ନୂଆଦିଲ୍ଲୀ: ପୁଣି ଫସିଲେ ରାହୁଲ । ରାହୁଲଙ୍କ ନାଁରେ ଏତଲା ଦେଲା ବିଜେପି ନେତୃତ୍ବାଧୀନ ଏନଡିଏ । ତେଲୁଗୁ ଦେଶମ ପାର୍ଟି (ଟିଡିପି) ସାଂସଦ ବାଏରେଡ୍ଡି ଶାବରୀ ଏବଂ ବିଜେପି ସାଂସଦ ବାଂଶୁରୀ ସ୍ବରାଜଙ୍କ ସମେତ କେନ୍ଦ୍ରମନ୍ତ୍ରୀ ସଂସଦରେ ଆକ୍ରମଣ ଘଟଣାକୁ ନେଇ ରାହୁଲ ଗାନ୍ଧୀଙ୍କ ବିରୋଧରେ ଏଫଆଇଆର ଦାଖଲ କରିଛନ୍ତି । ସଂସଦ ମାର୍ଗ ପୋଲିସ ଷ୍ଟେସନରେ ବିରୋଧୀ ଦଳ ନେତା ରାହୁଲଙ୍କ ବିରୋଧରେ ଏତଲା ଦିଆଯାଇଥିବା ସୂଚନା ମିଳିଛି ।
ତେବେ ଆଜି ସଂସଦରେ ସକାଳୁ ସକାଳୁ ହାଇଡ୍ରାମା ଦେଖିବାକୁ ମିଳିଥିଲା । ବିଜେପି ନେତୃତାଧିନ ଏନଡିଏ ସାଂସଦ ଏବଂ ଇଣ୍ଡି ବ୍ଲକ୍ ସାଂସଦମାନେ ଆମ୍ବେଦକର ବିବାଦକୁ ନେଇ ପରସ୍ପରକୁ ସମାଲୋଚନା କରି ପ୍ରତିବାଦ କରିବା ବେଳେ ଉପୁଜିଥିଲା ଠେଲାଠେଲି ପରିସ୍ଥିତି । ଆଉ ଏହାରି ଭିତରେ ବିଜେପିର ଦୁଇ ଜଣ ସାଂସଦ ପ୍ରତାପ ଷଢଙ୍ଗୀ ଏବଂ ମୁକେଶ ରାଜପୁତ୍ ଆହତ ହୋଇଥିବା ବେଳେ କଂଗ୍ରେସ ସଭାପତି ମଲ୍ଲିକାରଜ୍ଜୁନ୍ ଖଡଗେଙ୍କ ଆଣ୍ଠୁରେ ଆଘାତ ଲାଗିଥିବା ସୂଚନା ମିଳିଛି । ଆଉ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଧକ୍କାମୁକ୍କିରେ ଏଭଳି ପରିସ୍ଥିତି ଉପୁଜିଛି ବୋଲି ଅଭିଯୋଗ କରିଛନ୍ତି ବିଜେପି ସାଂସଦ । ଯାହା ଏବେ ରାହୁଲଙ୍କ ପାଇଁ ଏକ ନୂଆ ବିବାଦ ସୃଷ୍ଟି କରିଛି । ଏହାକୁ ନେଇ ବିଜେପି ପକ୍ଷରୁ ରାହୁଲଙ୍କ ବିରୋଧରେ ମାମଲା ରୁଜ୍ଜୁ କରାଯାଇଛି ।
ସେପଟେ ଏହାକୁ ନେଇ କେନ୍ଦ୍ରୀୟ ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘଓ୍ବାଲ କହିଛନ୍ତି, ସଂପୃକ୍ତ ଘଟଣାରେ କାର୍ଯ୍ୟନୁଷ୍ଠାନ ହେବ । ଠେଲାପେଲାରେ ଦୁଇଜଣ ସାଂସଦ ଆହତ ହୋଇଥିବା ଅଭିଯୋଗ ହୋଇଛି । ଏବେ ସେମାନେ ଚିକିତ୍ସିତ ଅବସ୍ଥାରେ ଅଛନ୍ତି । ହସ୍ପିଟାଲର ରିପୋର୍ଟ ଆଧାରରେ କଡା କାର୍ଯ୍ୟାନୁଷ୍ଠାନ ହେବ ବୋଲି ମନ୍ତ୍ରୀ କହିଛନ୍ତି । ଯାହା ଏବେ ଆଗକୁ ରାହୁଲଙ୍କ ପାଇଁ ପୁଣି ଏକ ବଡ ଅଡୁଆ ଆରୁଥିବା ସଙ୍କେତ ଦେଲାଣି ।
ସେପଟେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ୍ ଖଡଗେ ବିଜେପି ବିରୋଧରେ ପାଲଟା ଅଭିଯୋଗ ଆଣିଛନ୍ତି । ଠେଲାପେଲା ଘଟଣାରେ ତାଙ୍କ ଆଣ୍ଠୁ ମାଡ ହୋଇଛି । ଯାହାର ଏବେ ବଡ ସର୍ଜରୀ ହେବ ବୋଲି ଦାବି କରି ବାଚସ୍ପତିଙ୍କୁ ଚିଠି ଲେଖିଛନ୍ତି ଖଡଗେ । ପୂରା ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବା ପାଇଁ ବାଚସ୍ପତିଙ୍କୁ ଦାବି କରିଛନ୍ତି କଂଗ୍ରେସ ସଭାପତି ।
ସେ କହିଛନ୍ତି, ଠେଲାପେଲାରେ ସେ ମୁଁ ମଧ୍ୟ ଗଭୀର ଆଘାତ ପାଇଛି । ଏଥିରେ ମତେ ଧକ୍କା ଲାଗିବାରୁ ମୋ ଆଣ୍ଠୁ ମାଡ ହୋଇଛି । ପୂର୍ବରୁ ମୋ ଆଣ୍ଠୁର ଅବସ୍ଥା ଭଲ ନଥିବା ବେଳେ ଏହାର ସର୍ଜରୀ ହୋଇଥାନ୍ତା । ଆଉ ଏହି ଆଘାତ ଯୋଗୁଁ ମୁଁ ଛିଡା ହୋଇପାରିଲି ନାହିଁ, ପରେ କଂଗ୍ରେସ ସାଂସଦମାନେ ତାଙ୍କୁ ଏକ ଚେୟାର ଯୋଗାଇ ଦେବାରୁ ସେ ଘରକୁ ଫେରିଲେ ବୋଲି ନିଜ ଚିଠିରେ ଦର୍ଶାଇଛନ୍ତି ଖଡଗେ ।