Latest Odisha News

BREAKING NEWS

‘କଂଗ୍ରେସର ସମସ୍ତ ଆକାଉଣ୍ଟ ଫ୍ରିଜ୍, ଆମ ପାଖରେ ୨ ଟଙ୍କା ବି ନାହିଁ’

ନୂଆଦିଲ୍ଲୀ: ଲୋକ ସଭା ନିର୍ବାଚନ ପୂର୍ବରୁ ଗୁରୁବାର କଂଗ୍ରେସ ଏକ ସାମ୍ବାଦିକ ସମ୍ମିଳନୀ କରିଛି । ଯେଉଁଥିରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ କେନ୍ଦ୍ର ସରକାରଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଛନ୍ତି । ସେ କହିଛନ୍ତି ଯେ, ଦଳର ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ ହୋଇଯାଇଛି । ନିର୍ବାଚନରେ ଯେପରି କଂଗ୍ରେସ ପ୍ରତିଦ୍ୱନ୍ଦ୍ୱିତା ନକରିପାରିବ ସେନେଇ ମୋଦି ସରକାର ଏପରି କରିଛନ୍ତି ବୋଲି ଖଡଗେ କହିଛନ୍ତି ।

ଯାହାକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି ରାହୁଲ ଗାନ୍ଧୀ । ରାହୁଲ କହିଛନ୍ତି ଯେ, ଗଣତନ୍ତ୍ର ଉପରେ ଏହା ଆକ୍ରମଣ । ଆମେ ଅସୁର ଶକ୍ତି ବିରୁଦ୍ଧରେ ଲଢିବୁ । ଆଗାମୀ ସାଧାରଣ ନିର୍ବାଚନ ପୂର୍ବରୁ ଭାରତର ସବୁଠୁ ବଡ ପାର୍ଟିର ଆକାଉଣ୍ଟକୁ ଜାଣିଶୁଣି ଫ୍ରିଜ୍ କରାଯାଇଛି । ଆଜି କଂଗ୍ରେସ ପାଖରେ ୨ ଟଙ୍କା ବି ନାହିଁ, ନେତାମାନଙ୍କର ସାହାଯ୍ୟ କରିବାକୁ । ଏମିତି କି ଟିକେଟ୍ କିଣିବାକୁ ମଧ୍ୟ ଦଳ ପାଖରେ ଟଙ୍କା ନାହିଁ ବୋଲି ରାହୁଲ କହିଛନ୍ତି ।

ରାହୁଲ ଆହୁରି ମଧ୍ୟ କହିଛନ୍ତି ଯେ, ଆମ ନେତାମାନେ କୌଣସି ସ୍ଥାନକୁ ଯା’ ଆସ କରିପାରୁନାହାଁନ୍ତି । ଏପରିକି ଟ୍ରେନ୍ ରେ ମଧ୍ୟ ଯିବା ଆସିବା କରିପାରୁନାହାଁନ୍ତି । ଗୋଟିଏ ସହରରୁ ଅନ୍ୟ ସହରକୁ ଯିବା କଂଗ୍ରେସ ନେତାଙ୍କ ପାଇଁ କଷ୍ଟକର ହେଉଛି । ଆମେ ବିଜ୍ଞାପନ ମଧ୍ୟ ଦେଇପାରୁନୁ ବୋଲି ଅଭିଯୋଗ କରିଛନ୍ତି ରାହୁଲ ଗାନ୍ଧୀ ।

ଦେଶର ସମସ୍ତ ଲୋକ ଜାଣିଛନ୍ତି, ଯେତେବେଳେ କାହାର ବ୍ୟାଙ୍କ ଆକାଉଣ୍ଟ ଓ ଏଟିଏମ୍ କାର୍ଡକୁ ଫ୍ରିଜ୍ କରାଯାଏ, ସେତେବେଳେ କେତେ ଅସୁବିଧା ହେଇଥାଏ । ଯଦି ଏପରି ଘଟଣା ଗୋଟିଏ ପରିବାର ସହ ହୁଏ, ତେବେ ସେ ପରିବାର ଭୋକରେ ମରିଯିବ । ସେହିଭଳି ସମାନ ଘଟଣା ଏବେ କଂଗ୍ରେସ ସହିତ କରାଯାଉଛି । ଯାହା ଫଳରେ କି ଆମେ, ଆମ ନେତା ଓ କାର୍ଯ୍ୟକର୍ତ୍ତାଙ୍କୁ ଟଙ୍କା ଦେଇପାରୁନୁ । ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାର କ୍ଷମତା ଆମ ଠାରୁ ଛଡାଇ ନିଆଯାଉଛି ବୋଲି କହିଛନ୍ତି ରାହୁଲ ।

ଏନେଇ ସୋନିଆ ଗାନ୍ଧୀ ମଧ୍ୟ ଶାସକ ଦଳକୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି, ଆମକୁ ଗଣତନ୍ତ୍ରକୁ ବଞ୍ଚାଇବାକୁ ପଡିବ । ପ୍ରତ୍ୟେକ ରାଜନୈତିକ ଦଳ ସମାନ ସୁଯୋଗ ପାଇବା ଉଚିତ୍‌ । ଶାସକ ବିଜେପି ସରକାର ଦେଶର ସମ୍ବଳ, ଗଣମାଧ୍ୟମ ଏବଂ ସାମ୍ବିଧାନିକ ତଥା ନ୍ୟାୟିକ ଅନୁଷ୍ଠାନଗୁଡିକ ଉପରେ କବଜା କରିଛି ବୋଲି ସେ ଅଭିଯୋଗ କରିଛନ୍ତି ।

ଗୁରୁବାର କଂଗ୍ରେସ ପକ୍ଷରୁ ଆୟୋଜିତ ଏହି ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ, ପୂର୍ବତନ ଅଧ୍ୟକ୍ଷ ସୋନିଆ ଗାନ୍ଧି ଏବଂ ରାହୁଲ ଗାନ୍ଧି ମଧ୍ୟ ଏଥିରେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.