Latest Odisha News

BREAKING NEWS

‘ଆତ୍ମହତ୍ୟା ନୁହେଁ, ହତ୍ୟା’: ସୌମ୍ୟାଶ୍ରୀଙ୍କ ମୃତ୍ୟୁକୁ ନେଇ ବର୍ଷିଲେ ରାହୁଲ ଗାନ୍ଧୀ

ଭୁବନେଶ୍ବର: ଆଉ ନାହାନ୍ତି ଏଫଏମ ଛାତ୍ରୀ ସୌମ୍ୟାଶ୍ରୀ । ଲଢି ଲଢି ଶେଷରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ଯାହାକୁ ନେଇ ଏବେ ରାଜ୍ୟ ତଥା କେନ୍ଦ୍ରରେ ମଧ୍ୟ ରାଜନୈତିକ ଝଡ ଜୋରଦାର ତେଜିଛି । ସରକାରଙ୍କ ଉପରେ ଘଟଣାକୁ ନେଇ ପ୍ରବଳ ଚାପ ରହିଥିବା ବେଳେ ସୌମ୍ୟାଶ୍ରୀଙ୍କ ମୃତ୍ୟୁକୁ ନେଇ ଏବେ ବିଜେପି ସରକାର ଉପରେ ଖୁବ୍ ବର୍ଷିଛନ୍ତି ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ । ସୌମ୍ୟାଶ୍ରୀ ଆତ୍ମାହୁତି ଦେଇନାହାନ୍ତି ତାଙ୍କୁ ହତ୍ୟା କରାଯାଇଛି ବୋଲି ଅଭିଯୋଗ କରିଛନ୍ତି ରାହୁଲ ।

ଏନେଇ ନିଜ ଏକ୍ସରେ ରାହୁଲ ଲେଖିଛନ୍ତି, ଓଡ଼ିଶାରେ ନ୍ୟାୟ ପାଇଁ ଲଢ଼ୁଥିବା ଝିଅର ମୃତ୍ୟୁ ବିଜେପି ବ୍ୟବସ୍ଥା ଦ୍ୱାରା ଏକ ସିଧାସଳଖ ହତ୍ୟା । ସେହି ସାହସୀ ଛାତ୍ରୀ ଯୌନ ଶୋଷଣ ବିରୁଦ୍ଧରେ ସ୍ୱର ଉଠାଇଥିଲେ । କିନ୍ତୁ ନ୍ୟାୟ ବଦଳରେ ତାଙ୍କୁ ବାରମ୍ବାର ଧମକ, ହଇରାଣ, ଅପମାନିତ କରାଯାଇଥିଲା । ଯେଉଁମାନେ ତାଙ୍କୁ ସୁରକ୍ଷା ଦେବା କଥା, ସେମାନେ ତାଙ୍କୁ ଭାଙ୍ଗି ଚାଲିଥିଲେ । ପ୍ରତ୍ୟେକ ଥର ପରି, ବିଜେପି ବ୍ୟବସ୍ଥା ଅଭିଯୁକ୍ତଙ୍କୁ ସୁରକ୍ଷା ଦେଇ ଚାଲିଥିଲା ଏବଂ ଏକ ନିର୍ଦ୍ଦୋଷ ଝିଅକୁ ନିଜକୁ ଜାଳି ଦେବାକୁ ବାଧ୍ୟ କରିଥିଲା । ଏହା ଆତ୍ମହତ୍ୟା ନୁହେଁ, ଏହା ବ୍ୟବସ୍ଥା ଦ୍ୱାରା ଏକ ସଂଗଠିତ ହତ୍ୟା ।

ଏଥିସହିତ ମୋଦିଙ୍କୁ ବି କଡା ଟାର୍ଗେଟ କରି ରାହୁଲ କହିଛନ୍ତି, ମୋଦି ଜୀ, ଓଡ଼ିଶା ହେଉ କି ମଣିପୁର, ଦେଶର ଝିଅମାନେ ଜଳୁଛନ୍ତି, ଭାଙ୍ଗି ପଡୁଛନ୍ତି, ମରୁଛନ୍ତି । ଆଉ ଆପଣ? ଆପଣ ଚୁପ୍ ବସିଛନ୍ତି । ଦେଶ ଆପଣଙ୍କ ନୀରବତା ଚାହେଁ ନାହିଁ, ଉତ୍ତର ଚାହେଁ । ଭାରତର ଝିଅମାନେ ସୁରକ୍ଷା ଏବଂ ନ୍ୟାୟ ଚାହାଁନ୍ତି ।

ସେପଟେ ରାଜ୍ୟ କଂଗ୍ରେସ ବି ଗଟଣାକୁ ନେଇ ସରକାରଙ୍କୁ ଲଗାତାର ଘେରିଛି । ବାଲେଶ୍ବରରେ ରାତି ତମାମ କଂଗ୍ରେସର ବିକ୍ଷୋଭ ଦେଖିବାକୁ ମିଳିଥିବା ବେଳେ ରାଜଧାନୀ ଭୁବନେଶ୍ବରରେ ବି ଗର୍ଜୁଛି ଛାତ୍ର ଏବଂ ଯୁବ କଂଗ୍ରେସ । ଏଥିସହିତ ଆସନ୍ତା ୧୭ ତାରିଖରେ ଓଡ଼ିଶା ବନ୍ଦ ଡାକରା ଦେଇଛି କଂଗ୍ରେସ । କଂଗ୍ରେସ, ବାମଦଳ ସମେତ ୭ ରାଜନୈତିକ ଦଳର ସୌମ୍ୟାଶ୍ରୀଙ୍କୁ ନ୍ୟାୟ, ଏବଂ ଘଟଣାକୁ ବିରୋଧ କରି ଓଡ଼ିଶା ବନ୍ଦ ଡାକରା ଦେବେ ।

 

Comments are closed.