ନୂଆଦିଲ୍ଲୀ: କମ୍ପୁଛି ଦିଲ୍ଲୀ ପ୍ରଚାର ମଇଦାନ । ଆମ ଆଦମୀ ପାର୍ଟି, ବିଜେପି ଓ କଂଗ୍ରେସ ମୁହାଁମୁହିଁ। ଦିଲ୍ଲୀ ଦଙ୍ଗଲରେ ଏଣ୍ଟ୍ରି ମାରିଛନ୍ତି କଂଗ୍ରେସର ଷ୍ଟାର କ୍ୟାମ୍ପେନର ରାହୁଲ ଗାନ୍ଧୀ । ତେବେ ପ୍ରଶ୍ନ ଉଠୁଛି, ଦିଲ୍ଲୀରେ କଂଗ୍ରେସକୁ କେତେ ଫାଇଦା ଦେବ ରାହୁଲଙ୍କ କ୍ୟାମ୍ପେନିଂ? ଦିଲ୍ଲୀ ବିଧାନସଭା ନିର୍ବାଚନକୁ ଗମ୍ଭୀରତାର ସହ ନେଉଛନ୍ତି କି ରାହୁଲ ? ନା ଇଣ୍ଡିଆ ବ୍ଲକରେ ବିରୋଧୀ ଦଳଙ୍କ ଚାପ ଯୋଗୁଁ ପ୍ରଚାର ମଇଦାନକୁ ଆଗୁଆ ଓହ୍ଲାଇଛନ୍ତି ରାହୁଲ? ରାହୁଲ ଗାନ୍ଧୀଙ୍କ ପ୍ରଚାର ଦିଲ୍ଲୀ ମୁକାବିଲାରେ କଂଗ୍ରେସ ପାଇଁ ଜୋଶ ଭରିଛି । ଦିଲ୍ଲୀରେ ତିନି ନମ୍ବର ଦଳ ସାଜିଥିବା କଂଗ୍ରେସ ବିଜେପି ଓ ଆପକୁ ଟକ୍କର ଦେବାକୁ ଅଣ୍ଟା ଭିଡିଛି । ତେବେ ରାହୁଲଙ୍କ ରାଜନୈତିକ ସନ୍ଦେଶକୁ ନେଇ ଜନତାଙ୍କ ବିଶ୍ବାସ ଜିତିପାରିବ ତ କଂଗ୍ରେସ?
୨୦୨୦ରେ କେତେ ଫାଇଦା?
୨୦୨୦ ଦିଲ୍ଲୀ ବିଧାନସଭା ନିର୍ବାଚନରେ ରାହୁଲ ଗାନ୍ଧୀ ମୋଟ୍ ୪ଟି ସାର୍ବଜନୀନ ସଭା ତଥା ରୋଡ୍ ଶୋ କରିଥିଲେ । ଏହା ମଧ୍ୟରୁ ଦୁଇଟିରେ ରାହୁଲଙ୍କ ସହ ପ୍ରିୟଙ୍କା ଗାନ୍ଧୀ ନଜର ଆସିଥିଲେ । ସେତେବେଳେ ପ୍ରିୟଙ୍କା ଗାନ୍ଧୀ କଂଗ୍ରେସ ମହାସଚିବ ଥିବା ବେଳେ ଏବେ ସାଂସଦ ରହିଛନ୍ତି । ସେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସିଧାସଳଖ ଟାର୍ଗେଟ୍ କରିଥିଲେ । ୨୦୨୦ ନିର୍ବାଚନରେ ମୋଟ୍ ୭୦ଟି ସିଟରୁ ୬୬ଟିରେ ପ୍ରାର୍ଥୀ ଦେଇଥିଲା କଂଗ୍ରେସ । ୪ଟି ସିଟରେ ସହଯୋଗୀ ଆରଜେଡି ପ୍ରାର୍ଥୀ ଦେଇଥିଲା । ତେବେ ୬୬ରୁ କଂଗ୍ରେସର ୬୩ ପ୍ରାର୍ଥୀଙ୍କ ଜମାନତ ରଦ୍ଦ ହୋଇଥିଲା । ଏମାନଙ୍କ ମଧ୍ୟରୁ ଅନେକଙ୍କ ପାଇଁ ରାହୁଲ ଓ ପ୍ରିୟଙ୍କା ନିର୍ବାଚନ ପ୍ରଚାର ବି କରିଥିଲେ ।
ଦିଲ୍ଲୀରେ ଅସ୍ତିତ୍ବ ପାଇଁ ସଂଘର୍ଷ
ଦିଲ୍ଲୀ ସିଲମପୁରରେ ନିର୍ବାଚନୀ ସଭାକୁ ସମ୍ବୋଧନ କରିବା ବେଳେ ଉଭୟ ବିଜେପି ଓ ଆପକୁ ଟାର୍ଗେଟ୍ କରିଛନ୍ତି ରାହୁଲ ଗାନ୍ଧୀ । ଆପ୍ ସହ ମିଶି ଲୋକସଭା ନିର୍ବାଚନ ଲଢିଥିବା କଂଗ୍ରେସ ଏଥର ଏକାକୀ ଲଢୁଛି । ପୂର୍ବ ସାଥୀ ଆପକୁ ବି ସମାଲୋଚନା କରୁଛି କଂଗ୍ରେସ । ରାହୁଲଙ୍କ ସଭାରେ ବି ସମାନ ସ୍ବର ଦେଖିବାକୁ ମିଳିଛି । ଅମ୍ବାନୀ, ଆଦାନୀଙ୍କ ନାଁ ନେଇ ଉଭୟ ମୋଦି ଓ କେଜ୍ରିଓ୍ବାଲଙ୍କୁ ସେ ଟାର୍ଗେଟ୍ କରିଛନ୍ତି । ସେହିପରି ଡକ୍ଟର ବିଆର ଆମ୍ବେଦକର ଓ ସମ୍ବିଧାନ ସୁରକ୍ଷା ପ୍ରସଙ୍ଗ ଉଠାଇ ଦଳିତ, ଓବିସି ଓ ସଂଖ୍ୟାଲଘୁ ଭୋଟରଙ୍କୁ ମନାଇବାକୁ ଉଦ୍ୟମ କରିଛନ୍ତି । ପାରମ୍ପରିକ ଭାବେ ଦଳିତ ଓ ସଂଖ୍ୟାଲଘୁ କଂଗ୍ରେସର ସପୋର୍ଟ ବେସ୍ ରହିଥିବା ବେଳେ ଗତ ୧୦ବର୍ଷ ହେଲା କଂଗ୍ରସଠୁ ଦୂରେଇ ଯାଇଛନ୍ତି ।
କେତେ ଲାଭ ଦେବ ରାହୁଲଙ୍କ ପ୍ରଚାର?
୨୦୧୩ରେ ଦିଲ୍ଲୀ ରାଜନୀତିରେ କେଜ୍ରିଓ୍ବାଲଙ୍କ ଲୋକପ୍ରିୟତା ବଢିବା ସହ ପ୍ରଭାବ ହରାଇଥିଲା କଂଗ୍ରେସ । ଗତ ଦୁଇଟି ବିଧାନସଭା ନିର୍ବାଚନରେ ଗୋଟିଏ ବି ସିଟ୍ ଜିତିପାରିନି କଂଗ୍ରେସ । ରାହୁଲ ଗାନ୍ଧୀ ସିଧାସଳଖ କେଜ୍ରିଓ୍ବାଲଙ୍କୁ ଟାର୍ଗେଟ୍ କରିବା ସହ ଆପ୍ ଭୋଟ ବିଭାଜନ ପାଇଁ କଂଗ୍ରେସ ରଣନୀତି କରୁଥିବା କୁହାଯାଉଛି । ସେହିପରି ଦରବୃଦ୍ଧି ପ୍ରସଙ୍ଗ ଉଠାଇ ମଧ୍ୟବିତ୍ତ ଭୋଟରଙ୍କ ସହାନୁଭୁତି ପାଇବାକୁ ଉଦ୍ୟମ କରୁଛି ଦଳ । ଏଥିସହ ବିଜେପି ବିରୋଧରେ ହୁଙ୍କାର ଭରିଛି । ସେହିପରି ଦଳିତ, ସଂଖ୍ୟାଲଘୁ ଭୋଟରଙ୍କୁ ପୁଣି ହାତ ସହ ଆଣିବାକୁ ଆମ୍ବେଦକର ପ୍ରସଙ୍ଗ ଉଠାଇଛନ୍ତି ରାହୁଲ ।
ଦରବୃଦ୍ଧି ଓ ସରକାରଙ୍କ ବିଫଳତାକୁ ନେଇ ଉଭୟ ବିଜେପି ଓ ଆପ୍ ଉପରେ ବର୍ଷିଛନ୍ତି ରାହୁଲ । ଏହାର ପ୍ରଭାବ ଭୋଟରଙ୍କ ଉପରେ ପଡିପାରେ। ତେବେ ଲୋକଙ୍କ ଉପରେ ପଡୁଥିବା ପ୍ରଭାବକୁ ଭୋଟରେ ପରିବର୍ତ୍ତନ କରିବା କଂଗ୍ରେସ ପାଇଁ ବଡ଼ ଚ୍ୟାଲେଞ୍ଜ ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ଏକାଠି ଟାର୍ଗେଟ୍ କରିବା କଂଗ୍ରେସ ପାଇଁ କେତେ ଫାଇଦା ଆଣିବ? କଂଗ୍ରେସକୁ ବିଜେପି ଓ ଆପର ଶକ୍ତିଶାଳୀ ବିକଳ୍ପ ମନେ କରିବେ କି ଦିଲ୍ଲୀ ଜନତା? ନା ଦିଲ୍ଲୀରେ ପୁଣି ବିଜେପି ଓ ଆପ୍ ନିଜ ପ୍ରଭାବ ବିସ୍ତାର କରିବାରେ ସଫଳ ହେବେ? କଂଗ୍ରେସ ନିଜ ରାଜନୈତିକ ସନ୍ଦେଶକୁ କେମିତି ଭୋଟରଙ୍କ ବିଶ୍ବାସରେ ବଦଳାଇବ, ତାଉପରେ ଏସବୁ ପ୍ରଶ୍ନର ଉତ୍ତର ନିର୍ଭର କରୁଛି ।