Latest Odisha News

BREAKING NEWS

‘ଆତଙ୍କବାଦୀଙ୍କ ଉଦ୍ଦେଶ୍ୟ ସମାଜକୁ ବିଭାଜିତ କରିବା, ଆମେ ସଫଳ ହେବାକୁ ଦେବାନି’

ଶ୍ରୀନଗର: ୨୨ ଏପ୍ରିଲରେ ଜମ୍ମୁ -କାଶ୍ମୀରରେ ଆତଙ୍କବାଦୀ ଆକ୍ରମଣ ପରେ କଂଗ୍ରେସ ସାଂସଦ ତଥା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଶୁକ୍ରବାର ଶ୍ରୀନଗରରେ ପହଞ୍ଚିଥିଲେ। ମୁଖ୍ୟମନ୍ତ୍ରୀ ଉମର ଅବଦୁଲ୍ଲାଙ୍କୁ ତାଙ୍କ ବାସଭବନରେ ଭେଟିଥିଲେ। ଏହା ସହିତ, ପହଲଗାମ ଆତଙ୍କବାଦୀ ଆକ୍ରମଣର ଆହତ ଏବଂ ପୀଡିତ ପରିବାରଙ୍କୁ ଭେଟିଥିଲେ ।

ରାହୁଲ ଗାନ୍ଧୀ କହିଛନ୍ତି ଯେ ଆତଙ୍କବାଦୀଙ୍କ ଉଦ୍ଦେଶ୍ୟ ସମାଜକୁ ବିଭାଜିତ କରିବା ଏବଂ ଆମେ ସେମାନଙ୍କୁ ସଫଳ ହେବାକୁ ଦେବା ଉଚିତ୍ ନୁହେଁ। ମୁଁ ସମସ୍ତଙ୍କୁ କହିବାକୁ ଚାହୁଁଛି ଯେ ସମଗ୍ର ଦେଶ ଏକାଠି ଠିଆ ହୋଇଛି। ଯାହା ଘଟିଛି ତା’ର ଉଦ୍ଦେଶ୍ୟ ହେଉଛି ସମାଜକୁ ବିଭାଜିତ କରିବା।

ରାହୁଲ ଗାନ୍ଧୀ ଆହୁରି କହିଛନ୍ତି ଯେ,ମୁଁ ଆହତମାନଙ୍କ ମଧ୍ୟରୁ ଜଣଙ୍କୁ ଭେଟିଛି, ଏବଂ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଏବଂ ଏଲଜି ମନୋଜ ସିହ୍ନାଙ୍କୁ ମଧ୍ୟ ଭେଟିଛି। ଯେଉଁମାନେ ଏହି ଘଟଣାରେ ନିଜ ପ୍ରିୟଜନମାନଙ୍କୁ ହରାଇଛନ୍ତି ସେମାନଙ୍କ ପାଇଁ ମୁଁ ଗଭୀର ସମବେଦନା ଜଣାଉଛି। ଗତକାଲି ଆମର ସରକାରଙ୍କ ସହ ଏକ ବୈଠକ ହୋଇଥିଲା। ଆମେ କହିଥିଲୁ ଯେ ସରକାରଙ୍କ ଦ୍ୱାରା ନିଆଯାଇଥିବା ପ୍ରତ୍ୟେକ ପଦକ୍ଷେପକୁ ଆମେ ସମର୍ଥନ କରୁଛୁ ।

ରାହୁଲ ଗାନ୍ଧୀ କହିଛନ୍ତି ଯେ, ମୁଁ ଏଠାରେ କ’ଣ ଘଟୁଛି ତାହା ଜାଣିବା ପାଇଁ ଆସିଛି। ଜମ୍ମୁ ଏବଂ କାଶ୍ମୀରର ସମସ୍ତ ଲୋକ ଏହି ଆକ୍ରମଣକୁ ନିନ୍ଦା କରିଛନ୍ତି । ମୁଁ ସମସ୍ତଙ୍କୁ କହିବାକୁ ଚାହୁଁଛି ଯେ ସମଗ୍ର ଦେଶ ଏକାଠି ଛିଡା ହୋଇଛି ଏବଂ ଆତଙ୍କବାଦୀଙ୍କ ପ୍ରୟାସକୁ ପଣ୍ଡ କରିବା ପାଇଁ ପ୍ରତ୍ୟେକ ଭାରତୀୟ ଏକଜୁଟ ହୋଇ ଠିଆ ହେବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।

ସୂଚନାଥାଉକି, ୨୨ ଏପ୍ରିଲ (ମଙ୍ଗଳବାର) ଦିନ ଦକ୍ଷିଣ କାଶ୍ମୀରର ପହଲଗାମର ବୈସାରନ ଘାଟିରେ ଏକ ଆତଙ୍କବାଦୀ ଆକ୍ରମଣ ହୋଇଥିଲା। ଏଥିରେ ୨୬ ଜଣ ନିରୀହ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଥିଲା, ଅନେକ ଆହତ ହୋଇଥିଲେ ।

Comments are closed.