BRICS Summit 2026: ମାଲେସିଆ ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ରାହୁଲ-ପ୍ରିୟଙ୍କା: ଭାରତ-ମାଲେସିଆ ସମ୍ପର୍କ ଓ ଗଣତାନ୍ତ୍ରିକ ମୂଲ୍ୟବୋଧ ଉପରେ ଚର୍ଚ୍ଚା
ନୂଆଦିଲ୍ଲୀ: ରାଜଧାନୀ ନୂଆଦିଲ୍ଲୀରେ ଆୟୋଜିତ ବ୍ରିକ୍ସ ଶିଖର ସମ୍ମିଳନୀ ଅବସରରେ ଶାସକ ଦଳ ସହିତ ବିରୋଧୀ ଦଳର କୂଟନୈତିକ ସକ୍ରିୟତା ମଧ୍ୟ ଦେଖିବାକୁ ମିଳିଛି। ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଏବଂ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ରବିବାର ଦିନ ମାଲେସିଆର ପ୍ରଧାନମନ୍ତ୍ରୀ ଅନୱର ଇବ୍ରାହିମଙ୍କୁ ସାକ୍ଷାତ କରିଛନ୍ତି ।
ସୂଚନା ଅନୁଯାୟୀ, ବ୍ରିକ୍ସ ସମ୍ମିଳନୀରେ ଯୋଗ ଦେବା ପାଇଁ ମାଲେସିଆ ପ୍ରଧାନମନ୍ତ୍ରୀ ବର୍ତ୍ତମାନ ଭାରତ ଗସ୍ତରେ ଅଛନ୍ତି । ଏହି ଗସ୍ତ କାଳରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସେ କଂଗ୍ରେସର ଦୁଇ ଶୀର୍ଷ ନେତାଙ୍କୁ ଭେଟିଥିଲେ। ଏହି ଉଚ୍ଚସ୍ତରୀୟ ବୈଠକରେ ଉଭୟ ଦେଶ ମଧ୍ୟରେ ଥିବା ଐତିହାସିକ ତଥା ସାଂସ୍କୃତିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା ।
ଏଥିସହ ଏସିଆ ମହାଦେଶରେ ଗଣତାନ୍ତ୍ରିକ ମୂଲ୍ୟବୋଧର ସୁରକ୍ଷା, ପ୍ରଗତିଶୀଳ ରାଜନୀତି ଏବଂ ପାରସ୍ପରିକ ବାଣିଜ୍ୟିକ ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗରେ ଉଭୟ ପକ୍ଷ ମଧ୍ୟରେ ବ୍ୟାପକ ଆଲୋଚନା ହୋଇଥିବା ଜଣାପଡ଼ିଛି ।
ସାକ୍ଷାତକାର ପରେ ରାହୁଲ ଗାନ୍ଧୀ ନିଜ ସୋସିଆଲ୍ ମିଡିଆ ହ୍ୟାଣ୍ଡେଲରେ ଏହି ବୈଠକର କିଛି ଫଟୋ ସେୟାର କରିଛନ୍ତି। ସେ ଉଲ୍ଲେଖ କରିଛନ୍ତି ଯେ, ମାଲେସିଆ ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ତାଙ୍କ ପାଇଁ ଏକ ସୁଖଦ ଅନୁଭୂତି ଥିଲା । ଭାରତ ଏବଂ ମାଲେସିଆର ଭବିଷ୍ୟତ ଲକ୍ଷ୍ୟ ସମାନ ଏବଂ ଏହି ସାକ୍ଷାତକାର ଦୁଇ ଦେଶର ଜନସାଧାରଣଙ୍କ ମଧ୍ୟରେ ଥିବା ସମ୍ପର୍କକୁ ଆହୁରି ମଜବୁତ କରିବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି । ସେହିପରି ପ୍ରିୟଙ୍କା ଗାନ୍ଧୀ ମଧ୍ୟ ଏହି ସାକ୍ଷାତକାରକୁ ସକାରାତ୍ମକ ଦର୍ଶାଇବା ସହ ଆଗାମୀ ଦିନରେ ଦ୍ୱିପାକ୍ଷିକ ସହଯୋଗ ଆହୁରି ବୃଦ୍ଧି ପାଇବ ବୋଲି କହିଛନ୍ତି ।
ବି
ଦେଶୀ ରାଷ୍ଟ୍ରମୁଖ୍ୟଙ୍କ ସହ ଭାରତର ବିରୋଧୀ ଦଳ ନେତାଙ୍କ ଏହି ସାକ୍ଷାତକାର ଜାତୀୟ ରାଜନୀତିରେ ବେଶ୍ ଚର୍ଚ୍ଚାର ବିଷୟ ପାଲଟିଛି ।

