାଡଖଣ୍ଡ ରାଜନୀତିକୁ ଫେରିବା ସମ୍ଭାବନା ନେଇ ରଘୁବର ଆଲୋଚନା କରିଥିବା କୁହାଯାଉଛି। ବୈଠକ ପରଠୁ ଜାମସେଦପୁରରେ ବିଭିନ୍ନ ଧାର୍ମିକ ଓ ସାମାଜିକ କାର୍ଯ୍ୟକ୍ରମରେ ସାମିଲ ହେଉଛନ୍ତି ଓଡିଶା ରାଜ୍ୟପାଳ। ତେବେ ରଘୁବରଙ୍କ ପାଇଁ ଜମସେଦପୁର ପୂର୍ବ ଆସନରୁ ଲଢିବା ଏତେ ସହଜ ହୋଇନପାରେ। ଜେଡିୟୁ ଝାଡଖଣ୍ଡରେ ଏଥର ଅନେକ ସିଟରେ ଲଢିବାକୁ ଚାହୁଁଛି। ଏହା ମଧ୍ୟରୁ ଜାମସେଦପୁର ପୂର୍ବ ଆସନ ଅନ୍ୟତମ। ତେବେ ଏହି ସିଟ୍ ବିଜେପିର ବି ଗଡ ରହିଥିଲା। ତେଣୁ ମେଣ୍ଟ ହେଲେ ବି ଜାମସେଦପୁର ପୂର୍ବ ଆସନ ଜେଡିୟୁକୁ ଦେବାକୁ ରାଜି ହୋଇନପାରେ ବିଜେପି।

ରଘୁବର ଦାସ କିଏ ?
ଝାଡଖଣ୍ଡର ପ୍ରଥମ ଅଣଆଦିବାସୀ ମୁଖ୍ୟମନ୍ତ୍ରୀ ହେଉଛନ୍ତି ରଘୁବର ଦାସ। 2014ରେ ତାଙ୍କୁ ସିଏମ୍ କରି ବଡ ସରପ୍ରାଇଜ ଦେଇଥିଲା ବିଜେପି। ରାଜ୍ୟରେ 26ପ୍ରତିଶତ ଆଦିବାସୀ ଓ 45ପ୍ରତିଶତ ଓବିସି ଭୋଟର ରହିଛନ୍ତି। ବିଜେପିକୁ ପାରମ୍ପରିକ ଭାବେ ଓବିସି ଭୋଟରଙ୍କ ସମର୍ଥନ ମିଳିଆସୁଛି। 2019ରେ ବିଜେପି ହାରିଥିବା ବେଳେ ଜେଏମଏମ ସରକାର ଗଠନ କରିଥିଲେ। ଆଦିବାସୀଙ୍କ ପାଇଁ ସଂରକ୍ଷିତ 28ଟି ସିଟ ମଧ୍ୟରୁ ମାତ୍ର 2ଟି ବିଜେପି ଖାତାକୁ ଯାଇଥିଲା।

ବାବୁଲାଲ ମାରାଣ୍ଡି ବାଧା!
2020ରେ ବାବୁଲାଲ ମାରାଣ୍ଡିଙ୍କ ଜେଭିଏମର ବିଜେପି ସହ ମିଶ୍ରଣ ହୋଇଥିଲା। ଗତବର୍ଷ ମାରାଣ୍ଡିଙ୍କୁ ରାଜ୍ୟ ବିଜେପି ସଭାପତି କରିଛି ଦଳ। ରଘୁବର ଓଡିଶା ରାଜ୍ୟପାଳ ହୋଇଛନ୍ତି ତ ଅର୍ଜୁନ ମୁଣ୍ଡା କେନ୍ଦ୍ରମନ୍ତ୍ରୀ। ଫଳରେ ମାରାଣ୍ଡି ରାଜ୍ୟ ରାଜନୀତିରେ ଫ୍ରିହ୍ୟାଣ୍ଡ ପାଇଛନ୍ତି। ତେବେ ଗତ ଲୋକସଭା ନିର୍ବାଚନରେ ବିଜେପି ସମସ୍ତ 5ଟି ଲୋକସଭା ସିଟ୍ ହରାଇଥିଲା। ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ ବିଜେପିକୁ ଆସିବା ପରେ ଆଦିବାସୀ ଭୋଟ୍ ବ୍ୟାଙ୍କ ଉପରେ ଦଳର ନଜର ରହିଛି। ତେବେ ଝାଡଖଣ୍ଡ ରାଜନୀତିକୁ ରଘୁବାର ଦାସ ଫେରିଲେ, ଦଳର ଅଧିକ କ୍ଷମତା କେନ୍ଦ୍ର ବିଜେପି ପାଇଁ ବିପରୀତ ପ୍ରଭାବ ପକାଇପାରେ ବୋଲି ଚର୍ଚ୍ଚା ହେଉଛି ।

Comments are closed.