Latest Odisha News

BREAKING NEWS

ଚିଠିର ଜବାବ ନଦେଇ ଏବେ ଧମକେଇବା ଆରମ୍ଭ କରିଛନ୍ତି ରାହୁଲ ଗାନ୍ଧୀ: ନିର୍ବାଚନ କମିଶନ

ନୂଆଦିଲ୍ଲୀ: ଭାରତର ନିର୍ବାଚନ କମିଶନ (ଇସିଆଇ) ଶୁକ୍ରବାର କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଅଭିଯୋଗର ଜବାବ ଦେଇଛି। ରାହୁଲ ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ନିର୍ବାଚନ କମିଶନ ଉପରେ ବଡ଼ ଧରଣର ଭୋଟ ଜାଲିଆତି ଅଭିଯୋଗ ଆଣିଛନ୍ତି। ରାହୁଲ ଦାବି କରିଛନ୍ତି, ତାଙ୍କ ପାଖରେ ନିର୍ବାଚନ ଅନିୟମିତତାର ପ୍ରମାଣ ଅଛି। ସେ କହିଥିଲେ, କମିଶନ ଲୁଚି ପାରିବ ନାହିଁ।

ନିର୍ବାଚନ କମିଶନ ଏହାକୁ “ଆଧାରହୀନ” ଓ “ଦାୟିତ୍ୱହୀନ” କହି ଖାରଜ କରିଛି। କମିଶନ କର୍ମଚାରୀମାନଙ୍କୁ ଏପରି ନିୟମିତ ଅଭିଯୋଗ ଓ ଧମକକୁ ଅଣଦେଖା କରିବାକୁ ପରାମର୍ଶ ଦେଇଛି। କମିଶନ ଏକ ବିବୃତିରେ କହିଛି, “ନିର୍ବାଚନ କମିଶନ ଏପରି ଆଧାରହୀନ ଅଭିଯୋଗକୁ ଅଣଦେଖା କରେ। ନିୟମିତ ଧମକ ସତ୍ତ୍ୱେ, ନିର୍ବାଚନ ଅଧିକାରୀମାନେ ନିରପେକ୍ଷ, ନ୍ୟାୟପୂର୍ଣ୍ଣ ଓ ସ୍ୱଚ୍ଛ ଭାବେ କାମ ଜାରି ରଖନ୍ତୁ।” କମିଶନ କହିଛି, ଦେଶରେ ଗଣତାନ୍ତ୍ରିକ ମୂଲ୍ୟବୋଧ ରକ୍ଷା ଓ ମୁକ୍ତ ନିର୍ବାଚନ ନିଶ୍ଚିତ କରିବା  ମୁଖ୍ୟ ଲକ୍ଷ୍ୟ।

କମିଶନ ଆହୁରି କହିଛି, ରାହୁଲଙ୍କ ପୂର୍ବ ଅଭିଯୋଗ ନେଇ ଜୁନ୍ ୧୨ରେ ତାଙ୍କୁ ମେଲ୍ ପଠାଯାଇଥିଲା। କିନ୍ତୁ ସେ ଏପର୍ଯ୍ୟନ୍ତ ଆସି ନାହାନ୍ତି। ରାହୁଲ କୌଣସି ବିଷୟରେ କମିଶନକୁ ଚିଠି ମଧ୍ୟ ପଠାଇ ନାହାନ୍ତି। କମିଶନ କହିଛି, “ସେ ଆଧାରହୀନ ଅଭିଯୋଗ କରୁଛନ୍ତି ଓ ଏବେ କମିଶନ ଓ ଏହାର କର୍ମଚାରୀଙ୍କୁ ଧମକ ଦେଉଛନ୍ତି। ଏହା ନିନ୍ଦନୀୟ।”

ଏହା ପୂର୍ବରୁ ରାହୁଲ ସଂସଦ ପରିସରରେ ସାମ୍ବାଦିକଙ୍କୁ କହିଥିଲେ, ନିର୍ବାଚନ କମିଶନ ବିଜେପି ପାଇଁ “ଭୋଟ ଚୋରି” କରୁଛି। ବିହାରର ବିଶେଷ ସଂଶୋଧନ ଅଭ୍ୟାସ (ଏସଆଇଆର) ନେଇ ପ୍ରଶ୍ନ ହେବାରୁ ସେ ଏହା କହିଥିଲେ।

ରାହୁଲ ଦାବି କରିଛନ୍ତି, ତାଙ୍କ ପାଖରେ କମିଶନର ଭୋଟ ଚୋରିର “ଶତ ପ୍ରତିଶତ” ପ୍ରମାଣ ଅଛି। ସେ କହିଛନ୍ତି, “ଆମେ ଏହା ପ୍ରକାଶ କଲେ, ସାରା ଦେଶ ଜାଣିବ ଯେ କମିଶନ ବିଜେପି ପାଇଁ ଭୋଟ ଚୋରି କରୁଛି।” ସେ ଆହୁରି କହିଥିଲେ, ୨୦୨୩ ମଧ୍ୟପ୍ରଦେଶ ବିଧାନସଭା, ଲୋକସଭା ଓ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଅନିୟମିତତା ସନ୍ଦେହ ଘେରରେ ରହିଛି।

Comments are closed.