Latest Odisha News

BREAKING NEWS

ଭୋଟ୍ ଚୋରି…ଦିଲ୍ଲୀରୁ ପାଟନା ଘମାସାନ

ନୂଆଦିଲ୍ଲୀ: ନିର୍ବାଚନ କମିଶନ ବନାମ ରାହୁଲ ଗାନ୍ଧୀ । କେତେ ସତ ଭୋଟ୍ ଚୋରି ଅଭିଯୋଗ? ନିର୍ବାଚନ କମିଶନଙ୍କ ଉପରେ କେଉଁ ଆଟମ ବମ୍ ପକାଇବେ ରାହୁଲ? ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଭୋଟ୍ ଚୋରିକୁ ନେଇ ନିର୍ବାଚନ କମିଶନଙ୍କ ଉପରେ ଗମ୍ଭୀର ଅଭିଯୋଗ ଲଗାଉଛନ୍ତି । ମଧ୍ୟପ୍ରଦେଶରୁ ମହାରାଷ୍ଟ୍ର, କର୍ଣ୍ଣାଟକରୁ ବିହାର ପର୍ଯ୍ୟନ୍ତ, ନିର୍ବାଚନ କମିଶନ ଭୋଟର ତାଲିକାରେ ବଡ଼ ଗଡ଼ବଡ଼ କରିଥିବା ରାହୁଲ ଗାନ୍ଧୀ କହୁଛନ୍ତି । ସେପଟେ ରାହୁଲଙ୍କ ବୟାନ ଦାୟିତ୍ବହୀନ ଓ ଭିତ୍ତିହୀନ ବୋଲି କହିବା ସହ ନିରପେକ୍ଷତା ଓ ସ୍ବଚ୍ଛତାର ସହ ନିଜ କାମ କରୁଥିବା ନିର୍ବାଚନ କମିଶନ କହିଛନ୍ତି ।

ରାହୁଲଙ୍କ ଆଟମ ବମରେ କ’ଣ?

ଗତ ୬ମାସର ଉଦ୍ୟମ ପରେ ତାଙ୍କ ହାତରେ ଆଟମ ବମ ଲାଗିଥିବା କହୁଛନ୍ତି ରାହୁଲ ଗାନ୍ଧୀ । ଆଉ ଏହାକୁ ସେ ନିର୍ବାଚନ କମିଶନ ଅଧିକାରୀଙ୍କ ଉପରେ ଆସନ୍ତା ୫ତାରିଖରେ ପକାଇବେ । ଏଥିପାଇଁ ତାରିଖ ସାଙ୍ଗକୁ ସ୍ଥାନ ବି ନିର୍ଣ୍ଣୟ କରାଯାଇଛି । କର୍ଣ୍ଣାଟକ ପ୍ରଦେଶ କଂଗ୍ରେସ କମିଟି କାର୍ଯ୍ୟାଳୟରେ ବଡ଼ ଖୁଲାସା କରିବା ସହ ଫ୍ରିଡମ୍ ପାର୍କରୁ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ପ୍ରଦର୍ଶନ କରାଯିବ । କର୍ଣ୍ଣାଟକର ଏକ ଲୋକସଭା ସିଟର ଭୋଟର ତାଲିକାକୁ ବିଶ୍ଳେଷଣ କରାଯାଇଥିବା ରାହୁଲ କହିଛନ୍ତି । ଏହାପରେ ଜଣାପଡିଛି, ଭୋଟ ଚୋରି କେମିତି ହୁଏ, କିଏ କରନ୍ତି ଓ ନୂଆ ଭୋଟର କେଉଁଠାରୁ ଆସନ୍ତି ? ଏନେଇ ପ୍ରମାଣ ମିଳିଥିବା ରାହୁଲ କହିଛନ୍ତି । ଏହାକୁ ସେ ଜନତା ଓ ନିର୍ବାଚନ କମିଶନଙ୍କ ସାମନାରେ ରଖିବେ । ସେପଟେ ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ଭୋଟର ତାଲିକା ସଂଶୋଧନ କରାଯାଇଥିବା କର୍ଣ୍ଣାଟକ ନିର୍ବାଚନ କମିଶନ କହିଛନ୍ତି । ଡ୍ରାଫ୍ଟ ରୋଲ ପରେ ୯ଲକ୍ଷରୁ ଅଧିକ ଅଭିଯୋଗ ଦର୍ଜ କରାଯାଇଥିଲା । ହେଲେ ସେତେବେଳେ କଂଗ୍ରେସ ଅଭିଯୋଗ କରିନଥିଲା ।

ବିହାରରେ ବି ଭୋଟ୍ ଚୋରି ରାଜନୀତି

ବିହାରରେ ଆଗକୁ ବିଧାନସଭା ନିର୍ବାଚନ ହେବାକୁ ଯାଉଥିବା ବେଳେ ମାସେରୁ ଅଧିକ ସମୟ ଧରି ସ୍ପେଶାଲ ଇଣ୍ଟେନସିଭ ରିଭିଜନ କରିଥିଲେ ନିର୍ବାଚନ କମିଶନ । ଏହାପରେ ପ୍ରାଥମିକ ଭୋଟର ତାଲିକା ଜାରି କରାଯାଇଛି । ବିହାରର ଯେକୌଣସି ଭୋଟର ନିଜ ଜିଲ୍ଲା, ବିଧାନସଭା ଓ ମତଦାନ କେନ୍ଦ୍ର ଚୟନ କରି ଭୋଟର ତାଲିକାରେ ନିଜ ନାଁ ଦେଖିପାରିବେ । ତାଲିକାରେ ନାଁ ସାମିଲ କରିବା, ଅବୈଧ ନାଁ ହଟାଇବା କିମ୍ବା ସଂଶୋଧନ କରିବା ନେଇ ସେପ୍ଟେମ୍ବର ପହିଲା ପର୍ଯ୍ୟନ୍ତ ଯେକୌଣସି ଭୋଟର ଆବେଦନ କରିପାରିବେ । ତେବେ ବିହାରରେ ଏସଆଇଆରକୁ ନେଇ ଜୋରଦାର ରାଜନୀତି ହେଉଛି । ଭୋଟର ତାଲିକା ସଂଶୋଧନକୁ ନେଇ ନିର୍ବାଚନ କମିଶନଙ୍କୁ ଟାର୍ଗେଟ୍ କରୁଛନ୍ତି ବିରୋଧୀ । ଏପରିକି ଅନ୍ୟ ବିରୋଧୀ ଦଳ ଓ ଜନତା ସହମତ ହେଲେ ନିର୍ବାଚନ ବହିଷ୍କାର କରିବା ନେଇ ଚିନ୍ତା କରାଯାଇପାରିବ ବୋଲି ଆରଜେଡି ନେତା ତେଜସ୍ବୀ ଯାଦବ କହିଛନ୍ତି ।

ଦିଲ୍ଲୀରୁ ପାଟନା ଘମାସାନ

ଦିଲ୍ଲୀରୁ ପଟନା ଏସଆଇଆରକୁ ନେଇ ରାଜନୈତିକ ଘମାସାନ ଜାରି ରହିଛି । ପଶ୍ଚିମବଙ୍ଗରେ ମମତା ବାନାର୍ଜୀ କେତେବେଳେ ବୁଥସ୍ତରର ଅଧିକାରୀଙ୍କୁ ଚେତାବନୀ ଦେଉଛନ୍ତି ତ କେତେବେଳେ ସଂଖ୍ୟାଲଘୁ ପ୍ରବାସୀ ଭୋଟରଙ୍କୁ ପଶ୍ଚିମବଙ୍ଗ ଫେରିବାକୁ ଅପିଲ୍ କରୁଛନ୍ତି । ଝାଡ଼ଖଣ୍ଡରେ ହେମନ୍ତ ସୋରେନ୍ ସରକାର ଏସଆଇଆର ବିରୋଧରେ ବିଧାନସଭାରେ ପ୍ରସ୍ତାବ ପାରିତ କରି ଦିଲ୍ଲୀ ପଠାଉଛନ୍ତି । ସେପଟେ ରାହୁଲଙ୍କ ଭୋଟ୍ ଚୋରି ଅଭିଯୋଗକୁ ସମର୍ଥନ କରିବା ସହ ମହାରାଷ୍ଟ୍ରରେ ଫଡନାବିସ ସରକାର ଭୋଟ୍ ଚୋରି କରିଥିବା ଶିବସେନା ୟୁବିଟି ନେତା ସଞ୍ଜୟ ରାଉତ କହିଛନ୍ତି । ପୂର୍ବରୁ ମହାରାଷ୍ଟ୍ର, ହରିୟାଣାରେ ଏହା ହୋଇଛି, ବିଜେପି ଏବେ ବିହାରରେ ଏହା କରିବାକୁ ଯାଉଥିବା ସେ ଅଭିଯୋଗ କରିଛନ୍ତି ।

Comments are closed.